କୋରେଇ : ଦୁଇବର୍ଷ ତଳେ ନିଜ ଭେଣ୍ତିଆ ପୁଅକୁ ହରାଇଥିଲେ ବୃଦ୍ଧ ବାପା। ସେବେ ଗାଁରେ ଶେଷକୃତ୍ୟ କରିବା ପାଇଁ ମଶାଣିଟିଏ ନଥିଲା। ଗାଁ ମୁଣ୍ତରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ତାଙ୍କୁ ପୁଅର ଶବ ସତ୍କାର କରିବାକୁ ପଡ଼ିଥିଲା। ସେହିଦିନଠାରୁ ଗାଁରେ ମଶାଣିଟିଏ ନିର୍ମାଣ କରିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଏବେ ଏହା​ ବାସ୍ତବ ରୂପ ନେଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ସାଦକପୁର ପଞ୍ଚାୟତ ୧ ନମ୍ବର ୱାର୍ଡର ବାସିନ୍ଦା ଅବସରପ୍ରାପ୍ତ ସେନା କର୍ମଚାରୀ ରବିନାରାୟଣ ଓଝାଙ୍କ ଏହି କାର୍ଯ୍ୟକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି।
ରବିନାରାୟଣଙ୍କ ୩ ପୁଅଙ୍କ ମଧ୍ୟରୁ ମଧ୍ୟମପୁତ୍ର ଅନୀଲ ସେନାବାହିନୀରେ କାର୍ଯ୍ୟରତ ଥିଲେ। ୨୦୨୧ ଫେବ୍ରୁଆରିରେ ସେ ଛୁଟିରେ ଘରକୁ ଆସିଥିଲେ। ଗାଧୁଆଘରେ ଗୋଡ଼ ଖସିଯିବାରୁ ପଡ଼ିଯାଇ ମୁଣ୍ତ ଫାଟି ଯାଇଥିଲା। ପ୍ରଥମେ କୋରେଇ ଡାକ୍ତରଖାନା ଓ ପରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ଅବସ୍ଥା ନସୁଧୁରିବାରୁ ତାଙ୍କୁ କୋଲକାତାସ୍ଥିତ କମାଣ୍ତ ହସ୍ପିଟାଲରେ ନିଆଯାଇଥିଲା। ସେଠାରେ ୨୦୨୧ ଏପ୍ରିଲ ୧୧ରେ ତାଙ୍କର ମୃତ୍ୟୁ ହୋଇଥିଲା। ଗାଁକୁ ମୃତଦେହ ଆଣିବା ପରେ କୌଣସି ଜାଗା ନପାଇ ଏକ ପରିତ୍ୟକ୍ତ ସ୍ଥାନରେ ଶେଷକୃତ୍ୟ କରିଥିଲେ। ଏହାକୁ ସେ ସହଜରେ ଗ୍ରହଣ କରିପାରି ନଥିଲେ। ଆଉ କେହି ଯେମିତି ଏଭଳି ପରିତ୍ୟକ୍ତ ପରିବେଶରେ ଶବ ସତ୍କାର ନ କରିବେ ସେଥିପାଇଁ ଶ୍ମଶାନ ନିର୍ମାଣ କାମ ଆରମ୍ଭ କରିଥିଲେ। ନିଜ ପେନ୍ସନ୍ ଟଙ୍କାରୁ ପ୍ରାୟ ଦେଢ଼ଲକ୍ଷ ଖର୍ଚ୍ଚ କରିବା ପରେ ଅଧାଅଧିକ କାମ ସରିଯାଇଥିଲା।
/sambad/media/post_attachments/wp-content/uploads/2023/05/jajpur-ss.jpg)
ଏହା ଦେଖି ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର ବେହେରା ସହଯୋଗର ହାତ ବଢ଼ାଇଥିଲେ। ପ୍ରାୟ ଲକ୍ଷେ ଟଙ୍କା ଅନୁଦାନ ​ମିଳିବା ପରେ ଏବେ ମଶାଣିଟି ପୂର୍ଣ୍ଣାଙ୍ଗ ହୋଇଛି। ସେଠାକୁ ରାସ୍ତା ମଧ୍ୟ ତିଆରି ହୋଇଛି। ଗ୍ରାମର କୌଣସି ଲୋକ ଶବ ସତ୍କାର ପାଇଁ ହଇରାଣ ହେବେ ନାହିଁ ବୋଲି କୁହନ୍ତି ରବିନାରାୟଣ। ମଶାଣି ନିକଟରେ ଏକ ନଳକୂଅ ଖନନ କରାଗଲେ କାମରେ ଲାଗିପାରନ୍ତା ବୋଲି ସେ କହିଛନ୍ତି।
Follow Us