ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର!

Advertisment

ନବୀନ ନିବାସକୁ ଆସିଲା ବେନାମୀ ଚିଠି

ନବୀନ ନିବାସକୁ ଆସିଲା ବେନାମୀ ଚିଠି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର!

ପେସାଦାର ସୁପାରିକିଲର ପିଛା କରୁଛନ୍ତି
ହାତରେ ରହିଛି ଏକେ-୪୭ ଓ ଅତ୍ୟାଧୁନିକ ବନ୍ଧୁକ
ଓଡ଼ିଶାର ୪ ଓ ବାହାର ରାଜ୍ୟର ୧୩ଟି ଗାଡ଼ି ନମ୍ବର
ପୁଲିସର ଉଚ୍ଚସ୍ତରୀୟ ବୈଠକ, ଭିତିରିଆ ତଦନ୍ତ ଆରମ୍ଭ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏହି ଷଡ଼ଯନ୍ତ୍ରରେ ପେସାଦାର ସୁପାରି କିଲର୍‌ଙ୍କୁ ନିୟୋଜିତ କରାଯାଇଛି। ଏକେ-୪୭, ସ୍ବୟଂଚାଳିତ ପିସ୍ତଲ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଭୁବନେଶ୍ବରରେ ପହଞ୍ଚି ସାରିଛି। ଏହାର ମାଷ୍ଟରମାଇଣ୍ଡ ମହାରାଷ୍ଟ୍ର ଵାଘାପୁରର। ନବୀନଙ୍କୁ ହତ୍ୟା କରିବା ଲାଗି ବାରମ୍ବାର ପିଛା କରୁଛନ୍ତି। ସୁଯୋଗ ମିଳିଲେ, ହତ୍ୟା କରିବେ।

ଗତ ୪ ତାରିଖରେ ଏଭଳି ଏକ ଚିଠି ନବୀନ ନିବାସରେ ପହଞ୍ଚିଛି। ଏହାକୁ ବେନାମୀ ବୋଲି କୁହାଯାଉଛି। ତା ସତ୍ତ୍ବେ ଗୃହ ବିଭାଗ ଏହାକୁ ଗୁରୁତ୍ବର ସହ ନେଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ଚିଠି କିଏ ପଠାଇଛି? କେଉଁଠୁ ଆସିଛି? ତାହା ଜାଣିବା ଲାଗି ପୁଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ଓ ପୁଲିସ କମିସନରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା। ନିର୍ଦ୍ଦେଶ ମିଳିବା ପରେ ପୁଲିସ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିସନରେଟ ପୁଲିସ ଘଟଣାର ଭିତିରିଆ ତଦନ୍ତ ଆରମ୍ଭ କରି‌‌‌ ତନାଘନା ଚଳାଇଛି। ନବୀନ ନିବାସ ସୁରକ୍ଷା କର୍ମୀଙ୍କୁ ମଧ୍ୟ ସତର୍କ ରହିବା ପାଇଁ କୁହାଯାଇଛି। ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଛି। ଘଟଣା ସମ୍ପର୍କରେ କମିସନରେଟ ପୁଲିସ ଓ ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀମାନେ ମୁହଁ ଖୋଲୁ ନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, ଚିଠି ସିଧା ମୁଖ୍ୟମନ୍ତ୍ରୀଙ୍କୁ ଇଂରାଜୀରେ ଲେଖାଯାଇଛି। କେତେକ ସୁପାରି କିଲର୍‌ ହତ୍ୟା କରିବା ପାଇଁ ଷଡ଼୍‌ଯନ୍ତ୍ର ତିଆରି କରିଛନ୍ତି। ସେମାନେ ସମସ୍ତେ ପେସାଦାର ଅପରାଧୀ। ସେମାନଙ୍କ ନିକଟରେ ଏକେ-୪୭, ସ୍ବୟଂଚାଳିତ ପିସ୍ତଲ ରହିଛି।

ଏହି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ମହାରାଷ୍ଟ୍ର ଵାଘାପୁରର ହୋଇଥିବା ବେଳେ ସେ ବ୍ୟବହାର କରୁଥିବା ଗାଡ଼ିର ନମ୍ବର(ଏମ୍ଏଚ୪୯-ବିକେ-୫୨୯୫) ବୋଲି ଚିଠିରେ ଉଲ୍ଲେଖ ରହିଛି। ଏହି ଗାଡ଼ିରେ ଅସ୍ତ୍ରଶସ୍ତ୍ର ଅଣାଯାଇଛି। ସେହିପରି ଅନ୍ୟ ଦୁଇଟି ଗାଡ଼ି(ନଂ ଓଡି୦୨-ଏସି-୪୫୨୫ ଓ ଓଡ଼ି୦୫-ଏସି-୮୭୦୧)ରେ ଅପରାଧୀମାନେ ବୁଲୁଛନ୍ତି। ଏମଏଚ୪୯-ବିକେ-୫୨୯୫ ଗାଡ଼ି ମହାରାଷ୍ଟ୍ର ନାଗପୁର ବାଥୋଡ଼ା ଲେ ଆଉଟ ଅଞ୍ଚଳର ନାଗେଶ୍ବର ଶାହୁଙ୍କର ବୋଲି ଜଣାପଡ଼ିଛି। ସେହିପରି ଓଡି୦୫-ଏଏ-୮୭୦୧ ଗାଡ଼ି କଟକ ବିଡ଼ାନାସୀ ଅଞ୍ଚଳର ଲକ୍ଷ୍ମୀପ୍ରିୟା ମହାପାତ୍ର ଏବଂ ଓଡି୦୨-ଏସି-୪୫୨୫ ଗାଡ଼ି ରାଉରକେଲା ଛେଣ୍ଡ୍‌ ଥାନା କଳିଙ୍ଗବିହାର ଅଞ୍ଚଳର ଧନଞ୍ଜୟ ପାଠକଙ୍କର ବୋଲି ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଅପରାଧୀମାନେ ବାରମ୍ବାର ପିଛା କରୁଛନ୍ତି। ଯେକୌଣସି ମୁହୂର୍ତ୍ତରେ ହତ୍ୟା କରିପାରନ୍ତି। ତେଣୁ ସତର୍କ ରହିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ଏହି ଚିଠି ଓଡ଼ିଶାରୁ ଲେଖା ଯାଇଥିବା ଅନୁମାନ କରାଯାଉଛି। ଅଧିକ ତଥ୍ୟ ଜାଣିବା ଲାଗି ଚିଠିକୁ ଫୋରେନସିକ୍ ଲାବରେଟୋରିକୁ ପଠାଯିବ ବୋଲି ସୂଚନା ମିଳିଛି। ସେହିପରି ଚିଠିରେ ଦିଆ ଯାଇଥିବା ପ୍ରାୟ ୧୮ଟି ଗାଡ଼ିର ନମ୍ବରକୁ ଯାଞ୍ଚ କରାଯାଉଛି।

ନବୀନ ନିବାସରେ ୨୪ ଘଣ୍ଟିଆ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି। ପୂରା ନବୀନ ନିବାସକୁ ଚାରିପଟୁ ସଶସ୍ତ୍ର ପୁଲିସ ଜଗି ରହିଛନ୍ତି। ତିନୋଟି ସିଫ୍ଟରେ ପ୍ରାୟ ୧୫୦ ସଶସ୍ତ୍ର ସୁରକ୍ଷା କର୍ମୀ ସଜାଗ ରହିଛନ୍ତି। ସେହିପରି ଚାରିପଟେ ସିସିଟିଭି ମଧ୍ୟ ଖଞ୍ଜା ଯାଇଛି। ଦୁଇ ପଟେ ଦୁଇଟି ଚେକପୋଷ୍ଟ ମଧ୍ୟ ରହିଛି। ଦୁଇପଟରେ ୨୪ ଘଣ୍ଟିଆ ପିସିଆର ଭ୍ୟାନ୍ ପଇଁତରା ମାରୁଛି। ନବୀନ ନିବାସ ବାହାର ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଡିସିପି ଓ ଭିତର ସୁରକ୍ଷା ଦାୟିତ୍ବରେ ଜଣେ କମାଣ୍ଡାଣ୍ଟ ରହିଛନ୍ତି। ତେଣୁ ଆଉ ଅଧିକ ସୁରକ୍ଷାର ଆବଶ୍ୟକ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି। କିନ୍ତୁ ସୁରକ୍ଷା କର୍ମୀମାନଙ୍କୁ ଆଲର୍ଟ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୦ ଜାନୁଆରି ୨୫ ତାରିଖରେ ନବୀନ ପଟ୍ଟନାୟକଙ୍କ ଅଫିସିଆଲ ମେଲ୍ ଆଇଡିକୁ ଏକ ଧମକପୂର୍ଣ୍ଣ ଚିଠି ଆସିଥିଲା। ଶୁଭଶ୍ରୀ ଦାସ ନାମ୍ନୀ ଜଣେ ମହିଳା ମାଓବାଦୀଙ୍କୁ ମୁକ୍ତ ନ କଲେ, ଜାନୁଆରି ୨୬ ସାଧାରଣତନ୍ତ୍ର ଦିବସ ସକାଳ ଦେଖିପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା। କମିସନ‌ରେଟ୍‌ ପୁଲିସ୍‌ ଏହି ଘଟଣାର ତଦନ୍ତ କରି ପୁରୀ ଜିଲ୍ଲା ଅସ୍ତରଙ୍ଗର ପ୍ରତାପ ବେହେରାଙ୍କୁ ଗିରଫ କରିଥିଲା। ସମ୍ପର୍କୀୟ ଭାଇଙ୍କ ସହ ବିବାଦରୁ ତାଙ୍କ ମେଲ୍ ଆଇଡି ପାସ୍‌ଵାର୍ଡ ଚୋରି କରି ପ୍ରତାପ ଏହି ମେଲ୍ ପଠାଇଥିଲେ ବୋଲି ପୁଲିସ୍‌ କହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe