ବାଲେଶ୍ୱରରେ ଇଏସ୍‌ଆଇ ହସ୍‌ପିଟାଲ୍‌ ନିର୍ମାଣ ନେଇ ବାଟ ଫିଟିଲା

କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦଙ୍କ ଆଲୋଚନା, ଶୀଘ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

ବାଲେଶ୍ୱରରେ ଇଏସ୍‌ଆଇ ହସ୍‌ପିଟାଲ୍‌ ନିର୍ମାଣ ନେଇ ବାଟ ଫିଟିଲା

ବାଲେଶ୍ବର: ବାଲେଶ୍ବର ଏକ ଶିଳ୍ପବହୁଳ ଜିଲ୍ଲା ହୋଇଥି‌ବ‌ା ବେଳେ ଏଠାରେ ଗୋଟିଏ ଇଏସ୍‌ଆଇ ହସ୍‌ପିଟାଲ ନଥିବାରୁ ହିତାଧିକାରୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଜରୁରୀ ଚିକିତ୍ସା ପାଇଁ ବାହାରକୁ ଦୌଡ଼ିବାକୁ ପଡ଼ୁଛି। ହସ୍‌ପିଟାଲ ପ୍ରତିଷ୍ଠା ପାଇଁ ବହୁବାର ଦାବି ହୋଇଆସୁଥିଲା। ଏନେଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଭାଗକୁ ପତ୍ର ଲେଖିବା ସହିତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଗୁରୁବାର ଦିନ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଭେଟି ହସ୍‌ପିଟାଲ ପ୍ରତିଷ୍ଠା ପାଇଁ ପତ୍ର ଦେବା ସହିତ ଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀ ଯାଦବ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀଙ୍କୁ ଶୀଘ୍ର ଏହି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

ସେହିପରି ବାଲେଶ୍ବର ଜିଲ୍ଲାରେ ଆଉ ତିନି ବ୍ଲକରେ ନୂତନ ଇଏସ୍‌ଆଇ ଡିସ୍‌ପେନ୍‌ସାରି(କର୍ମଚାରୀ ବୀମା ଚିକିତ୍ସାଳୟ)ର କାର୍ଯ୍ୟାଳୟ ଖୋଲିବା ନେଇ ପ୍ରସ୍ତାବ ମଞ୍ଜୁର ହୋଇଛି। ସୋର, ନୀଳଗିରି ଓ ଜଳେଶ୍ବର ବ୍ଲକରେ ଏହି କାର୍ଯ୍ୟାଳୟ ଖୋଲିବ। ଏହି କାର୍ଯ୍ୟାଳୟ ଖୋଲିଲେ ବିଭିନ୍ନ ବ୍ଲକର ହିତାଧିକାରୀଙ୍କୁ ଆଉ ‌ବାଲେଶ୍ବର ଦୌଡ଼ିବାକୁ ପଡ଼ିବନାହିଁ। ଜିଲ୍ଲାରେ ୪୦ ଇଏସ୍‌ଆଇ ହିତାଧିକାରୀ ରହିଛନ୍ତି। ବର୍ତ୍ତମାନ ଇଏସ୍‌ଆଇର ଦୁଇଟି କାର୍ଯ୍ୟାଳୟ ରେମୁଣା ଓ ସରସ୍ବତୀପୁର ଅଞ୍ଚଳରେ ରହିଥିବା ବେଳେ ବିଭିନ୍ନ ବ୍ଲକରୁ ହିତାଧିକାରୀ ଆସି ହଇରାଣ ହେଉଥିଲେ। ତେଣୁ ଅନ୍ୟ ବ୍ଲକରେ କାର୍ଯ୍ୟାଳୟ ଖୋଲିବା ନେଇ ବହୁଦିନରୁ ଦାବି ହୋଇ ଆସୁଥିଲା। ଅନ୍ୟପକ୍ଷରେ ହିତାଧିକାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାଲେଶ୍ବରରେ ୩୦ ଶଯ୍ୟା ବିଶିଷ୍ଟ ଏକ ହସ୍‌ପିଟାଲ ପାଇଁ ଇଏସ୍ଆଇ ମୁଖ୍ୟ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଥିଲା। ଏହା ମଞ୍ଜୁର ହେଲେ ଗୋଟିଏ ସ୍ଥାନରେ ସବୁ ପ୍ରକାର ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe