ନିର୍ମାଣ ଶ୍ରମିକ ସରକାରୀ ସହାୟତାରୁ ବଞ୍ଚିତ, ଡିଏଲ୍‌ଓ ଅଫିସ୍‌ ଆଗରେ ଗଣଧାରଣା

Advertisment
ନିର୍ମାଣ ଶ୍ରମିକ ସରକାରୀ ସହାୟତାରୁ ବଞ୍ଚିତ, ଡିଏଲ୍‌ଓ ଅଫିସ୍‌ ଆଗରେ ଗଣଧାରଣା

ବୌଦ୍ଧ: ବୌଦ୍ଧ ଜିଲ୍ଲାର ନିର୍ମାଣ ଶ୍ରମିକ ସରକାରୀ ସହାୟତାରୁ ବଞ୍ଚିତ ହୋଇ ଆସୁଛନ୍ତି। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଫଳାଫଳ ଶୂନ। ଫଳରେ ସୋମବାର ବୌଦ୍ଧ ଜିଲ୍ଲା ନିର୍ମାଣ ଶ୍ରମିକ ସମନ୍ବୟ ସମିତି ପକ୍ଷରୁ ଦାବି ପୂରଣ ପର୍ଯ୍ୟନ୍ତ ଅହର୍ନିଶି ଧାରଣା ଆରମ୍ଭ ହୋଇଛି। ଅଭିଯୋଗ ଅନୁସାରେ ୨୦୧୮–୧୯ ଶିକ୍ଷାବର୍ଷଠାରୁ ଏଯାବତ୍‌ ଜଣେ ମଧ୍ୟ ନିର୍ମାଣ ଶ୍ରମିକ ଶିକ୍ଷା ସହାୟତା ବାବଦ ସହାୟତା ପାଇ ନାହାନ୍ତି। ୨୦୧୯ ମସିହାଠାରୁ ସାଢ଼େ ତିନି ହଜାରରୁ ଅଧିକ ନିର୍ମାଣ ଶ୍ରମିକ କନ୍ୟା ବିବାହ ସହାୟତା ପାଇଁ ଆବେଦନ କରିଥିବା ବେଳେ ଜଣଙ୍କୁ ମଧ୍ୟ ବିବାହ ସହାୟତା ମିଳି ନାହିଁ। ସେଥି ମଧ୍ୟରୁ ଅବେଦନ କରିଥିବା ଅନେକ ହିତାଧିକାରୀ ଇତିମଧ୍ୟରେ ୬୦ବର୍ଷ ଅତିକ୍ରାନ୍ତ କରିସାରିଥିବା ବେଳେ କିଛି ଶ୍ରମିକଙ୍କ ପ‌ରଲୋକ‌ ହେଲାଣି।

ସେହିଭଳି ଜିଲ୍ଲାର ୫୪ ହଜାରରୁ ଅଧିକ ପଞ୍ଜିକୃତ ନିର୍ମାଣ ଶ୍ରମିକ ବର୍ଷ ବର୍ଷ ଧରି ସାଇକେଲ ଓ ଯନ୍ତ୍ରାଂଶ କ୍ରୟ ପାଇଁ ପାଇବାକୁ ଥିବା ସହାୟତାରୁ ବଞ୍ଚିତ ରହିଛନ୍ତି। ଏନେଇ ବାରମ୍ବାର ଆପତ୍ତି ଅଭିଯୋଗ କଲେ ସୁଦ୍ଧା ଶ୍ରମ ବିଭାଗ ସର୍ବଦା କେବଳ ପ୍ରତିଶ୍ରୁତି ଦେଇ ଚାଲିଛି। ଫଳରେ ଆନ୍ଦୋଳନରେ ଶ୍ରମିକମାନେ ଯୋଗ ଦେଇ ନ୍ୟାୟ ନପାଇବା ପର୍ଯ୍ୟନ୍ତ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି। ଶ୍ରମିକ ନେତା ଅବକାଶ ସାହୁ, ଅର୍ଜୁନ ରଣା, ପ୍ରଭାତ ମଟାଲି, ଲୋକନାଥ ଶତପଥି, ଦିଲ୍ଲୀପ ବସ୍ତିଆ, ଅନୀଲ ରଥ ପ୍ରମୁଖଙ୍କ ଆନ୍ଦୋଳନର ନେତୃତ୍ବ ନେଇଛନ୍ତି। ଆଜି ପ୍ରଥମ ଦିନରେ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର, ବୁଦ୍ଧିଜୀବୀ ବିଶ୍ବେଶ୍ବର ପୃଷ୍ଟି ପ୍ରମୁଖ ଯୋଗଦେଇ ଆନ୍ଦୋଳନକୁ ସମର୍ଥନ ସାମିଲ ହୋଇଥିଲେ। ଅପରାହ୍‌ଣରେ ବୌଦ୍ଧ ଆଦର୍ଶ ଥାନା ଆଇଆଇସି ମାଧବାନନ୍ଦ ନାୟକ ଆନ୍ଦୋଳନସ୍ଥଳକୁ ଆସି ଆଲୋଚନା କରିଥିଲେ। ହେଲେ ଶ୍ରମିକ ସଂଗଠନର ନେତୃବୃନ୍ଦ ନିଜ ଜିଦରେ ଅଟଳ ରହିଥିଲେ। ଆଗକୁ ଆନ୍ଦୋଳନ ଉଗ୍ରରୂପ ଧାରଣ କରିବା ବୋଲି ଶ୍ରମିକ ସଂଘର ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe