ଜଳେଶ୍ୱର: ଆସୁଛି ବର୍ଷାଦିନ। ଏପରି ସମୟରେ ଜଳେଶ୍ୱର ବ୍ଲକ୍ ଅଧୀନ ଲକ୍ଷ୍ମଣନାଥ ପିର ହାଟବନ୍ଧ ଗୋପନାଳ ଉପରେ ଅଧାପନ୍ତରିଆ ହୋଇ ପଡ଼ିଛି ୩୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧୀନ ସ୍ଲୁଇସ। ଫଳରେ ଏହି ନାଳ ମୁକୁଳା ପଡିଥିବାରୁ ଦୁଇଟି ପଞ୍ଚାୟତ ସମେତ ଜଳେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ୧୦ରୁ ଅଧିକ ଗାଁକୁ ଘାରିଛି ସୁବର୍ଣ୍ଣରେଖା ବନ୍ୟା ଚିନ୍ତା। ଜୁନ୍ ୧୪ ପରେ ଯଦି ସୁବର୍ଣ୍ଣରେଖା ନଦୀରେ ବଡ଼ଧରଣର ବନ୍ୟା ଆସେ ତେବେ ଏହି ୧୦ ଗାଁ ବିଶେଷ ପ୍ରଭାବିତ ହେବ ବୋଲି ଲୋକଙ୍କ ଆଖିରୁ ନିଦ ହଜି ଯାଇଛି।
ସୂଚନାଯୋଗ୍ୟ; ଲକ୍ଷ୍ମଣନାଥ ପଞ୍ଚାୟତ ଗୋପ ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ଗୋପ ନାଳ ବାହାରି ବିରେଶପୁର ଗାଁ ଯାଏ ଯାଇଛି। ଏହି ନାଳରେ ଲକ୍ଷ୍ମଣନାଥ, ଗୋବରଘାଟା ଓ ଜଳେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସିତ ହୋଇଥାଏ। କିନ୍ତୁ ସୁବର୍ଣ୍ଣରେଖାରେ ବନ୍ୟା ଆସିଲେ ଏହି ନାଳ ଦେଇ ବନ୍ୟା ପାଣି ଗୋପ, ବିରେଶପୁର, ଲକ୍ଷ୍ମଣନାଥ, ଗୋବରଘାଟା ଗାଁ ସମେତ ଜଳେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳରେ ପ୍ରଳୟ ରଚିଥାଏ। ୨୦୦୮ ମସିହା ବନ୍ୟାରେ ଏହି ନାଳ ଭୟଙ୍କର ରୂପ ଧାରଣ କରିଥିଲା। ଏହି ନାଳ ଉପରେ ଅର୍ଥାତ୍ ଲକ୍ଷ୍ମଣନାଥ ପିର ହାଟବନ୍ଧ ଉପରେ ଏକ ସ୍ଲୁଇସ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦୀର୍ଘଦିନ ଧରି ଦାବି ହେବା ପରେ ୨୦୨୨-୨୩ ଆର୍ଥିକ ବର୍ଷରେ ଅର୍ଥ ମଞ୍ଜୁର ହୋଇଥିଲା। ୩୭ ଲକ୍ଷ ୧୨୪୨ ଟଙ୍କାରେ ଟେଣ୍ଡର ଡକାଯାଇ ପ୍ରଦୀପ କୁମାର ବ୍ରହ୍ମା ନାମକ ଠିକାଦାରଙ୍କୁ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା।
ଚୁକ୍ତି ଅନୁଯାୟୀ ୨୦୨୨ ମସିହା ଡିସେମ୍ବର ୨୦ରୁ କାମ ଆରମ୍ଭ ହୋଇ ୨୦୨୩ ମସିହା ଅପ୍ରେଲ ୧୯ ତାରିଖ ସୁଦ୍ଧା ଶେଷ ହେବାକଥା। ହେଲେ ଚୁକ୍ତି ଅବଧିକୁ ଦେଢ଼ ମାସ ବିତିବ। କିନ୍ତୁ ଠିକାଦାର ଅଧାରୁ କାମ ଛାଡ଼ି ପଳେଇଛନ୍ତି। ସ୍ଲୁଇସ୍ ଗେଟ୍କୁ ଲାଗି ବନ୍ଧ ହୋଇନାହିଁ କି ମାଟି ମଧ୍ୟ ପଡ଼ିନାହିଁ। ଏହି କାମ ସରିବା ପରେ ଯାଇ ଜଳସେଚନ ବିଭାଗର ଯାନ୍ତ୍ରିକ ବିଭାଗ ପକ୍ଷରୁ ଆଉ ଏକ ଯୋଜନା ପ୍ରସ୍ତୁତ ହୋଇ ସ୍ଲୁଇସ୍ର ଗେଟ୍ ଲଗାଯିବ। ହେଲେ ଏହି କାମ ନିକଟ ଭବିଷ୍ୟତରେ ହେଲାଭଳି ଲାଗୁନି। ଫଳରେ ୧୦ ମୌଜାର ଲୋକଙ୍କୁ ଏଥର ବନ୍ୟା ବୁଡ଼ାଇବ ବୋଲି ସମାଜସେବୀ ରାମଚନ୍ଦ୍ର ପ୍ରମାଣିକ, ଯୁବନେତା ବ୍ରଜଗୋପାଳ ରାଉତ, ୱାର୍ଡସଭ୍ୟ ସୁର୍ଯ୍ୟ କୁମାର ଜେନା ଓ ଅନ୍ୟମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଜୁନ୍ ମାସରେ କାମ ଶେଷ ପାଇଁ ଜୋର୍ ଦିଆଯାଉଛି। ଏହା ସତ୍ତ୍ୱେ ଯଦି ଶେଷ ନହେଲା ତେବେ ନିର୍ମାଣଧୀନ ସ୍ଲୁଇସ ନିକଟରେ ବାଲିବସ୍ତା ପକାଯାଇ ନାଳକୁ ବନ୍ଦ କରାଯିବ ବୋଲି କୁହାଯାଇଛି।
Follow Us