ମନ୍ଦିରକୁ ଲାଗି ନିର୍ମାଣ, ସମସ୍ତେ ଚୁପ୍‌

Advertisment
ମନ୍ଦିରକୁ ଲାଗି ନିର୍ମାଣ, ସମସ୍ତେ ଚୁପ୍‌

ପୁରୀ : ପୁରୀ ଶରଧାବାଲିରେ ନୃସିଂହ ମନ୍ଦିରକୁ ଲାଗି ଏକ ବିରାଟ କୋଠା ନିର୍ମାଣ ଚାଲିଛି। ସମ୍ପୂର୍ଣ୍ଣ ବେଆଇନ ଭାବେ ସର୍ବ ସମ୍ମୁଖରେ ଏବଂ ଶରଧାବାଲି ଭଳି ଏକ ଗୁରୁତ୍ଵପୂର୍ଣ୍ଣ ଜାଗାରେ ଏହି ନିର୍ମାଣ ଚାଲିଥିଲେ ମଧ୍ୟ ସମସ୍ତେ ନିରବ ରହିଛନ୍ତି। ଏହା କେବଳ ନୃସିଂହ ମନ୍ଦିର ପଛପଟେ ନୁହେଁ, ବରଂ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ମାତ୍ର ୧୦ ମିଟର ଦୂରରେ ନିର୍ମାଣ ହେଉଛି। ମନ୍ଦିର କଡ଼ରେ ଏଭଳି ନିର୍ମାଣ ପାଇଁ ଏଏସ୍‍ଆଇର ଅନୁମତି ଆବଶ୍ୟକ ଥିବା ବେଳେ ଏଠାରେ ନିଆଯାଇ ନାହିିଁ। ଏହିି ବେଆଇନ ନିର୍ମାଣକୁ ଉଭୟ ଜିଲ୍ଲା ପ୍ରଶାସନ, ଏଏସ୍‍ଆଇ(ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ) ବାରଣ କରିବା କଥା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହେବା କଥା। ହେଲେ ଏହି ଘର ନିର୍ମାଣ ଶେଷ ହେବାକୁ ବସିଥିବା ବେଳେ କାହାର ନଜର ପଡ଼ି ନାହିଁ ଅଥବା ମୋଟାଅଙ୍କର ଅର୍ଥ କାରବାର ସମସ୍ତଙ୍କୁ ଚୁପ୍‍ ରଖିବା ପାଇଁ ବାଧ୍ୟ କରିଛି ତାହା ବୁଝା ପଡ଼ୁନାହିଁ। ଏହାର ପାଖକୁ ଲାଗି ଏକ ସର୍ଭିିସିଂ ଷ୍ଟେସନ ତିଆରି ହେଉଛି। ଗାଡ଼ି ସର୍ଭିିସିଂ ପାଇଁ ଏଠାରେ ସିମେଣ୍ଟରେ ଏକ ପିଣ୍ଡି ତିଆରି ହୋଇଛି। ପିଣ୍ଡିକୁ ଲାଗି ଘର ତିଆରି ହେବା ପାଇଁ ଯୋଜନା ହେଉଛି।

ନିକଟ ଅତୀତରେ ତତ୍କାଳୀନ ଏନ୍‍ଫୋର୍ସମେଣ୍ଟ ଅଫିସର ଅଭିମନ୍ୟୁ ବେହେରା ଏହି ମନ୍ଦିର କଡ଼କୁ ଲାଗି ରହିଥିବା ୮ଟି ବେଆଇନ ଦୋକାନ ଉଚ୍ଛେଦ କରିଥିଲେ। ତାଙ୍କ ବଦଳି ପରେ ନୂତନ ଭାବେ ଶ୍ୟାମସୁନ୍ଦର ମହାପାତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି। କିନ୍ତୁ ଏଭଳି ବେଆଇନ ଦୋକାନ ବଢ଼ି ବଢ଼ି ଚାଲିଛି। ତେବେ ଏହି ବେଆଇନ ନିର୍ମାଣ କାହାକୁ ଦିଶୁ ନାହିଁ, ତା’ ନୁହେଁ; ବରଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଆଶୀର୍ବାଦରେ ଏହା ଚାଲିଥିବା କୁହାଯାଉଛି। ଏହା ପଛରେ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପ୍ରୋତ୍ସାହନ ଥିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଖବର ମନ୍ତ୍ରୀଙ୍କ କାନରେ ପଡ଼ିଛି। ଏଣୁ ସେ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ତାଗିଦ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାର ଓ ଏନ୍‍ଫୋର୍ସମେଣ୍ଟ ଅଫିସରଙ୍କୁ ଅବଗତ କରାଇଛନ୍ତି। ସୋମବାର ଏହାକୁ ଉଚ୍ଛେଦ କରାଯିବ ବୋଲି ତହସିଲଦାର ପ୍ରବୀର ଖିଲାର ସୂଚନା ଦେଇଛନ୍ତି।

ତେବେ କେବଳ ଏହି ନିର୍ମାଣ ନୁହେଁ, ଗୁଣ୍ଡିଚା ମନ୍ଦିର ପଛପଟେ ବେଆଇନ ଭାବେ ସରକାରୀ ଜାଗାରେ ଦୁଇମହଲା କୋଠା ଛିଡ଼ା ହୋଇଛି। ଉଭୟ ମହଲାରେ ଦୋକାନ ଭଡ଼ା ଦିଆଯାଇଛି। ଏଥିପାଇଁ ପିକେଡିଏ ଅନୁମତି ଦେଇନାହିଁ। ସ୍ଥାନୀୟ ଲୋକପ୍ରତିନିଧିଙ୍କ ଦ୍ଵାରା ଏହାକୁ ଏହି ନୂଆ ରୂପ ଦିଆଯାଇଛି। ପିକେଡିଏରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe