ଭୁବନେଶ୍ବର: ବିଜେପି ଯେଉଁଭଳି ଆକ୍ରୋଶମୂଳକ ଭାବେ କଂଗ୍ରେସ କାର୍ଯ୍ୟାଳୟ ଓ ନେତାଙ୍କ ବିରୋଧରେ ଆଚରଣ କରୁଛି ତାହାକୁ ଆଗାମୀ ଦିନରେ ଦୃଢ଼ ଜବାବ ଦିଆଯିବ। ଆଜି ପ୍ରଦେଶ କଂଗ୍ରେସ କମିଟିର ସମସ୍ତ ଜିଲ୍ଲା ସଭାପତି, ଛାମୁଆ ସଂଗଠନ ଓ ବିଭିନ୍ନ ସେଲ୍ ମୁଖ୍ୟଙ୍କୁ ନେଇ ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନେତାମାନେ କହିଛନ୍ତି ଯେ ସରକାରକୁ ଆସିବାର ମାତ୍ର ୧ମାସ ଭିତରେ ରାଜ୍ୟରେ ଯେଉଁଭଳି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ଓ ବିଜେପି ଦ୍ବାରା ହିଂସାର ବାତାବରଣ ସୃଷ୍ଟି କରାଯାଉଛି ତାହାକୁ ସମସ୍ତେ ନିନ୍ଦା କରିଥିଲେ। ରାଜ୍ୟପାଳଙ୍କ ପୁଅ ଜଣେ କାର୍ଯ୍ୟରତ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରି ଲହୁଲୁହାଣ କଲେ। ଏହି ଘଟଣାରେ ରାଜ୍ୟପାଳ ଓ ଗୃହ ବିଭାଗକୁ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ନିରବ ରହିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି।
ଅଭିଯୁକ୍ତକୁ ଗିରଫ କରିବା ବଦଳରେ ଏଏସ୍ଓଙ୍କୁ ବଦଳି କରି ରାଜ୍ୟ ସରକାର ଓଡ଼ିଆ ଅସ୍ମିତାକୁ ଜଳାଞ୍ଜଳି ଦେଇଛନ୍ତି। ଘଟଣାକୁ ଚାପି ଦେବାକୁ ଉଦ୍ୟମ ଚାଲିଥିବା ବେଳେ ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦେବା ଲାଗି ଦଳ ପକ୍ଷରୁ ଦାବି କରାଯାଇଛି। ସେହିପରି ରାଜ୍ୟରେ ବିଜେପି ଓ ବିଜେଡି ଭିତିରି ବୁଝାମଣା ସଂପର୍କରେ ରାଜ୍ୟବାସୀ ଅବଗତ। ତେଣୁ ଗଠନମୂଳକ ବିରୋଧୀ ଦଳ ଭାବେ କଂଗ୍ରେସ ସଂସଦ, ବିଧାନସଭା ଓ ରାଜରାସ୍ତାରେ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଜୋରଦାର ଲଢ଼େଇ କରିବ ବୋଲି ସ୍ଥିର ହୋଇଛି। ଏହି ସଭାରେ ସମସ୍ତ ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଆଜିର ସଭାରେ ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଗଣମାଧ୍ୟମ ସେଲ୍ ଅଧ୍ୟକ୍ଷ ବିଶ୍ବରଂଜନ ମହାନ୍ତି, ଉପସଭାପତି ସନତ ଦାସ, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବାଙ୍କନିଧି ବେହେରା, ଜୟରାମ ପାଙ୍ଗୀ, ଜିଆ ଉଲ୍ଲହକ୍, ବିଜୟାନନ୍ଦ ଚାଉଳିଆ, ଅମୀୟ ପଟ୍ଟନାୟକ, ହଳଧର ସେଠୀ, ଜିତେନ୍ଦ୍ର ବିଶ୍ବାଳ ଓ ଅନ୍ୟମାନେ ସାମିଲ ହୋଇଥିଲେ।
Follow Us