ଭୁବନେଶ୍ବରରେ କଂଗ୍ରେସର ଯୁବ କ୍ରାନ୍ତି ଯାତ୍ରା : ଜାନୁଆରୀ ୩୦ରେ ଦିଲ୍ଲୀରେ ହେବ ସମାପନ

Advertisment

ମୋଦୀ ଓ ନବୀନ ସରକାର ବିରୋଧରେ ବିଷୋଦଗାର

ମୋଦୀ ଓ ନବୀନ ସରକାର ବିରୋଧରେ ବିଷୋଦଗାର

ଭୁବନେଶ୍ବରରେ କଂଗ୍ରେସର ଯୁବ କ୍ରାନ୍ତି ଯାତ୍ରା : ଜାନୁଆରୀ ୩୦ରେ ଦିଲ୍ଲୀରେ ହେବ ସମାପନ

ଭୁବନେଶ୍ବର : ଲୁଟେରା ମିଛୁଆଙ୍କ ଶାସନ ହଟାନ୍ତୁ, ରୋଜଗାର ଏବଂ ବିକାଶ ଆଣନ୍ତୁ। ସୋମବାର ଭୁବନେଶ୍ବରରେ ଭାରତୀୟ ଯୁବ କଂଗ୍ରେସର କ୍ରାନ୍ତି ଯାତ୍ରା ପହଞ୍ଚିବା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଏଭଳି ଗର୍ଜିଛି କଂଗ୍ରେସ।

ମୋଦୀ ସରକାର ସାଢ଼େ ଚାରିବର୍ଷ ଭିତରେ ନିଯୁକ୍ତି ଦେବା ନାଁରେ ଯୁବକ ଯୁବତୀଙ୍କୁ ଠକିଆସିଛନ୍ତି। ବର୍ଷକୁ ୨ କୋଟି ନିଯୁକ୍ତି ଦେବା କହି ଭଣ୍ଡାଇଛନ୍ତି। ଏହା ବିରୋଧରେ ଜନଜାଗରଣ ସୃଷ୍ଟିକରିବାକୁ ଚଳିତ ମାସ ୧୬ ତାରିଖରୁ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତୀୟ ଯୁବ କଂଗ୍ରେସ ଯାତ୍ରା ଆରମ୍ଭ କରିଛି। ୭ଟି ରାଜ୍ୟ ଅତିକ୍ରମ କରି ଗତକାଲି ଗଞ୍ଜାମ ଗୋପାଳପୁରରେ ପହଞ୍ଚିବା ପରେ ସୋମବାର ଭୁବନେଶ୍ବର କଂଗ୍ରେସ ଭବନରେ ଏକ ଶୋଭାଯାତ୍ରାରେ ଆସି ପହଞ୍ଚିଥିଲା। ଭାରତୀୟ ଯୁବ କଂଗ୍ରେସ ସଭାପତି କେଶବ ଚନ୍ଦ୍ର ଯାଦବଙ୍କ ନେତୃତ୍ବରେ ଯୁବ କ୍ରାନ୍ତି ଦଳ ପହଞ୍ଚିବାପରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ଅବସରରେ କଂଗ୍ରେସ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ସଭାରେ ବେକାରି, ଚାଷୀ ସମସ୍ୟା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ ଅଭିଯୋଗ କରିଛନ୍ତି, ରାଜ୍ୟରେ ୮୫ ଲକ୍ଷ ଯୁବକ ଯୁବତୀ ନିଯୁକ୍ତି ନପାଇ ବେକାର ହୋଇ ବସିଛନ୍ତି। ୩୬ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ କର୍ମଚାରୀ ନିୟୋଜନ ସଂସ୍ଥାରେ ନାମ ପଞ୍ଜୀକରଣ କରି ଚାକିରି ପାଉନାହାନ୍ତି। ଏହା ରାଜ୍ୟ ସରକାରଙ୍କ ଅପାରଗତା ଛଡ଼ା ଆଉ କିଛି ନୁହେଁ। ସାରା ରାଜ୍ୟରେ ୧ ଲକ୍ଷ ୩୧ ହଜାର ପଦବି ଖାଲି ପଡ଼ିଛି, ଅଥଚ ସରକାର ଶିକ୍ଷିତ ପିଲାଙ୍କୁ ଚାକିରି ଖଣ୍ଡେ ଦେଉନାହାନ୍ତି। ହେଲେ କଂଗ୍ରେସ କ୍ଷମତାକୁ ଆସିଲେ ଏସବୁର ପରିବର୍ତ୍ତନ େହବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ଓଡ଼ିଶାରୁ ଉତ୍ପାଦିତ ଲକ୍ଷଲକ୍ଷ ଟନ୍ ଇସ୍ପାତ ବାହାର ରାଜ୍ୟ ଓ ଦେଶକୁ ଚାଲିଯାଉଛି। ହେଲେ ଓଡ଼ିଶାର ଶିଳ୍ପ ସଂସ୍ଥାରେ ଗୋଟିଏ କିଲୋ ଇସ୍ପାତ ବି ବ୍ୟବହାର ହେଉନି। ରାଜ୍ୟ ସରକାର ଯେଉଁ ଶିଳ୍ପସଂସ୍ଥାମାନଙ୍କ ସହ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି ସେସବୁ ଶିଳ୍ପରେ ଓଡ଼ିଆ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନି। ଏପରି ୮୫ ପ୍ରତିଶତ ଶିଳ୍ପରେ ଓଡ଼ିଆ ପିଲା ନିଯୁକ୍ତି ପାଉନାହାନ୍ତି। କଂଗ୍ରେସ ସରକାରକୁ ଆସିଲେ ୩୦ ପ୍ରତିଶତ ଇସ୍ପାତ ରାଜ୍ୟ ଭିତରେ ଥିବା ଆନୁସଂଗିକ ଶିଳ୍ପରେ ବିନିଯୋଗ କରିବ। ଫଳରେ ଶହଶହ ନିଯୁକ୍ତ ସୁଯୋଗ ସୃଷ୍ଟି କରାଯିବ। ଚାଷୀଙ୍କୁ କିପରି ଋଣ ଛାଡ଼ କରାଯାଏ ତାର ଉଦାହରଣ ଛତିଶଗଡ଼ କଂଗ୍ରେସ ସରକାର ସୃଷ୍ଟି କରିଥିବା କହିଛନ୍ତି ନିରଞ୍ଜନ।

ଏହି ଅବସରରେ ଭାରତୀୟ ଯୁବ କଂଗ୍ରେସ ସଭାପତି କେଶବ ଚନ୍ଦ୍ର ଯାଦବ କହିଥିଲେ, କେନ୍ଦ୍ରରେ ମୋଦୀ ସରକାର ଯୁବକଙ୍କୁ ନିଯୁକ୍ତି ଦେବା ନାଁରେ ପ୍ରତାରିତ କରିଛନ୍ତି। ୨୦୧୪ ନିର୍ବାଚନରେ ବର୍ଷକୁ ୨ କୋଟି ନିଯୁକ୍ତି ଦେବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତା ମିଥ୍ୟା ପ୍ରମାଣିତ ହୋଇଛି। ଏହାର ଉତ୍ତର ପ୍ରଧାନମନ୍ତ୍ରୀ ଦେବା ଦରକାର। ରାଫେଲ ବିମାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିଲେ ବି ଦେଶବାସୀଙ୍କ ଆଗରେ ପ୍ରଧାନମନ୍ତ୍ରୀ ସତ ଲୁଚାଉଛନ୍ତି।

ଏ ସବୁ ବିରୋଧରେ ଜନମତ ସୃଷ୍ଟି କରିବାକୁ ଭାରତୀୟ ଯୁବ କଂଗ୍ରେସ ତରଫରୁ ଏହି ଯୁବ କ୍ରାନ୍ତି ଯାତ୍ରା ଆରମ୍ଭ କରାଯାଇଛି। ଗତ ୧୬ ତାରିଖରୁ ଆରମ୍ଭ ହୋଇ ଏହି ଯାତ୍ରା କନ୍ୟାକୁମାରୀରୁ ବାହାରି ୭ଟି ରାଜ୍ୟ ଅତିକ୍ରମ କରି ଏବେ ଭୁବନେଶ୍ବରରେ ପହଞ୍ଚିଛି। ବାଲେଶ୍ବର ଦେଇ ଏହା ପଶ୍ଚିମବଙ୍ଗରେ ପହଞ୍ଚିବ। ୨୦୧୯ ଜାନୁଆରି ୩୦ରେ ଦିଲ୍ଲୀରେ ସମାପନ ହେବାର କାର୍ଯ୍ୟକ୍ରମ ରହିଛି।

କଂଗ୍ରେସ ଭବନରେ ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ମହିଳା କଂଗ୍ରେସ ସଭାନେତ୍ରୀ ସୁମିିତ୍ରା ଜେନା,ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ, ଭାରତୀୟ ଯୁବ କଂଗ୍ରେସଉପସଭାପତି ଶ୍ରୀନିବାସ ବିବିଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe