କଣ୍ଟାପଡ଼ାର ନୂଆସାହିକୁ କଣ୍ଟେନ୍‌ମେଣ୍ଟ ଜୋନ୍ ‌ଘୋଷଣା କଲେ କଟକ ଉପଜିଲ୍ଲାପାଳ

କଣ୍ଟାପଡ଼ାର ନୂଆସାହିକୁ କଣ୍ଟେନ୍‌ମେଣ୍ଟ ଜୋନ୍ ‌ଘୋଷଣା କଲେ କଟକ ଉପଜିଲ୍ଲାପାଳ

କଣ୍ଟାପଡ଼ା:  କଟକ ଜିଲ୍ଲାରେ ପୁଣି ଚିନ୍ତା ବଢାଇଛି କରୋନା। ପାଖାପାଖି ଦୁଇ ମାସର ବ୍ୟବଧାନ ପରେ ଜିଲ୍ଲାର ପୁଣି ଏକ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। କରୋନା ପ୍ରକୋପ ହ୍ରାସ ପାଇବା, ରୋଗୀ ସଂଖ୍ୟା କମି ଚାଲିବାକୁ ନେଇ ଗୋଟିଏ ପଟେ ରାଜ୍ୟରେ କିଛିଟା ଆଶ୍ବସ୍ତି ପ୍ରକାଶ ପାଇଥିବା ବେଳେ ଏବେ ଏକ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିବା ଘଟଣା ଉଦ୍‌ବେଗର କାରଣ ହୋଇଛି।

କଟକ ଜିଲ୍ଲାର କଣ୍ଟାପଡ଼ା ବ୍ଲକର ଏକ ଗ୍ରାମରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବଡ଼ପାଟ ସୁନ୍ଦରପୁର ପଞ୍ଚାୟତର ନୂଆସାହି ଖଣ୍ତସାଇଲୋର ଜଣେ ବ୍ୟକ୍ତି ମହାମାରୀ କରୋନାରେ ପ୍ରାଣ ହରାଇଥିଲେ। ପରେ କଟକ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବଡ଼ପାଟସୁନ୍ଦରପୁର ସରପଞ୍ଚ ଦିଲ୍ଲୀପ କୁମାର ସ୍ବାଇଁ ନୂଆସାହିକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ଆସନ୍ତା ୨୬ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଡେଙ୍ଗୁରା ପିଟାଯାଇ ଘୋଷଣା କରାଯାଇଛି।

କଣ୍ଟାପଡ଼ା ବିଡ଼ିଓ ଶୁଭଶ୍ରୀ ରଥ ଓ ନୋଡ଼ାଲ ଅଫିସର ନିବାସ ରାଉତରାୟ ପ୍ରଶାସନର ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଗୋବିନ୍ଦପୁର ଥାନା ଅଧିକାରୀ ମାନସ କୁମାର ମିଶ୍ର ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଲୋକମାନେ ସାମାଜିକ ଦୂରତ‌ା ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହେବା ଏବଂ ଜଣେ ପ୍ରାଣ ହରାଇବା ପରେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

publive-image Representational

ଏପଟେ ଆଠଗଡ଼ ବ୍ଲକ ଯୋରନ୍ଦା ପଂଚାୟତର ପାଇକେରାପୁର ଗ୍ରାମକୁ ୫ ଦିନ ପାଇଁ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କରାଯାଇଛି। ଗତକାଲି ସକାଳ ୮ଟାରୁ ଏହା ଲାଗୁ ହୋଇଛି। ଏହି ସମୟରେ ଗ୍ରାମର କୌଣସି ଲୋକଙ୍କୁ ବାହାରକୁ ଯିବା ଅଥବା ବାହାର ଲୋକଙ୍କୁ ଗ୍ରାମକୁ ଆସିବା ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି। ଏଭଳି ନିଷ୍ପତ୍ତି ସଂପର୍କରେ ଆଠଗଡ଼ ବିଡିଓ ଅରୁଣ କୁମାର ଦାସ ସୂଚନା ଦେବା ସହିତ ଉପଜିଲ୍ଲାପାଳଙ୍କୁ ମଧ୍ୟ ଆଜି ଅବଗତ କରିଛନ୍ତି।

ପାଇକେରାପୁରରେ ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିଲା। ମୋଟ ୭୫ ଜଣଙ୍କ ସ୍ବାବ ସଂଗ୍ରହ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଏଭଳି ସ୍ଥିତିରେ ବ୍ଲକ ପ୍ରଶାସନ ପକ୍ଷରୁ ପାଇକେରାପୁର ଗ୍ରାମକୁ ସିଲ୍‌ କରାଯାଇଛି। ସ୍ଥିତି ଉପର ନଜର ରଖାଯିବା ସହିତ ଆବଶ୍ୟକ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଉଛି। ଗ୍ରାମରେ ଅଧିକ ଟେଷ୍ଟ ପାଇଁ ପଦକ୍ଷେପ ନେବାକୁ ପ୍ରଶାସନ ଯୋଜନା କରୁଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗ୍ରାମକୁ ପରିଦର୍ଶନରେ ଯିବା ସହିତ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଯେଉଁ ୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନେ ବାହାରକୁ କେଉଁଠିକୁ ଯାଇ ନଥିବା କୁହାଯାଉଛି।

ସୂଚନାଯୋଗ୍ୟ ଯେ କଟକ ଜିଲ୍ଲାରେ ଗଲା ଅକ୍ଟୋବର ମାସ‌ରେ ଶେଷ ଥର ପାଇଁ ଆଠଗଡ ବ୍ଲକ କୁସପଙ୍ଗୀ ପଂଚାୟତ ସାରକୋଳି, ପଇଲାବଲାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ସେତେବେଳେ ସେହି ଗ୍ରାମରୁ ୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe