ପିଡିଏସ୍ ସାମଗ୍ରୀ ନେବାକୁ ହନ୍ତସନ୍ତ ଖାଉଟି

Advertisment

ଖରାରେ ସିଜୁଛନ୍ତି,ଏମ୍ଆଇଙ୍କ କହୁଛନ୍ତି ଅପେକ୍ଷା କର, ଘଣ୍ଟା ଘଣ୍ଟା ସର୍ଭର୍ ଫେଲ୍

ଖରାରେ ସିଜୁଛନ୍ତି,ଏମ୍ଆଇଙ୍କ କହୁଛନ୍ତି ଅପେକ୍ଷା କର, ଘଣ୍ଟା ଘଣ୍ଟା ସର୍ଭର୍ ଫେଲ୍

ପିଡିଏସ୍ ସାମଗ୍ରୀ ନେବାକୁ ହନ୍ତସନ୍ତ ଖାଉଟି

ରାଉରକେଲା: କରୋନା ସଙ୍କଟ ସମୟରେ ଗରିବ ହିତାଧିକାରୀଙ୍କ ଏକମାତ୍ର ସାହା ଭରସା ହେଉଛି ପିଡିଏସ୍ ଚାଉଳ ଓ ଗହମ । ଏଥିସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମେ ଓ ଜୁନ୍ ଦୁଇ ମାସ ମାଗଣାରେ ମୁଣ୍ଡ ପିଛା ଅଧିକ ୫ କିଲୋ ଖାଉଟି ଦେବାକୁ ଘୋଷଣା କରିଛନ୍ତି। ଯେମିତି ଜଣେ ହେଲେ ଗରିବ ହିତାଧିକାରୀ ଖାଉଟି ସାମଗ୍ରୀରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ସରକାର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ଗତ ସପ୍ତାହ ଧରି ଯୋଗାଣ ବିଭାଗ ପକ୍ଷରୁ ମେ ଓ ଜୁନ୍ ଦୁଇ ମାସର ଚାଉଳ ଓ ଗହମ କଣ୍ଟ୍ରୋଲ ଦୋକାନୀଙ୍କ ଜରିଆରେ ବଣ୍ଟନ କରାଯାଉଛି। ଖାଉଟି ସାମଗ୍ରୀ ବଣ୍ଟନ ସମୟରେ ଫିଙ୍ଗର ପ୍ରିଣ୍ଟ, ଆଇ ସ୍କାନ୍‌କୁ ବାଧ୍ୟତାମୂଳକ କରାଯାଇଛି। ମାତ୍ର ଘଣ୍ଟା ଘଣ୍ଟା ସର୍ଭର୍ ଫେଲ୍ ହେଉଥିବାରୁ ଖାଉଟିଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। କେବଳ ଖାଉଟି ନୁହେଁ କଣ୍ଟ୍ରୋଲ ଦୋକାନୀମାନେ ମଧ୍ୟ ସମଦଶା ଭୋଗୁଛନ୍ତି।

publive-image

ଏମିତି ଗୁରୁତର ସମସ୍ୟା ଉପୁଜିଛି ରାଉରେକଲା ସହରର ପ୍ରାୟ ସମସ୍ତ କଣ୍ଟ୍ରୋଲ ଦୋକାନରେ। ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ସବୁ ଦିନ ଏଭଳି ସମସ୍ୟା ଉପୁଜିଛି। କାର୍ଡଧାରୀମାନେ ଭୋର ୫ଟାରୁ ଲାଇନ ଲଗାଉଛନ୍ତି। ସାଢ଼େ ୬ଟାରେ କଣ୍ଟ୍ରୋଲ ଦୋକାନ ଖୋଲୁଛି। ଘଣ୍ଟାଏ ଦୁଇ ଘଣ୍ଟା ସବୁ ଠିକ୍‌ଠାକ୍ ଚାଲୁଛି। ଖାଉଟି ମାନେ ସାମାଜିକ ଦୂରତା ବଜାୟ ରଖି କାର୍ଡ ଅନୁଯାୟୀ ଚାଉଳ ଓ ଗହମ ନେଇ ଯାଉଛନ୍ତି। ସକାଳ ୯ଟା ବାଜିଲେ ସବୁ କିଛି ଓଲଟପାଲଟ ହୋଇଯାଉଛି। ଫେଲ୍ ହୋଇଯାଉଛି ସର୍ଭର୍ । କେତେବେଳେ ଅଢ଼େଇ ଘଣ୍ଟା ଓ ଅନ୍ୟ କେତେବେଳେ ୩ ଘଣ୍ଟା ପରେ ଲିଙ୍କ୍ ଆସୁଛି। ଲିଙ୍କ୍ ଆସୁନଥିବାରୁ କଣ୍ଟ୍ରୋଲ ଦୋକାନୀ କାର୍ଡଧାରୀଙ୍କୁ ଖାଉଟି ସାମଗ୍ରୀ ଦେଇ ପାରୁନାହାନ୍ତି। ସେପଟେ ଘଣ୍ଟା ଘଣ୍ଟା ମୁଣ୍ଡଫଟା ଖରାରେ ସିଜୁଥିବା ଶହ ଶହ କାର୍ଡଧାରୀଙ୍କ ସମସ୍ୟା ବଢ଼ି ଯାଉଛି। ଏମିତି ସ୍ଥିତି ଉପୁଜିଛି ଯେ, କଣ୍ଟ୍ରୋଲ ଦୋକାନୀ କହିବା ସତ୍ବେ କିଛି କାର୍ଡଧାରୀ ବିନା ଖାଉଟି ସାମଗ୍ରୀରେ ଘରକୁ ଫେରିଯିବାକୁ ବାଧ୍ୟ ହେଉଛନ୍ତି। ଯେଉଁମାନେ ମୁଣ୍ଡଫଟା ଖରାରେ ଦହଗଞ୍ଜ ହେଉଛନ୍ତି, ସେମାନେ କଣ୍ଟ୍ରୋଲ ଦୋକାନୀଙ୍କୁ ଗାଳିଗୁଲଜ କରିବାକୁ ପଛାଉ ନାହାନ୍ତି। ଅନେକ ସମୟରେ ଏଭଳି ସମସ୍ୟାକୁ ନେଇ ଉଭୟ ଖାଉଟି ଓ କଣ୍ଟ୍ରୋଲ ଦୋକାନୀଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ମଧ୍ୟ ଯାଉଛି।

publive-image

ଏଭଳି ସ୍ଥିତି କେବଳ ସେକ୍ଟର-୬ କଣ୍ଟ୍ରୋଲ ଦୋକାନ ନୁହେଁ, ବାସନ୍ତୀ କଲୋନି, ସେକ୍ଟର-୧୬, ନୟାବଜାର, ଲେବରଟେନାମେଣ୍ଟ, ଛେଣ୍ଡ କଲୋନି, କଳିଙ୍ଗ ବିହାର, ଫର୍ଟିଲାଇଜ ଆଦି ଅଞ୍ଚଳରେ ଥିବା ଶତାଧିକ କଣ୍ଟ୍ରୋଲ ଦୋକାନୀଙ୍କ ସମାନ ସମସ୍ୟା ଉପୁଜିଛି। ଏ ସଂକ୍ରାନ୍ତରେ କିଛି କଣ୍ଟ୍ରୋଲ ଦୋକାନୀ ସମାଧାନ ବାଟ ବାହାର କରିବାକୁ ଯୋଗାଣ ବିଭାଗର ଏମ୍ଆଇ (ମାର୍କେଟିଂ ଇନ୍ସପେକ୍ଟର)ଙ୍କର ଦୃଷ୍ଟି କରୁଛନ୍ତି। ସମାଧାନର ବାଟ ବାହାରକରିବା ପରିବର୍ତ୍ତେ ଓଲଟା ଏମ୍ଆଇ କଣ୍ଟ୍ରୋଲ ଦୋକାନୀଙ୍କୁ ଅପେକ୍ଷା କର, ଲିଙ୍କ୍ ଆସିଲେ କାର୍ଡଧାରୀଙ୍କୁ ଖାଉଟି ସାମଗ୍ରୀ ଦେବ। ଗୋଟିଏ ପଟେ ଘଣ୍ଟା ଘଣ୍ଟା ଧରି ଛିଡା ହେଉଥିବା ଖାଉଟିଙ୍କ ଗାଳି, ଅନ୍ୟପଟେ ଏମ୍ଆଇଙ୍କ ତାଗିଦ୍ କଣ୍ଟ୍ରୋଲ ଦୋକାନୀଙ୍କ ଚିନ୍ତା ବଢ଼ାଇଦେଇଛି। କେବଳ ଏତିକି ନୁହେଁ କରୋନା ସଂକ୍ରମଣ ଭୟ ସେମାନଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି। ତେବେ ଉଭୟ ଖାଉଟି ଓ କଣ୍ଟ୍ରୋଲ ଦୋକାନୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବାରମ୍ବାର ଉପୁଜିଥିବା ସମସ୍ୟାର ସ୍ଥାୟୀ ସମାଧାନ କରିବାର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ, ରାଉରକେଲା ଉଭୟ ଆର୍‌ଏସ୍‌ପି ଓ ଇସ୍ପାତ ସହରାଞ୍ଚଳରେ ପାଖାପାଖି ୪୮ ହଜାର କାର୍ଡଧାରୀ ଅଛନ୍ତି। ଏମାନଙ୍କୁ ୧୬୮ କଣ୍ଟ୍ରୋଲ ଦୋକାନୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଚାଉଳ, ଗହମ, କିରାସିନ ଆଦି ଖାଉଟି ସାମଗ୍ରୀ ବଣ୍ଟନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe