ହୋମ୍‌ଷ୍ଟେଡ୍ ଲିଜ୍‌ରେ ଜମି ନେଇ ଆପାର୍ଟମେଣ୍ଟ ନିର୍ମାଣ: ୭ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ନୋଟିସ

ହୋମ୍‌ଷ୍ଟେଡ୍ ଲିଜ୍‌ରେ ଜମି ନେଇ ଆପାର୍ଟମେଣ୍ଟ ନିର୍ମାଣ: ୭ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ନୋଟିସ

ପୁରୀ: ପୁରୀ ଷ୍ଟେସନ ରୋଡ୍‌ରେ ସରକାରଙ୍କଠାରୁ ହୋମ୍‌ଷ୍ଟେଡ୍ ଲିଜ୍‌ରେ ନିଆଯାଇଥିବା ଜମି ଉପରେ ଛଅ ମହଲା ବିଶିଷ୍ଟ ବ୍ୟାବସାୟିକ ଆପାର୍ଟମେଣ୍ଟ୍‌ ନିର୍ମାଣ କରାଯାଉଥିବାରୁ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଆସନ୍ତା ୨ ତାରିଖ ସୁଦ୍ଧା ଜବାବ ଦେବାକୁ ପୁରୀ ତହସିଲଦାର ନୋଟିସ୍‌ କରିଛନ୍ତି।

ପୁରୀ ଷ୍ଟେସନ ରୋଡ୍‌ ଜିଲ୍ଲା ସ୍କୁଲ ସମ୍ମୁଖରେ ପ୍ରାୟ ଏକ ଏକରର ମୂଲ୍ୟବାନ ଜମି ହୋମ୍‌ ଷ୍ଟେଡ୍‌ ଲିଜ୍‌ରେ ଜିଲ୍ଲା ପ୍ରଶାସନଠାରୁ ନିଆଯାଇଥିଲା। ଏବେ ଏହି ଜମି ଉପରେ ପ୍ରାୟ ୬ ମହଲା ବିଶିଷ୍ଟ ଏହି କୋଠା ନିର୍ମାଣ କରାଯାଇ ବ୍ୟବସାୟିକ ସଂସ୍ଥା ଭାବେ ବ୍ୟବହାର କରାଯାଇଛି। ନାମୀ ଦାମୀ କମ୍ପାନିକୁ ଏଠାରେ ବ୍ୟବସାୟ କରିବାକୁ ଭଡ଼ାରେ ଦେଇ କୋଟି କୋଟି ଟଙ୍କା ଆଦାୟ କରାଯାଇଛି। ଏହା ଜଣାପଡ଼ିବା ପରେ ପୁରୀ ତହସିଲଦାରଙ୍କ ଖାସମାହାଲ ବିଭାଗ ପକ୍ଷରୁ ପୁରୀ ଝାଡ଼େଶ୍ବରୀସାହି ୟୁନିଟ ୨୯ରେ ରହୁଥିବା କୋଲକାତାର ବାଲିଗଞ୍ଜ ସର୍କୁଲାର ରୋଡ୍‌ରେ ଥିବା ଗିରିକୁଞ୍ଜ ଟ୍ରେଡ୍‌ ଲିଙ୍କ୍‌ ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକଙ୍କୁ ଗତ ୨୫ ତାରିଖରେ ଚିଠି ସଂଖ୍ୟା ୬୮୭୯ରେ ନୋଟିସ୍‌ ଜାରି କରାଯାଇଛି।

ଏହି ନୋଟିସ୍‌ରେ ଦର୍ଶାଯାଇଛି ଯେ ଲିଜ୍‌ର ଚୁକ୍ତିନାମାକୁ ଉଲ୍ଲଂଘନ କରାଯାଇ ଝାଡ଼େଶ୍ବରୀସାହି ମୌଜା ଖାତା ନମ୍ବର ୨୩୪ର ୩୮୬/୫୮୩ ଓ ୩୮୫/୭୯୦ ପ୍ଲଟ୍‌ରେ ଅନନ୍ତ ଆପାର୍ଟମେଣ୍ଟ ନାମରେ ବ୍ୟବସାୟିକ ସଂସ୍ଥା ଭାବେ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରାଯାଇଛି। ପ୍ରଥମ ମହଲା ଓ ଦ୍ବିତୀୟ ମହଲାକୁ ବ୍ୟାବସାୟିକ ସଂସ୍ଥାଙ୍କୁ ଦିଆଯାଇଥିବା ବେଳେ ତୃତୀୟ, ଚତୁର୍ଥ ଓ ପଞ୍ଚମ ମହଲାକୁ ଆପାର୍ଟମେଣ୍ଟ ଭାବେ ବ୍ୟବହାର କରାଯାଉଛି। ତେଣୁ ଏହି ଜମିର ଲିଜ୍‌ କାହିଁକି ବାତିଲ କରାନଯିବ, ଆସନ୍ତା ୭ ଦିନ ମଧ୍ୟରେ ଏହାର କାରଣ ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ ତହସିଲଦାର ନୋଟିସ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe