ନୟାଗଡ଼ : ପ୍ରତିବର୍ଷ ବର୍ଷା ଦିନେ ମହାନଦୀ ବଢ଼ିରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ପାଲଟୁଛି ବିଚ୍ଛିନ୍ନାଞ୍ଚଳ। ବହୁବର୍ଷ ଧରି ଏଭଳି ସସମ୍ୟା ଭୋଗୁଥିବା ଗଣିଆ ବ୍ଲକ୍ବାସୀଙ୍କୁ ୨୦୦୯ରେ ଉଦ୍ଧାର ପାଇଁ ସରକାର ସ୍ବପ୍ନ ଦେଖାଇଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ନିର୍ବାଚନର ଅବ୍ୟବହିତ ପୂର୍ବରୁ ମଣିଭଦ୍ରା-ପତୁରିଆ ନଦୀବନ୍ଧ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ମହାନଦୀ ଦାଉରୁ ରକ୍ଷା କରିବାକୁ ଗଣିଆ ବ୍ଲକ୍ର ମଣିଭଦ୍ରାଠାରୁ ପତୁରିଆ ପର୍ଯ୍ୟନ୍ତ ୧୪ କିମି ନଦୀବନ୍ଧ ପ୍ରକଳ୍ପର ଯୋଜନା ହୋଇଥିଲା। ହେଲେ ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇନଥିବାବେଳେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି।
ନାବାର୍ଡ ଜରିଆରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ନିମନ୍ତେ ୨୦୦୮-୦୯ ବର୍ଷରେ ୧୨ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଏଥିରୁ ୪ କୋଟି ୫୯ ଲକ୍ଷ ଅର୍ଥାତ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଯେଉଁଥିରେ ୭ କିମି ୨୦୦ ମିଟର ବନ୍ଧ ନିର୍ମାଣ କରାଯାଇଛି। ବାକି ଅଂଶରେ ପାହାଡ଼ ଥିବାବେଳେ ଆଉ ୩ କିମି ୮୦୦ ମିଟର ବନ୍ଧ ନିର୍ମାଣର ଆବଶ୍ୟକତା ରହିଛି। ଏହି ବନ୍ଧ ପୂର୍ଣ୍ଣାଙ୍ଗ ରୂପ ନେଇଥିଲେ ଗଣିଆ ବ୍ଲକ୍ବାସୀଙ୍କ ବର୍ଷା ଦିନେ ରକ୍ଷା କବଚ ପାଲଟିଥା’ନ୍ତା। କିନ୍ତୁ ଜମି ଅଧିଗ୍ରହଣ ପାଇଁ ସମସ୍ୟା ଆଳ ଦେଖାଇ ଜଳସମ୍ପଦ ବିଭାଗ ଏହି ପ୍ରକଳ୍ପକୁ ବାତିଲ୍ କରିଦେଇଛି। ଜମି ପାଇଁ ଲୋକମାନେ ଅର୍ଥ ଦାବି କରୁଥିବାବେଳେ ବିଭାଗ ନଦୀବନ୍ଧ ନିର୍ମାଣରେ ଜମି ହରାଉଥିବା ଲୋକଙ୍କ ନିମନ୍ତେ କ୍ଷତିପୂରଣର ବ୍ୟବସ୍ଥା ନଥିବା କହୁଛି। ସ୍ଥାନୀୟ ବିଧାୟକ, ସାଂସଦଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ମଧ୍ୟ ବେଫିକର। ଏ ବାବଦରେ କୌଣସି ପ୍ରତିକାର ନାହିଁ। ଏହି ବନ୍ଧ ନିର୍ମାଣ ହେଲେ ଚାଷୀ ଜମି ହରାଉଥିବା ନେଇ ପ୍ରକଳ୍ପ ଆରମ୍ଭ ବେଳେ କିଭଳି ଜଳସମ୍ପଦ ବିଭାଗଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ, ସାଂସଦଙ୍କ ଭଳି ଲୋକ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଜାଣିପାରିଲା ନାହିଁ। ଯାହାଫଳରେ ସରକାରଙ୍କର ମଧ୍ୟ ପାଖାପାଖି ୫ କୋଟି ଟଙ୍କା ଅଧା ବନ୍ଧ ନିର୍ମାଣରେ ଖର୍ଚ୍ଚ ହୋଇଛି।
ଏହି ବନ୍ଧ ସମ୍ପର୍କରେ ନୟାଗଡ଼ ଜଳସମ୍ପଦ ବିଭାଗର ଏସ୍ଡିଓ ରବୀନ୍ଦ୍ରନାଥ ସେଠୀ କହିଛନ୍ତି, ଜମି ଅଧିଗ୍ରହଣ ସମେତ ପ୍ରକଳ୍ପ କାର୍ଯ୍ୟ ଆଗେଇବାରେ ବିଳମ୍ବ ହେବାରୁ ନାବାର୍ଡ ନଦୀବନ୍ଧ ନିର୍ମାଣ କାର୍ଯ୍ୟକୁ ବାତିଲ୍ କରିଦେଇଛି। ଏ ନେଇ ପ୍ରଶାସନିକ ସ୍ତରରେ ବର୍ତ୍ତମାନ ତନାଘନା ଚାଲିଥିବା ଶ୍ରୀ ସେଠୀ କହିଛନ୍ତି।
Follow Us