ସ୍କୁଲ ବାହାରେ ଥିବା ପିଲାଙ୍କୁ ଶିକ୍ଷା ସହ ଯୋଡ଼ିବା: ଧର୍ମେନ୍ଦ୍ର

ଅଧାରୁ ପାଠ ଛାଡ଼ିଥିବା, ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମ୍ବଲପୁରରେ ରାଜ୍ୟବ୍ୟାପୀ ଅଭିଯାନ ଆୟୋଜିତ ‘ଆସ ସ୍କୁଲ ଯିବା’ ସଚେତନତା ପଦଯାତ୍ରାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ....

ghsfhhxbxb

ସମ୍ବଲପୁର: ଅଧାରୁ ପାଠ ଛାଡ଼ିଥିବା, ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମ୍ବଲପୁରରେ ରାଜ୍ୟବ୍ୟାପୀ ଅଭିଯାନ ଆୟୋଜିତ ‘ଆସ ସ୍କୁଲ ଯିବା’ ସଚେତନତା ପଦଯାତ୍ରାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ଜାତୀୟ ଶିକ୍ଷାନୀତିର ମୂଳ ଉଦ୍ଦେଶ୍ୟ ହେଉଛି, ଦେଶର ପ୍ରତ୍ୟେକ ପିଲାଙ୍କୁ ସ୍କୁଲକୁ ଆଣିବା ଏବଂ ସେମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା। ଡ୍ରପ୍ଆଉଟ୍‌ ହ୍ରାସ କରିବା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ବୃଦ୍ଧି, ବିଦ୍ୟାଳୟ ଭିତ୍ତିଭୂମିର ବିକାଶ, ସାକ୍ଷରତା ହାର ବୃଦ୍ଧି କରିବା ଦିଗରେ ମଧ୍ୟ ଆମ ସରକାର ଯତ୍ନଶୀଳ। ଶିକ୍ଷା ମନ୍ତ୍ରଣାଳୟର ଉଲ୍ଲାସ-ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ-୨୦୨୫ ଅଧୀନରେ ୧୫ ବର୍ଷ ବୟସରୁ ଅଧିକ ନିରକ୍ଷର ଥିବା ଲୋକଙ୍କୁ ସାକ୍ଷର କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ସମ୍ବଲପୁରରେ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନ୍ୟ ଜିଲ୍ଲା ଅପେକ୍ଷା ବହୁତ ଭଲ। ବର୍ତ୍ତମାନ ସମୟରେ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୩୦୦୦ ପିଲା ସ୍କୁଲ ବାହାରେ ଅଛନ୍ତି। ସେମାନଙ୍କୁ ସ୍କୁଲ ଶିକ୍ଷା ଓ ଦକ୍ଷତା ସହ ଯୋଡ଼ିବା ପାଇଁ ‘ଆସ ସ୍କୁଲ ଯିବା’ ପରି ଅଭିଯାନ ରାଜ୍ୟ ସରକାରଙ୍କର ଏକ ପ୍ରଶଂସନୀୟ ପଦକ୍ଷେପ। ସମସ୍ତଙ୍କୁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ରେ ଯୋଡ଼ିବା ସରକାରଙ୍କର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

ଗଙ୍ଗାଧର ମେହେର ପ୍ରେକ୍ଷାଳୟରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନଙ୍କ ସହିତ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ତଥା ପାନୀୟଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ, ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଏସ୍‌ପି ମୁକେଶ ଭାମୁ, ମହାନଗର ନିଗମ କମିସନର ରେହାନ୍‌ ଖତ୍ରୀ, ଆଇଏଏସ୍‌ ଶିକ୍ଷାନବିସ ଶୁଭ୍ରା ପଣ୍ଡା ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ପ୍ରଧାନ ଶୈକ୍ଷିକ, କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୨୨ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ସମ୍ବଲପୁର ଡିଇଓ ଲକ୍ଷ୍ମଣ ଭୋଇ, ପୂର୍ବତନ ସୁନ୍ଦରଗଡ଼ ଡିଇଓ ଅମୂଲ୍ୟ ପ୍ରଧାନ ଓ ୩ ଜଣ ଶିକ୍ଷକଙ୍କୁ ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଧନ୍ୟବାଦ ଦେଇଥିଲେ। ମଞ୍ଚ ସଂଯୋଜନା କରିଥିଲେ ପ୍ରଧାନଶିକ୍ଷକ ଗୌରିଦାସ ପ୍ରଧାନ। ସଚେତନତା ପଦଯାତ୍ରାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରିଜର୍ଭ ପୁଲିସ ପଡ଼ିଆଠାରେ ପତାକା ଦେଖାଇ ଆରମ୍ଭ କରିଥିବାବେଳେ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe