ଆଜି ରାଜଭବନ ସମ୍ମୁଖରେ କଂଗ୍ରେସର ଧାରଣା

Advertisment
ଆଜି ରାଜଭବନ ସମ୍ମୁଖରେ କଂଗ୍ରେସର ଧାରଣା

କଂଗ୍ରେସ, ଗାନ୍ଧୀ ପରିବାରକୁ ନିନ୍ଦିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ହୀନ ଚକ୍ରାନ୍ତ
ଶୁକ୍ରବାର ସବୁ ଜିଲ୍ଲାରେ କେନ୍ଦ୍ରୀୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭୁବନେଶ୍ବର : ଆଜି ଦିଲ୍ଲୀ ପୁଲିସର ଦମନଲୀଳା ସବୁ ସୀମା ଲଂଘିଛି। ଅଖିଳ ଭାରତୀୟ କଂଗ୍ରେସ କାର୍ଯ୍ୟାଳୟକୁ ଦିଲ୍ଲୀ ପୁଲିସ ପ୍ରବେଶ କରିବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରିଥିଲା। ଦଳୀୟ କର୍ମୀଙ୍କୁ କାର୍ଯ୍ୟାଳୟ ଭିତରକୁ ନ ଛାଡ଼ିବା ଓ ପ୍ରତିବାଦ କରୁଥିବା କର୍ମୀଙ୍କୁ ଲାଠିମାଡ଼ କରିଛି। ଦିଲ୍ଲୀ ପୁଲିସର ଏହି ଦମନଲୀଳାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏହାର ପ୍ରତିବାଦରେ ଆସନ୍ତାକାଲି ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ, ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଲଗାତାର ୩ଦିନ ଧରି ଇଡି ପଚରାଉଚରା କରୁଛି। କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଜନମାନସରେ ନିନ୍ଦିତ କରିବା ପାଇଁ କେନ୍ଦ୍ରର ବିଜେପି ସରକାର ସିବିଆଇ, ଆଇଟି, ଇଡି ଆଦି ସଂସ୍ଥାକୁ ବ୍ୟବହାର କରି କଂଗ୍ରେସ ନେତାଙ୍କୁ ଶିକାର କରୁଛନ୍ତି। ଏହାର ବିରୋଧରେ ପିସିସି ପକ୍ଷରୁ ଆସନ୍ତାକାଲି ରାଜଭବନ ଓ ୧୭ତାରିଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଦର ମହକୁମାରେ ଥିବା‌ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ବର୍ତମାନର ପ୍ରଧାନମନ୍ତ୍ରୀ କଂଗ୍ରେସମୁକ୍ତ ଭାରତ ବର୍ଷର ସ୍ବପ୍ନ ଦେଇଥିଲେ। ମାତ୍ର ତାହା ସମ୍ଭବ ହୋଇନାହିଁ। ଏହି ସ୍ବପ୍ନକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁସବୁ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ପନ୍ଥା ଅନୁସରକରଣ କରୁଛନ୍ତି ତାହା ତାଙ୍କ ସରକାରର ପତନକୁ ଡାକି ଆଣିବ। କଂଗ୍ରେସ ହେଉଛି ଭାରତର ଅତୀତ, ବର୍ତମାନ ଓ ଭବିଷ୍ୟତ ବୋଲି ଶ୍ରୀ ମିଶ୍ର କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀକୁ ପିସିସି ଗଣମାଧ୍ୟମ ସେଲର ଅଧ୍ୟକ୍ଷ ଗଣେଶ୍ବର ବେହେରା ପୌରହିତ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ ରାଉତରାୟ, ବିଧାୟକ ଦାଶରଥୀ ଗମାଙ୍ଗ, ବରିଷ୍ଠ ନେତା ପଞ୍ଚାନନ କାନୁନ୍‌ଗୋ, ଯୁଧିଷ୍ଠିର ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ସୁରେଶ ମହାପାତ୍ର, ବିଶ୍ବଜିତ ଦାସ, ଲୋକନାଥ ମହାରଥୀ, ସ୍ମୃତିରଂଜନ ଲେଙ୍କା, ୟାସିର ନୱାଜ, ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର, ସତ୍ୟପ୍ରକାଶ ନାୟକ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe