ରେଳ ଦୁର୍ଘଟଣା‌‌ ପଛରେ ଷଡ଼୍‌ଯନ୍ତ୍ର ସନ୍ଦେହ

Advertisment
ବାହାନଗା ଟ୍ରେନ୍ ଦୁର୍ଘଟଣା: ନିଖୋଜ ୧୧୯ ଏବେ କେଉଁଠି? ବିହାର ଓ ପଶ୍ଚିମବଙ୍ଗର ଦାବି ପରେ ଅଡ଼ୁଆ ବଢ଼ିଲା

ଭୁବନେଶ୍ବର : ବାହାନଗା ଟ୍ରେନ୍‌ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ! ଏମିତି ସନ୍ଦେହ ପ୍ରକଟ କରିଛି ରେଳ ବିଭାଗ। ଏହି କାରଣରୁ ଏହାର ତଦନ୍ତ ଲାଗି କେନ୍ଦ୍ର ତଦନ୍ତ ବ୍ୟୁରୋ ବା ସିବିଆଇକୁ କୁହାଯାଇଛି।

ସୋମବାର ଦିନ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଖୋର୍ଦ୍ଧା ରୋଡ୍‌ ଡିଭିଜନ୍ ଡିଆର୍‌ଏମ୍‌ ରିଙ୍କେଶ ରାୟ। ସେ କହିଛନ୍ତି, ସବୁଜ ସିଗନାଲ୍ ଥିବାରୁ କରମଣ୍ଡଳ ଏକ୍ସପ୍ରେସ ମେନ୍‌ ଲାଇନ୍‌ରେ ଆଗକୁ ବଢ଼ିଥିଲା। ହେଲେ ମେନ୍‌ ଲାଇନରୁ ଟ୍ରେନ୍ ଲୁପ୍-ଲାଇନକୁ ଡାଇଭର୍ଟ ହେବା କଳ୍ପନା ବାହାରେ। ସିଗନାଲିଂ ବ୍ୟବସ୍ଥାରେ ଏହା ସମ୍ଭବ ନୁହେଁ। ସିଗ୍‌ନାଲିଂ କ୍ଷେତ୍ରରେ ଏକ ଫୁଲ-ପ୍ରୁଫ୍ ସିଷ୍ଟମ୍‌ କାମ କରେ। ସାମାନ୍ୟତମ ଅସୁବିଧା ଥିଲେ ମଧ୍ୟ ଗ୍ରିନ୍-ସିଗ୍‌ନାଲ ମିଳି ନଥାଏ। ତେଣୁ ସିଷ୍ଟମ୍‌କୁ ଜାଣିଶୁଣି କେହି କ୍ଷତି ପହଞ୍ଚାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଏହା କେମିତି ହେଲା, ତଦନ୍ତ ପରେ ଜଣାପଡ଼ିବ। ସିବିଆଇର ୧୦ ଜଣିଆ ଟିମ୍ ଆଜି ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଯାଞ୍ଚ କରିଛନ୍ତି। ଯାଞ୍ଚ ପାଇଁ ରେଳ ସୁରକ୍ଷା କମିସନରଙ୍କ ପକ୍ଷରୁ ଏକ କମିଟି ମଧ୍ୟ ଗଠନ କରାଯାଇଛି।

ସୂଚନାଯୋଗ୍ୟ ଯେ ବାହାନଗା ଭଳି ସମଗ୍ର ଭାରତବର୍ଷରେ ଟ୍ରେନ ଦୁର୍ଘଟଣା ଘଟିନାହିଁ ବୋଲି ରେଳ ଅଧିକାରୀମାନେ କହୁଛନ୍ତି। ସେମାନେ କହୁଛନ୍ତି ଯେ ଇଣ୍ଟରଲକିଂ ବ୍ୟବସ୍ଥା ହେଉଛି ଫୁଲ-ପ୍ରୁଫ୍। ଯେଉଁ ଟ୍ରାକ୍‌ରେ ଗୋଟିଏ ଟ୍ରେନ ଥିବ‌, ସେହି ଟ୍ରାକ୍‌ରେ ଯିବା ଲାଗି ଅନ୍ୟଗାଡ଼ିକୁ ସବୁଜ ସିଗ୍‌ନାଲ ମିଳିବାର ପ୍ରଶ୍ନ ଉଠୁନାହିଁ। କିନ୍ତୁ ବା‌ହାନଗ‌ାରେ ଏହା ସମ୍ଭବ ହେଲା କେମିତି ? କେବଳ ଜାଣିଶୁଣି କେହି ଗଡ଼ବଡ଼ କଲେ ଯାଇ ଏଭଳି ଦୁର୍ଘଟଣା ଘଟିବ। ଏଠାରେ ତାହାହିଁ ହୋଇଛି ବୋଲି ସନ୍ଦେହ କରାଯାଉଛି। ଏଭି ତ୍ରୁଟି ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ଚିହ୍ନଟ କରାଯାଇଛି। ତେବେ ସେମାନେ ଏଭଳି ତ୍ରୁଟି କାହିଁକି କଲେ? ସେମାନଙ୍କର ଉଦ୍ଦେଶ୍ୟ କଣ ଥିଲା? ସେମାନଙ୍କ ପଛରେ ଆଉ କିଏ ଅଛନ୍ତି କି? ଏହି ପ୍ରଶ୍ନର ଉତ୍ତର ଖୋଜି ବାହାର କରିବା ଲାଗି ସିବିଆଇକୁ ଦାୟିତ୍ବ ଦିଆଯାଇଛି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe