ଅଟକିଛି ନିୟମଗିରିରେ ଇକୋ କଟେଜ୍ ନିର୍ମାଣ, ୨୦୧୯ରୁ ପଡ଼ିଛି ୧ କୋଟି କେନ୍ଦ୍ରୀୟ ଅନୁଦାନ

ଅଟକିଛି ନିୟମଗିରିରେ ଇକୋ କଟେଜ୍ ନିର୍ମାଣ, ୨୦୧୯ରୁ ପଡ଼ିଛି ୧ କୋଟି କେନ୍ଦ୍ରୀୟ ଅନୁଦାନ

ଚିହ୍ନଟ ହୋଇପାରୁନି ସ୍ଥାନ, ବିଭାଗରୁ ବିଭାଗ ଘୂରି ବୁଲୁଛି ଟଙ୍କା
ଡଙ୍ଗରିଆଙ୍କ ସଂସ୍କୃତି, ଜୀବନଶୈଳୀର ପ୍ରଚାର ପ୍ରସାର ବାଧାପ୍ରାପ୍ତ

ରାୟଗଡ଼ା : ନିୟମଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ, ଡଙ୍ଗରିଆଙ୍କ ସଂସ୍କୃତି, ସଭ୍ୟତା, ଜୀବନଶୈଳୀର ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିୟମଗିରିରେ ଇକୋ କଟେଜ୍ ନିର୍ମାଣ କରିବାକୁ ୧ କୋଟି ଟଙ୍କାର ଅନୁଦାନ ମଧ୍ୟ ଯୋଗାଇ ଦେଇଛନ୍ତି। କିନ୍ତୁ ୨ ବର୍ଷ ହେଲା ସ୍ଥାନ ଚିହ୍ନଟ ହୋଇପାରୁନଥିବାରୁ ପ୍ରସ୍ତାବିତ ପ୍ରକଳ୍ପ ଫାଇଲରେ ହିଁ ସୀମିତ ରହିଛି। ଫଳରେ ଅନୁଦାନ ଅର୍ଥ ଡିକେଡିଏରୁ ଆଇଟିଡିଏ, ଆଇଟିଡିଏରୁ ଜଙ୍ଗଲ ବିଭାଗ ଏବଂ ଜଙ୍ଗଲ ବିଭାଗରୁ ଆଇଟିଡିଏର ଆକାଉଣ୍ଟକୁ ଘୂରି ବୁଲୁଛି।

ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଇକୋ କଟେଜ୍ ନିର୍ମାଣ ପାଇଁ ୧ କୋଟି ଅନୁଦାନ ଚାଟିକଣା ସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା (ଡିକେଡିଏ)କୁ ଆସିଥିଲା। ୨୦୧୯ ଜୁଲାଇ ୩୧ ତାରିଖରେ ଓଡ଼ିଶା ସରକାରଙ୍କ ଓପିଲିପି କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ମାନସୀ ନିମ୍ଭାଲ ଏ ସଂପର୍କରେ ଚିଠି ଲେଖି ରାୟଗଡ଼ା ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ନିୟମଗିରି ପାହାଡ଼ କିମ୍ବା ପାଦଦେଶରେ ନିର୍ମାଣ ହେବାକୁ ଥିବା ୪ଟି କଟେଜ୍ ପାରମ୍ପରିକ ଶୈଳୀରେ ନିର୍ମାଣ ହେବା ସହିତ କାଠ ଓ ବାଉଁଶର କାରୁକାର୍ଯ୍ୟ ରହିବ। କଟେଜ୍ ପରିସରରେ ଡଙ୍ଗରିଆଙ୍କ ଜୀବନଚର୍ଯ୍ୟା, ସଂସ୍କୃତି, ପର୍ବପର୍ବାଣୀ ସଂପର୍କିତ ସମସ୍ତ ଫଟୋଚିତ୍ର ସହିତ କାଫେଟେରିଆ, କିଚେନ୍ ଓ ଡାଇନିଂ ରୁମ୍ ରହିବ। ସମ୍ମୁଖ ପ୍ରବେଶ ପଥ ଆକର୍ଷଣୀୟ, ପାର୍ଶ୍ବ ଇଲାକାର ସୌନ୍ଦର୍ଯୀକରଣ, ପାନୀୟ ଜଳ ସୁବିଧା, ୨୪ ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥା ପାଇଁ ଇଲେକ୍ଟ୍ରି ଗ୍ରିଡ୍ ଓ ‌ସୋଲାର ପାୱାର ଷ୍ଟେସନ ପ୍ରତିଷ୍ଠାର ଯୋଜନା ରହିଛି। ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଡ୍ରାଇଭର, ଆଟେଣ୍ଡାଣ୍ଟଙ୍କ ପାଇଁ ଡର୍ମିଟାରିର ସୁବିଧା ମଧ୍ୟ କଟେଜ୍‌ରେ ରହିବ।

ଅନୁଦାନ, ଡିଜାଇନ୍ ଓ ଲେ ଆଉଟ୍ ପ୍ଲାନ୍ ପାଇବା ପରେ ଡିକେଡିଏ ପକ୍ଷରୁ ଗୁଣପୁର ଆଇଟିଡିଏକୁ କଟେଜ୍ ନିର୍ମାଣ ପାଇଁ ଅନୁଦାନ ପ୍ରଦାନ କରାଯାଇଥିଲା। ସଂରକ୍ଷିତ ଜଙ୍ଗଲରେ ଏହି ପ୍ରକଳ୍ପ ହେବାକୁ ଥିବାରୁ ଆଇଟିଡିଏ କର୍ତ୍ତୃପକ୍ଷ ରାୟଗଡ଼ା ଡିଏଫଓଙ୍କୁ ଚିଠି ଲେଖିବା ସହ ଜଙ୍ଗଲ ବିଭାଗ ଆକାଉଣ୍ଟକୁ ଟଙ୍କା ଟ୍ରାନ୍‌ସଫର୍ କରିଥିଲେ। ଜଙ୍ଗଲ ବିଭାଗ-ଡିକେଡିଏ କର୍ତ୍ତୃପକ୍ଷ ମିଳିତ ଭାବେ ନିୟମଗିରି ଅଞ୍ଚଳ ପରିଦର୍ଶନରେ ଯାଇ ଖଜୁରୀ ଗାଁରେ ଜାଗା ଚିହ୍ନଟ କରିଥିଲେ। ଗାଁ ନିକଟରେ ଥିବା ସରକାରୀ ଜମିକୁ ଜଣେ ଚାଷୀ ଅକ୍ତିଆର କରି ସପୁରୀ ଚାଷ କରୁଥିବାରୁ ଉକ୍ତ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ବିବାଦ ଉପୁଜିବାରୁ ଆରିସାକାନି ଗାଁ ନିକଟରେ ୧.୪୦ ଏକର ସରକାରୀ ଜମିକୁ ଚିହ୍ନଟ କରାଯାଇଥିଲା। ଜଙ୍ଗଲ ବିଭାଗ ଜେସିବି ମେସିନ୍ ଲଗାଇ ଜାଗା ସଫା କରିବା ସହ ମେଟାଲ୍, ଚିପସ୍ ପକାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ ଆରିସାକାନିରେ କଟେଜ୍ ନିର୍ମାଣ କରି ବନ ବିଭାଗ ଜନଜାତିଙ୍କ ଜୀବିକାକୁ ପ୍ରଭାବିତ କରିବା ସହ ଜଙ୍ଗଲରୁ ସଂଗ୍ରହ ବନଜାତ ଦ୍ରବ୍ୟ ବିକ୍ରି ପାଇଁ ବଜାରକୁ ଛାଡ଼ିବନି ବୋଲି କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ପ୍ରଚାର କରି ଡଙ୍ଗରିଆଙ୍କୁ ଭୂତାଇଥିଲେ। ଯାହାକୁ ନେଇ ଡଙ୍ଗରିଆ ଉତ୍ତ୍ୟକ୍ତ ହେବା ସହ ଇକୋ-କଟେଜ୍ ନିର୍ମାଣକୁ ଦୃଢ଼ ବିରୋଧ କରିଥିଲେ। ଡଙ୍ଗରିଆଙ୍କ ବିରୋଧ ପରେ ଇକୋ କଟେଜ୍ ନିର୍ମାଣ ସମ୍ଭବ ନଥିବା ଦର୍ଶାଇ ଡିଏଫଓ ଜିଲ୍ଲାପାଳଙ୍କୁ ଚିଠି ଲେଖିବା ସହ ଅନୁଦାନ ଅର୍ଥକୁ ପୁଣି ଥରେ ଆଇଟିଡିଏ ଆକାଉଣ୍ଟକୁ ପଠାଇ ଦେଇଛନ୍ତି। ୨୦୨୦ ସେପ୍ଟେମ୍ବରରୁ କଟେଜ୍ ନିର୍ମାଣ କାମ ବନ୍ଦ ଥିଲେ ମଧ୍ୟ ଆଜି ସୁଦ୍ଧା ଜାଗା ଚିହ୍ନଟରେ ଲାଗି ରହିଥିବା ସମସ୍ୟା ସମାଧାନ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନି। ନିୟମଗିରି ଅଞ୍ଚଳର ପଞ୍ଜିକୃତ ଗାଁ କଲ୍ୟାଣ ସମିତି ଦ୍ବାରା ଇକୋ କଟେଜ୍ ପରିଚାଳିତ ହେବାର ନିୟମ ଥିବାରୁ ଡଙ୍ଗରିଆଙ୍କ ଜୀବନ ଜୀବିକାରେ ପରିବର୍ତ୍ତନର ଆଶା ଥିଲା। ହେଲେ ପ୍ରଶାସନିକ ସ୍ଥାଣୁତା ପାଇଁ ନିୟମଗିରି ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଅଟକିବା ସହ ଡଙ୍ଗରିଆଙ୍କ ସଂସ୍କୃତି ପ୍ରଚାର ପ୍ରସାରରେ ବାଧା ଉପୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe