ବଡ଼ ଓଡ଼ିଆ ମଠ ଜମି ବିକିବାକୁ ଷଡ଼୍‌ଯନ୍ତ୍ର: ଅତିବଡ଼ୀଙ୍କ ସାଧନା ପୀଠ ଉପରେ ବି ଆଖି

ଗଜପତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେ ମହନ୍ତ

ବଡ଼ ଓଡ଼ିଆ ମଠ ଜମି ବିକିବାକୁ ଷଡ଼୍‌ଯନ୍ତ୍ର: ଅତିବଡ଼ୀଙ୍କ ସାଧନା ପୀଠ ଉପରେ ବି ଆଖି

ପୁରୀ: ମଠ ସଂସ୍କୃତିକୁ ବିଲୋପ କରିଦେବା ପାଇଁ ଚାଲିଛି ସାଂଘାତିକ ଷଡ୍‌ଯନ୍ତ୍ର। ପରିକ୍ରମା ପ୍ରକଳ୍ପ ପାଇଁ ବହୁ ମଠ ସମାଧି ନେଇସାରିଛି। ଏବେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାଧନାପୀଠ ‘ବଡ଼ ଓଡ଼ିଆ ମଠ’ର ବୃହତ୍ତର ଅଂଶ ସମର୍ପି ଦେବାକୁ ଷଡ଼୍‌ଯନ୍ତ୍ର ଚାଲିଛି। ବିଡ଼ମ୍ବନା ଏହି ଯେ ଖୋଦ୍‌ ଶ୍ରୀମନ୍ଦିର ପ୍ରଶାସନ ବଡ଼ ଓଡ଼ିଆ ମଠର କିଛି ଜମି ବିକ୍ରି ନିମନ୍ତେ ଅନୁମତି ଦେଇଛନ୍ତି। ଏନେଇ ମଠ ମହନ୍ତ ବଂଶୀଧର ଦାସ ଗୋସ୍ବାମୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଏଥିରେ ରୋକ୍‌ ନ ଲଗାଇଲେ ସେ ହାଇକୋର୍ଟ ଓ ସୁପ୍ରିମକୋର୍ଟର ଆଶ୍ରୟ ନେବେ। ସେଠାରୁ ନିରାଶ ହେଲେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ପ୍ରାୟ ୫ଶହ ବର୍ଷ ତଳେ ପୁରୀର ତତ୍କାଳୀନ ଗଜପତି ପ୍ରତାପରୁଦ୍ର ଦେବଙ୍କ ପାଟମହିଷୀ ଗୌରାପାଟମହାଦେଈ ଅତିବଡ଼ୀଙ୍କ ସାଧନାରେ ପ୍ରଭାବିତ ହୋଇ ନିଜ ରାଣୀ ଉଆସକୁ ଦାନ କରିଦେଇଥିଲେ। ଅତିବଡ଼ୀ ଶ୍ରୀଜଗନ୍ନାଥ ଦାସଙ୍କର ଏହା ସାଧନାପୀଠ ଓ ଏଠାରେ ବଡ଼ ଓଡ଼ିଆ ମଠ ପ୍ରତିଷ୍ଠା ହେଲା। ଶ୍ରୀମନ୍ଦିରର ଅନେକ ନୀତି ସହ ଏହି ମଠ ଜଡ଼ିତ। ମହାପ୍ରଭୁଙ୍କ ଅଣସର ସେବା ପାଇଁ ଏହି ମଠ ଫୁଲୁରି ତେଲ ଯୋଗାଏ, ରଥ ଉପରେ ଅଧରପଣା ପ୍ରସ୍ତୁତି ପାଇଁ ଅଧର ହାଣ୍ଡି ବି। ମଠର ଆର୍ଥିକ ଉତ୍ସ ନାହିଁ। ତଥାପି ସେବା ବନ୍ଦ ହୋଇନାହିଁ। ‌ଏହା ସତ୍ତ୍ବେ ମଠକୁ ଅନ୍ୟ ହାତରେ ଟେକି ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ମଠର ୨ଏକରରୁ ଅଧିକ ଜମି ରହିଛି। ସହରର ଶ୍ରୀମନ୍ଦିରର ପଶ୍ଚିମପାର୍ଶ୍ବ ବାସେଳିସାହି ମୌଜାରେ ଖାତା ୮୭୨ରେ ୬୧୭ ନମ୍ବର ପ୍ଲଟ୍‌ରେ ଥିବା ବିଜେସ୍ଥଳୀ ୧୯୭୭ ବନ୍ଦୋବସ୍ତରେ ମଠ ନାମରେ ଥିଲା। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏବେ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ରେକର୍ଡଭୁକ୍ତ ହୋଇଛି। ଐତିହ୍ୟ ପୁନରୁଦ୍ଧାର ଲାଗି ହୃଦୟ ଯୋଜନାରେ ମଠକୁ ଅନ୍ତର୍ଭୁକ୍ତ କରାଯାଇଥିଲା ଓ କାର୍ଯ୍ୟ ଚାଲିଛି। କିନ୍ତୁ ବିଜେସ୍ଥଳୀର କିୟଂଦଶ ବିକ୍ରି କରିବାକୁ (ପରିଚାଳନା କମିଟି ବୈଠକ ଚିଠି ସଂଖ୍ୟା: ୯୪୨୯/ତାରିଖ: ୩୧/୦୮/୨୦୧୯) ଏହାର ମୂଲ୍ୟ ନିରୂପଣ ହେଲେଣି ବୋଲି ମହନ୍ତ କହିଛନ୍ତି। ପୂର୍ବରୁ ମଧ୍ୟ ସେ ଏହି ମଠର ଜମିକୁ ସୁରକ୍ଷା ଦେବାକୁ ଆଗେଇ ଆସିଥିଲେ। ସେବେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ବୋମା ପକାଇ ଭୟଭୀତ କରାଯାଇଥିଲା।

ମଠ ମହନ୍ତ ଶ୍ରୀ ଦାସ ଗୋସ୍ବାମୀ କହିଛନ୍ତି, ଶ୍ରୀମନ୍ଦିରର ଅତିରିକ୍ତ ପ୍ରଶାସକ (ରାଜସ୍ବ) ନିଜେ ବଡ଼ ଓଡ଼ିଆ ମଠ ପରିଦର୍ଶନରେ ଆସି ଜମି ହସ୍ତାନ୍ତର ସମ୍ବନ୍ଧୀୟ ତିନିଟି ହାତଲେଖା ପଟ୍ଟାର ନକଲ ଦେଖାଇଥିଲେ। ଏଥିରେ ଥିବା ତତ୍କାଳୀନ ଅଧିକାରୀ ବୃନ୍ଦାବନ ଦାସ ଗୋସ୍ବାମୀଙ୍କ ଦସ୍ତଖତ ମେଳ ଖାଉନାହିଁ। ସେ ତାଙ୍କର ଦସ୍ତଖତ ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତି ମହାରାଜଙ୍କୁ ପ୍ରମାଣସ୍ବରୂପ ପ୍ରଦାନ କରିଛନ୍ତି। ୧୯୩୭ରେ ବିମାନବଡ଼ୁ କୋଠା ନାମରେ କରାଯାଇଥିବା ହାତପଟ୍ଟାରେ ଅଧିକାରୀ ବୃନ୍ଦାବନଙ୍କ ବୟସ ୪୨ ଉଲ୍ଲେଖ ଥିଲେ ହେଁ ମୃତ୍ୟୁ ପ୍ରମାଣପତ୍ର ଭିନ୍ନ କଥା ବୟାନ କରୁଛି। ପୁଣି ୨୦୦୨ରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି ଯେ ମଠର ବିଜେସ୍ଥଳୀ ବିକ୍ରି-ଖରିଦ ବା ହସ୍ତାନ୍ତର ହୋଇପାରିବ ନାହିଁ। ଏବେ ପୁଣି ଏ ଉଦ୍ୟମ କାହିଁକି? ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି, ମୁଁ ଏପର୍ଯ୍ୟନ୍ତ ସେପରି ଚିଠି ପାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe