ଆଦର୍ଶ ଥାନାରେ ଜମି କାରବାର! : ମାଫିଆଙ୍କ ସହ କନେଷ୍ଟବଳ ଗିରଫ, ଆଦିବାସୀ ବିଧବା ମହିଳାଙ୍କୁ ମାଡ଼

ବଲାଙ୍ଗୀର : ଟାଉନ ଥାନା ହେଉଛି ବଲାଙ୍ଗୀର ଜିଲ୍ଲାର ଆଦର୍ଶ ଥାନା। ହେଲେ ଆଦର୍ଶ ଥାନା ଏବେ ସାଜିଛି ଜମି ମାଫିଆଙ୍କ କାର୍ଯ୍ୟାଳୟ। ଜମି ମାଫିଆଙ୍କୁ ଏବେ ଖାକିବର୍ଦ୍ଦି ସହାୟତା ଯୋଗାଉଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣାରେ ଗିରଫ ହୋଇଛନ୍ତି ଜଣେ ଜମିମାଫିଆଙ୍କ ସହ ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳ। ଖାକି ବର୍ଦ୍ଦି ଆଢ଼ୁଆଳରେ ରାଇଟର ଭାବେ କାମ କାରୁଥିବା କନେଷ୍ଟବଳ ଅଞ୍ଜନ ପ୍ରଧାନ ଜମି ମାଫିଆଙ୍କ ସମ୍ପର୍କରେ ରହି ଦଲାଲ ଭାବରେ କାରବାର ଚଳାଇ ଏବେ ଧରାପଡ଼ିଛନ୍ତି।

ପ୍ରକାଶ ଯେ, ବଲାଙ୍ଗୀର ଗାନ୍ଧୀ ନଗରପଡ଼ାର ବିଧବା ମହିଳା ଭୁବନେଶ୍ୱରୀ ବେହେରା(୪୦)ଙ୍କ ଦେଡ଼ଶୁର କିଛି ଘର ଜମି ବିକ୍ରି କରିବାକୁ ଚାହୁଁଥିଲେ। ଏହି ଜମି ବିକ୍ରି କାରବାରରେ କନେଷ୍ଟବଳ ଅଞ୍ଜନ ପ୍ରଧାନ ଦଲାଲ ସାଜିଥିଲେ। ଉକ୍ତ ଜମିର ଅଂଶୀଦାର ଭୁବନେଶ୍ୱରୀ ଥିବାରୁ ତାଙ୍କଠାରୁ ନୋ-ଅବଜେକ୍ସନ ସାର୍ଟିଫିକେଟର ଆବଶ୍ୟକତା ଥିଲା। ଅଞ୍ଜନ ବିଭିନ୍ନ ସମୟରେ ଭୁବନେଶ୍ୱରୀଙ୍କ ଘରକୁ ଯାଇ ପ୍ରଭାବିତ କରୁଥିଲେ। କୌଣସି ଉପାୟ କାମ ନ ଦେବାରେ ସୋମବାର ତାଙ୍କ ଦୁଇ ନାବାଳକ ପୁତ୍ରଙ୍କ ସହ କିଛି ବନ୍ଧୁଙ୍କୁ ପିସିଆର ଭ୍ୟାନରେ ଥାନାକୁ ଅଣାଯାଇଥିଲା। ମଙ୍ଗଳବାର ତାଙ୍କ ପୁଅଙ୍କୁ ଥାନାରୁ ନେଇଯିବା ପାଇଁ ଭୁବନେଶ୍ୱରୀଙ୍କୁ ଅଞ୍ଜନ ଡକାଇଥିଲେ। ଥାନାରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିବା ପାଇଁ ଦସ୍ତଖତ ନେବା ବେଳେ ସେହି କାଗଜ ତଳେ ଥିବା ଅନ୍ୟ ଏକ ଷ୍ଟାମ୍ପ ପେପରରେ ମଧ୍ୟ ଦସ୍ତଖତ ନିଆଯାଇଥିଲା। ଦସ୍ତଖତ ଦେବା ପରେ ଭୁବନେଶ୍ୱରୀ ସନ୍ଦେହ କରି ଜାଣି ପାରିଥିଲେ। ଷ୍ଟାମ୍ପ ପେପରରେ ଦସ୍ତଖତ ନେବା ଦେଖିବା ପରେ ସେ ତାକୁ ଧରି ଦୌଡ଼ିଥିଲେ। ବିଧବା ମହିଳା ହାତରେ ଏକ କାଗଜ ନେଇ ପ୍ରାଣମୂର୍ଚ୍ଛା ଦୌଡୁଥିବା ସମୟରେ ତାଙ୍କୁ ଗୋଡ଼ାଉଥିଲେ ଅଞ୍ଜନ ପ୍ରଧାନ। ଅଞ୍ଜନଠାରୁ ଖବର ପାଇ ଜମିମାଫିଆ ବିକାଶ ଜୈନ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଉଭୟେ ଆଦିବାସୀ ବିଧବା ମହିଳାଙ୍କୁ ସର୍ବସାଧାରଣ ସ୍ଥାନରେ ମାଡ଼ ମାରିଥିଲେ। ପରେ ରାତି ୧୨ଟାରେ ମହିଳା ଜଣକ ତାଙ୍କ ବାପାଙ୍କ ସହ ଆସି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ନଂ-୩୫୧/୧୯ରେ ମାମଲା ରୁଜୁ କରିଥିଲା।

ପୁଲିସ ଅଞ୍ଜନ ଓ ବିକାଶଙ୍କୁ କୋର୍ଟ ଚାଲାଣ କରିଥିଲା। କିନ୍ତୁ, କୋର୍ଟରେ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଉଭୟଙ୍କୁ ଜାମିନ ମିଳିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe