ତୃଟିପୂର୍ଣ୍ଣ କେନାଲ ନିର୍ମାଣ; ଜମିକୁ ମାଡ଼ୁନି ପାଣି

Advertisment
ତୃଟିପୂର୍ଣ୍ଣ କେନାଲ ନିର୍ମାଣ; ଜମିକୁ ମାଡ଼ୁନି ପାଣି

ବଣାଇଗଡ଼ : ବଣାଇ ଓ ଗୁରୁଣ୍ତିଆ ବ୍ଲକ୍‌ରେ ଚାଷୀଙ୍କ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାକୁ ୪୫୦ କୋଟି ବ୍ୟୟ ଅଟକଳରେ ରୁକୁଡ଼ା ସେଚ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ଦ୍ବାରା ଉଭୟ ବଣାଇ ଓ ଗୁରୁଣ୍ତିଆ ବ୍ଲକ୍‌ର ୮ଗୋଟି ପଞ୍ଚାୟତର ୬୯ ଗ୍ରାମର ୫ ହଜାର ୧୧୦ ହେକ୍ଟର ଜମିକୁ ଖରିଫ ଏବଂ ରବି ଋତୁରେ ୩୭ଟି ଗ୍ରାମର ୨ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟରଖି ଏହା ନିର୍ମାଣ କରାଯାଇଛି। ସେଚ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାପରେ ଜଳ ପତ୍ତନ ୧୭୭.୩ ମିଟର ରହିଛି। ମାତ୍ର ଜଳସେଚନ ବ୍ୟବସ୍ଥାର ମୁଖ୍ୟ କେନାଲ ନିର୍ମାଣରେ ତ୍ରୁଟି ତଥା ଶାଖା କେନାଲ ଗୁଡିକୁ ମୁଖ୍ୟ କେନାଲରୁ ପାଣି ଯାଉ ନଥିବାରୁ ଏହି ଜଳଭଣ୍ତାରରୁ ମୁଖ୍ୟ କେନାଲ ଦେଇ ପାଣି ବୋହି ଯାଇ ବଡ଼ଗୋଗୁଆ ଗ୍ରାମରେ ଥିବା ବ୍ରାହ୍ମଣୀ ନଦୀରେ ମିଶି ଯାଉଛି। ଫଳରେ ଚାଷୀଙ୍କ ଜମିକୁ ପାଣି ମାଡ଼ି ପାରୁନି।

publive-image

ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ ରୁକୁଡ଼ା ଜଳଭଣ୍ତାରୁ ବାହାରି ଶିବନାଥପୁର, ଗୁଢିଆଳି, ବେଲଡିହି, ବାଉରକଳା, ପଣ୍ତୁଆ, ଗୋବିନ୍ଦପୁର, ପାଣ୍ତୁରିଶିଳା, ନୂଆଡିହି, କେଲୋ ଓ ଶେଷରେ ବଡ଼ଗୋଗୁଆ ଦେଇ ବ୍ରାହ୍ମଣୀ ନଦୀରେ ମିଶାଯାଇଛି। ଏହି ମୁଖ୍ୟ କେନାଲର କେତେକ ସ୍ଥାନରେ କେବଳ ମାଟି ଓ ମୋରମ ଦେଇ ନିର୍ମାଣ କରାଯାଇଥିବାରୁ ମାଟି ଅତଡ଼ା ଖସି ଜଳପ୍ରବାହ କ୍ଷେତ୍ରରେ ବାଧା ସୃଷ୍ଟି ହେବା ସହିତ ପୋତି ହୋଇ ଯାଉଛି। ସେହିପରି ମୁଖ୍ୟ କେନାଲରୁ ସଂଯୋଗ କରୁଥିବା ଶାଖା କେନାଲ ପୋତି ହୋଇ ଚାଷ ଜମିରେ ଜଳସେଚନର ବ୍ୟବସ୍ଥା ହୋଇ ପାରୁ ନାହିଁ। ଏହି ମୁଖ୍ୟ କେନାଲର ଗୁଢିଆଳି ଗ୍ରାମଠାରେ ହୋଇଥିବା ଦୁଇଗୋଟି ମଧ୍ୟରୁ ଗୋଟିଏ ଗେଟ୍‌ ହେଉଛି ଗୁଢିଆଳି, ଅଲେଖପୁର, ବାବୁନୁଆଗାଁ, ଉପରପଡ଼ା, କେନ୍ଦ୍ରିକଳା ଗ୍ରାମର ଚାଷ ଜମିକୁ ସଂଯୋଗ ରହିଥିବାବେଳେ ତୃଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ଏହି ଶାଖା କେନାଲରେ ପାଣି ଆସୁନି। ସେହିପରି ଅନ୍ୟ ଏକ ଶାଖା କେନାଲ ସେଠାରୁ ପତ୍ରାପାଲି, ଘୋଷରା, ଷେଣ୍ଢପୁର, ଇନ୍ଦ୍ରପୁର, ଝିର୍ଡାପାଲି, କଂଟାପାଲି ପ୍ରମୁଖ ଗ୍ରାମକୁ ସଂଯୋଗ ରହିଥିବାବେଳେ ଏଥିରେ ମଧ୍ୟ ପାଣିର ନାଁ ଗନ୍ଧ ନାହିଁ।

ସେହିପରି ଗୋବିନ୍ଦପୁର, ଧରଣୀଧରପାଲି, ପାଣ୍ତୁରିଶିଳା, କେନାଭେଟା, କନ୍ତସରା, ବରାହମୂଷା, ଠାକୁରମାଁ, ବିଶିପାଲି, ଜମକେଇ, ଜକେଇକଳା, ବଡପୋଷ, ତଳିତା, କେଲୋ, ଗୋଗୁଆ ଠାରେ ମୁଖ୍ୟ କେନାଲରୁ ଶାଖା କେନାଲ ନିର୍ମାଣ ହୋଇଥିଲେ ମଧ୍ୟ ସେଠାରେ ଉପଯୁକ୍ତ ଜ୍ଞାନ ଓ କୌଶଳର ଅଭାବ ସହିତ ତୃଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ଚାଷ ଜମିକୁ ପାଣି ମାଡ଼ି ପାରୁ ନାହିଁ। ଏ ବିଷୟରେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ପଚାରିଲେ ସରକାର ପୁନଃର୍ବାର ଏହାର ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକୀୟ ଅର୍ଥ ମଞ୍ଜୁର କଲେ ସବୁ ଠିକଠାକ ଚାଲିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe