ଆଇନ ଉଲ୍ଲଂଘନ କରି ଦେବୋତ୍ତର ଜମିରେ ଫରେଷ୍ଟ ପାର୍କ ନିର୍ମାଣ କରିବା ଘଟଣା: ବାର୍ଷିକ ୬ ଲକ୍ଷ ଟଙ୍କା ଭଡ଼ା ଦେବାକୁ ଜିଲ୍ଲାପାଳଙ୍କୁ ଦେବୋତ୍ତର କମିସନରଙ୍କ ନିର୍ଦେଶ

Advertisment
ଆଇନ ଉଲ୍ଲଂଘନ କରି ଦେବୋତ୍ତର ଜମିରେ ଫରେଷ୍ଟ ପାର୍କ ନିର୍ମାଣ କରିବା ଘଟଣା: ବାର୍ଷିକ ୬ ଲକ୍ଷ ଟଙ୍କା ଭଡ଼ା ଦେବାକୁ ଜିଲ୍ଲାପାଳଙ୍କୁ ଦେବୋତ୍ତର କମିସନରଙ୍କ ନିର୍ଦେଶ

ସୋନପୁର : ଆଇନ ଉଲ୍ଲଂଘନ କରି ଦେବୋତ୍ତର ଜମିରେ ଫରେଷ୍ଟପାର୍କ ନିର୍ମାଣ କରିବା ଘଟଣାର ବିଚାର କରି ଦେବୋତ୍ତର କମିସନର ବାର୍ଷିକ ୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆବେଦନକାରୀ ପ୍ରମୋଦ ମହାପାତ୍ର, ଗିରିଗୋବର୍ଦ୍ଧନ ଥନାପତି, କଣ୍ଠେଶ୍ବର ପୂଝାରୀ ସବିଶେଷ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ ମସିହାରେ ସୋନପୁର ସହର ମାଣିକେଶ୍ବରୀ ମନ୍ଦିର ସମ୍ମୁଖରେ ଥିବା ସୋନପୁରର ଇଷ୍ଟଦେବତା ସୁବର୍ଣ୍ଣମେରୁ ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ମୂଲ୍ୟର ୬ ଏକର ଜମି ଧାରା ୧୯ ଓଏଚ୍‌ଆର୍‌ଇ ଆକ୍ଟ ୧୯୫୧ର ଉଲ୍ଲଂଘନ କରି ବେଆଇନ ଭାବରେ ଓଡ଼ିଶା ସରକାର ଜିଲ୍ଲାପାଳଙ୍କ ଜରିଆରେ ଜବରଦଖଲ କରି ସେଠାରେ ଫରେଷ୍ଟପାର୍କ ନିର୍ମାଣ କରିଥିଲେ। ଏହାର ପ୍ରତିବାଦରେ ସୋନପୁରର ପ୍ରମୋଦ ମହାପାତ୍ର, ଗିରିଗୋବର୍ଦ୍ଧନ ଥନାପତି, କଣ୍ଠେଶ୍ବର ପୂଝାରୀ, ହରିଶଙ୍କର ପଣ୍ଡା ପ୍ରମୁଖ ସୁବର୍ଣ୍ଣମେରୁଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଚ୍ଚନ୍ୟାୟାଳୟର ଦ୍ବାରସ୍ଥ ହୋଇ ରିଟ୍‌ ପିଟିସନ ଦାଖଲ କରିଥିଲେ। ରିଟ୍‌ ପିଟିସନ ନମ୍ବର ଡବ୍ଲୁପି(ସି)୧୪୨୮୮/୨୦୧୪ ଅନୁଯାୟୀ ଉଚ୍ଚନ୍ୟାୟାଳୟରେ ଏକ ମକଦ୍ଦମା ଦାଏର ହୋଇ ବିଚାର ଚାଲିଥିଲା। ଏଥିରେ ଓଡ଼ିଶା ସରକାରଙ୍କ ଆଇନ ବିଭାଗ ମୁଖ୍ୟ ସଚିବ, ଦେବୋତ୍ତର କମିସନର, ସୁବର୍ଣ୍ଣପୁର ଜିଲ୍ଲାପାଳ, ସୋନପୁର ଉପଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ସମସ୍ତ ପକ୍ଷଙ୍କୁ ଶୁଣାଣି କରି ଉଚ୍ଚନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବେଞ୍ଚରେ ଗତ ଫେବୃଆରି ୨୨ ତାରିଖରେ ଦେବୋତ୍ତର କମିସନରଙ୍କୁ ଅନ୍ତିମ ଶୁଣାଣି କରି ୨୮ ଦିନ ମଧ୍ୟରେ ବିହିତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ।

ଦେବୋତ୍ତର କମିସନରଙ୍କ ଅଦାଲତ ସମସ୍ତ ପକ୍ଷଙ୍କୁ ଗତ ମାର୍ଚ୍ଚ ୧୫ ତାରିଖରେ ଅଦାଲତରେ ପକ୍ଷ ରଖିବାକୁ ଜଣାଇଥିଲେ। ଏହି ଅଦାଲତରେ ଆବେଦନକାରୀ ଗିରିଗୋବର୍ଦ୍ଧନ ଥନାପତିଙ୍କ ତରଫରୁ ଓକିଲ ଅଭିଳାଷ ମିଶ୍ର ଓ ନିଜେ ଆବେଦନକାରୀ ପ୍ରମୋଦ ମହାପାତ୍ର ସୁବର୍ଣ୍ଣମେରୁଙ୍କ ପକ୍ଷରୁ ଉପସ୍ଥାପପନ କରିଥିଲେ। ଏଥିରେ ଅନ୍ୟମାନେ ମଧ୍ୟ ନିଜ ନିଜର ପକ୍ଷ ରଖିଥିଲେ। ଦେବୋତ୍ତର କମିସନ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦେଶମତେ ଗତ ‌ଫେବ୍ରୁଆରି ୩୦ ତାରିଖ ଦିନ ରାୟ ପ୍ରକାଶ କରିଥିଲେକି ସରାକାର ତାଙ୍କ ଏଜେନ୍ସି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ଆଇନ ଉଲ୍ଲଂଘନ କରି ଦେବୋତ୍ତର ଜମି ଜବରଦଖଲ କରିଛନ୍ତି। ଜିଲ୍ଲାପାଳ/ସରକାର ଧାରା ୧୯ ଓଏଚ୍‌ଆର୍‌ଇ ୧୯୫୧ ଅନୁଯାୟୀ ଦେବୋତ୍ତର ଅଧିକାରୀ ତଥା ସୋନପୁର ଉପଜିଲ୍ଲାପାଳଙ୍କ ଜରିଆରେ ଉକ୍ତ ଜମିର ମୂଲ୍ୟ ଦେଇ କିଣିବା କିଂବା ଲିଜ୍‌ରେ ନେବା ଇତ୍ୟାଦି ପାଇଁ ଦେବୋତ୍ତର କମିସନରଙ୍କଠାରୁ ଅନୁମତିପ୍ରାପ୍ତ ପାଇଁ ଆବେଦନ କରିବେ। ଅନୁମତିପ୍ରାପ୍ତ ହୋଇ ଜମି ମୂଲ୍ୟ ଦେଇ କିଣିବା କିଂବା ଉକ୍ତ ଜମି ବ୍ୟବହାର ପାଇଁ ଜିଲ୍ଲାପାଳ ଦେବୋତ୍ତର ଅଧିକାରୀ ତଥା ସୋନପୁର ଉପଜିଲ୍ଲାପାଳଙ୍କ ସହ ଲିଜ୍‌ ଏଗ୍ରିମେଣ୍ଟ କରିବା ପର୍ଯ୍ୟନ୍ତ ଉକ୍ତ ୬ ଏକର ଜମି ବେଆଇନ ଦଖଲ କରି ବ୍ୟବହାର କରୁଥିବାରୁ ସରକାରୀ ସଂସ୍ଥା ୨୫.୭.୨୦୧୪ରୁ ଏହି ବାବଦକୁ ଟଙ୍କା ପୈଠ କରିବେ। ଏଣୁ ଜିଲ୍ଲାପାଳ ୨୫.୭.୨୦୧୪ରୁ ପ୍ରତିବର୍ଷ ୬ ଲକ୍ଷ ଟଙ୍କା ଲେଖାଏଁ ବାର୍ଷିକ ଭଡ଼ା ଦେବାକୁ ନିର୍ଦେଶ ଦିଆଯାଇଛି। ଏହି ୬ ଲକ୍ଷ ଟଙ୍କା ସୋନପୁର ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ସରକାର/ଜିଲ୍ଲାପାଳଙ୍କଠାରୁ ଅସୁଲି କରି ସୁବର୍ଣ୍ଣମେରୁ ମହାଦେବଙ୍କ ନାମରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲି ଉକ୍ତ ଆକାଉଣ୍ଟରେ ଜମା କରିବେ। ଏହି ଜମା ଟଙ୍କାର ସୁଧ ରାଶି ସୁବର୍ଣ୍ଣମେରୁଙ୍କ ସେବା ପୂଜା ଉନ୍ନୟନ କାର୍ଯ୍ୟରେ କେବଳ ଖର୍ଚ୍ଚ କରାଯାଇପାରିବ।

ଭଡ଼ା ବାବଦକୁ ଏହି ୬ ଲକ୍ଷ ଟଙ୍କା ଯଦି ପ୍ରତିବର୍ଷ ଜାନୁଆରି ଶେଷ ସୁଦ୍ଧା ପୈଠ ନହୁଏ ତାହେଲେ ସୋନପୁର ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଏହି ପାର୍କରେ ତାଲା ପକାଇବେ ବୋଲି ନିର୍ଦେଶନାମାରେ ଦର୍ଶାଯାଇଛି। ସରକାର/ଜିଲ୍ଲାପାଳ ହେଉଛନ୍ତି ଆଇନର ରକ୍ଷକ ତେବେ ସେମାନେ ଆଇନ ଉଲ୍ଲଂଘନ କରିବା ଏବଂ ଏହି ଅଭିଯୋଗ ଉଚ୍ଚନ୍ୟାୟାଳୟ/ଦେବୋତ୍ତର କମିସନରଙ୍କ ଅଦାଲତ ଦ୍ବାରା ସାବ୍ୟସ୍ତ ହେବା ପ୍ରମାଣିତ କରୁଛି ରାଜ୍ୟରେ ମେରିରାୟ ଶାସନ ଚାଲିଛି ବୋଲି ଆବେଦନାକରୀମାନେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe