କୂଳ ଖାଉଛି ଉତ୍ତାଳ ଢେଉ: ପ୍ରକଳ୍ପ ପାଇଁ ବାଧକ ସିଆର୍‌ଜେଡ୍‌ ନିୟମ

ପ୍ରତି ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସମୁଦ୍ର ଜୁଆର କୂଳ ଲଙ୍ଘୁଛି। ଉତ୍ତାଳ ତରଙ୍ଗ ଯୋଗୁ ସହସ୍ରାଧିକ ଏକର ସ୍ଥଳଭାଗ ସମୁଦ୍ର ଗର୍ଭରେ ଲୀନ ହୋଇଯାଉଛି। ସମୁଦ୍ର କୂଳବର୍ତ୍ତୀ ଗାଁ’କୁ ସୁରକ୍ଷା ଦେଉଥିବା ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ, ହେନ୍ତାଳ ବଣ ମଧ୍ୟ ଧୀରେ ଧୀରେ ନିଶ୍ଚିହ୍ନ ହୋଇଯାଉଛି।

hhfshfsht

ସତ୍ୟବ୍ରତ ପ୍ରଧାନ
ଜଳେଶ୍ୱର: ପ୍ରତି ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସମୁଦ୍ର ଜୁଆର କୂଳ ଲଙ୍ଘୁଛି। ଉତ୍ତାଳ ତରଙ୍ଗ ଯୋଗୁ ସହସ୍ରାଧିକ ଏକର ସ୍ଥଳଭାଗ ସମୁଦ୍ର ଗର୍ଭରେ ଲୀନ ହୋଇଯାଉଛି। ସମୁଦ୍ର କୂଳବର୍ତ୍ତୀ ଗାଁ’କୁ ସୁରକ୍ଷା ଦେଉଥିବା ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ, ହେନ୍ତାଳ ବଣ ମଧ୍ୟ ଧୀରେ ଧୀରେ ନିଶ୍ଚିହ୍ନ ହୋଇଯାଉଛି। ଏଥିଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ସମୁଦ୍ର ବେଳାଭୂମିକୁ ଲାଗିଥିବା ୨୦ରୁ ଊର୍ଦ୍ଧ୍ବ ଗାଁ। ଅନ୍ୟପଟେ ସମୁଦ୍ର ଆଁରେ ଥିବା ଏହି ଗାଁଗୁଡ଼ିକୁ ସୁରକ୍ଷା ଦେବା ପାଇଁ ତାଳସାରୀରୁ ଭୂଷଣ୍ଡେଶ୍ୱର ଯାଏ ପଥରବନ୍ଧ ତିଆରି କରିବାକୁ ୨୧୫ କୋଟି ଟଙ୍କାର ୯ଟି ତଟ ସୁରକ୍ଷା ଯୋଜନା ଏବେ ସରକାରଙ୍କ ଶୀତଳଭଣ୍ଡାରରେ ପଡ଼ିରହିଛି। 

ଭୋଗରାଇ ବ୍ଲକ୍ ତାଳସାରୀରୁ ଭୂଷଣ୍ଡେଶ୍ୱର ଯାଏ ସମୁଦ୍ର ବେଳାଭୂମିର ଦୂରତା ୧୬ କିମି। ଏହି ଅଞ୍ଚଳରେ ଗମ୍ଭାରିଆ, ବିନ୍ଧାପଦ୍ମପୁର, ମଙ୍ଗରାଜପୁର, କନ୍ୟାନଗରୀ, ଖଡ଼ିବିଲ, ବିଚିତ୍ରପୁର, ବଡ଼ପାହି, ନାରାଣମାହାନ୍ତି ପଡ଼ିଆ, ଚନ୍ଦ୍ରାବାଲି ଓ କୀର୍ତ୍ତନିଆ ଆଦି ୨୦ରୁ ଉର୍ଦ୍ଧ୍ବ ଗାଁ ରହିଛି। ତଟ ସୁରକ୍ଷା ପାଇଁ ଦାବି ହେବାପରେ ତାଳସାରୀରୁ ଭୂଷଣ୍ଡେଶ୍ୱର ଯାଏଁ ୧୬ କିମି ବେଳାଭୂମି ଅଞ୍ଚଳରେ  ଜଳସମ୍ପଦ ବିଭାଗ ପକ୍ଷରୁ ୯ଟି ସୁରକ୍ଷା ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲା। ତାଳସାରୀ ଜେଟିରୁ କୃଷ୍ଣନଗର ଯାଏ ୩୧ କୋଟି ବ୍ୟୟ ଅଟକଳ ହୋଇଥିବା ବେଳେ କୃଷ୍ଣନଗରରୁ କନ୍ୟାନଗରୀ ଯାଏ ୨୨ କୋଟି ୯୯ ଲକ୍ଷ, କନ୍ୟାନଗରୀରୁ ବିଚିତ୍ରପୁର ଯାଏ ୨୧ କୋଟି ୭୦ ଲକ୍ଷ, ବିଚିତ୍ରପୁରରୁ ବଡ଼ପାହି ଯାଏ ୧୭ କୋଟି ୮୦ ଲକ୍ଷ, ବଡ଼ପାହିରୁ ମାଟିକେଞ୍ଚା ଯାଏ ୨୫ କୋଟି ୪୧ ଲକ୍ଷ, ମାଟିକେଞ୍ଚାରୁ କୀର୍ତ୍ତନିଆ ଯାଏ ୨୬ କୋଟି ୩୯ ଲକ୍ଷ, କୀର୍ତ୍ତନିଆରୁ ସାହାଡ଼ାବଣିଆ ଯାଏ ୨୮ କୋଟି ୬୩ ଲକ୍ଷ, ସାହାଡ଼ାବଣିଆରୁ କୀର୍ତ୍ତନିଆ ଜଳପାହି ଯାଏ ୨୧ କୋଟି ୭୭ ଲକ୍ଷ ଓ କୀର୍ତ୍ତନିଆ ଜଳପାହିରୁ ଭୂଷଣ୍ଡେଶ୍ୱର ମନ୍ଦିର ଯାଏ ୧୯ କୋଟି ୩୪ ଲକ୍ଷ ବ୍ୟୟ ଅଟକଳ ହୋଇଥିଲା। 

ଉପରୋକ୍ତ ୯ଟି ସୁରକ୍ଷା ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି (ଟିଏସି) ଗତ ୨୦୨୨ ମସିହା ମେ ୪ ତାରିଖରେ ଅନୁମୋଦନ ଦେଇଥିଲା। ଏହା ଭିତରେ ୨୮ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇନାହିଁ। ଏପଟେ ସମୁଦ୍ର କୂଳ ଲଙ୍ଘି ଗାଁ ମୁହାଁ ହେଉଥିବାରୁ ଲୋକଙ୍କ ଚିନ୍ତା ବଢ଼ିଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ, ଉକ୍ତ ୧୬ କିମି ବେଳାଭୂମିରେ ପଥରବନ୍ଧ ସହ ବନ୍ଧ କଡ଼େକଡ଼େ ଗମନାଗମନ ପାଇଁ ରାସ୍ତା ମଧ୍ୟ ନିର୍ମାଣ ହୋଇଥା’ନ୍ତା। ଏ ନେଇ ଜଳସମ୍ପଦ ବିଭାଗ ଭୋଗରାଇ ବ୍ଲକ୍‌ ରଣକୋଠା ସେକସନ୍‌ର ସହକାରୀ ଯନ୍ତ୍ରୀ ଡାକ୍ତର ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ଜୁଆର ବେଳେ ପଥରବନ୍ଧରେ ବାଡ଼େଇ ହୋଇ ସାମୁଦ୍ରିକ ଜୀବଙ୍କର ପ୍ରାଣହାନିର ଆଶଙ୍କା ଥିବାରୁ ଏହି ୯ଟି ସୁରକ୍ଷା ପ୍ରକଳ୍ପ ପାଇଁ ସିଆର୍‌ଜେଡ୍‌ (କୋଷ୍ଟାଲ ରେଗୁଲେସନ୍‌ ଜୋନ୍‌) ପକ୍ଷରୁ ଆପତ୍ତି ଉଠିଛି। ତେଣୁ ଦକ୍ଷିଣ ଭୋଗରାଇର ସୁରକ୍ଷା ପାଇଁ ପରିବେଶ ଅନୁକୂଳ ପଥରବନ୍ଧ ସହ ରାସ୍ତା ନିର୍ମାଣ ହେବା ଦରକାର। ସରକାର ଅର୍ଥ ମଞ୍ଜୁର କଲେ ଏ ନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe