ଲଗାଣ ବର୍ଷାରେ ଅବସ୍ଥା ବେହାଲ, ଘରେ ପଶିଲା ପାଣି, ଚାଷ ଜମି ଜଳାର୍ଣ୍ଣବ

Advertisment
ଲଗାଣ ବର୍ଷାରେ ଅବସ୍ଥା ବେହାଲ, ଘରେ ପଶିଲା ପାଣି, ଚାଷ ଜମି ଜଳାର୍ଣ୍ଣବ

Dreamstime.com

ବାଲିଅନ୍ତା:ଗତ ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ପ୍ରଭାବରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ତୁହାକୁ ତୁହା ବର୍ଷା ଲାଗି ରହିବା ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଖାଲି ସେତିକି ନୁହେଁ, ରଣପୁର ଗ୍ରାମ ଭୋଇ ସାହିରେ ଲୋକଙ୍କ ଘରେ ପାଣି ପଶିଯାଇଛି। ସେହିପରି ବିଭିନ୍ନ ମୌଜାରେ ଶତାଧିକ ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଛି। ବିଲରେ ପାଣି ଜମି ରହିବା ଯୋଗୁଁ ତଳି ପଚିଯିବା ଭଳି ପରିସ୍ଥିତି ଉପୁଜିଛି। ସେହିପରି କଚ୍ଚାଘର କାନ୍ଥ ବତୁରି ନଷ୍ଟ ହୋଇଯାଇଛି। ଭାଗ୍ୟଧର ଭୋଇଙ୍କ ଘର ଭିତରେ ପାଣି ପଶିଯିବାରୁ ରୋଷେଇ କରିବାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଭାଗ୍ୟଧରଙ୍କ ଭଳି ଗୁନ, ନୟନା, ଗଗନ, ମୀନାୟ, ସଂଜୁଲତା, ରସାନନ୍ଦ, ଧ୍ରୁବଚରଣ, ଲକ୍ଷ୍ମୀଧର ଓ ସୁରେନ୍ଦ୍ରଙ୍କ ଘରେ ପାଣି ପଶି ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଯାଇଛି। ଅପରପକ୍ଷେ, ମଙ୍ଗଳା ମନ୍ଦିର ନିକଟରେ ପାଣି ଜମି ରହିବା ଯୋଗୁଁ ଠାକୁରାଣୀଙ୍କ ନୀତିକାନ୍ତି ସଂପାଦନ ବ୍ୟାହତ ହୋଇଛି।

ସୂଚନା ଅନୁସାରେ, ଏହି ସାହିରେ ୬୦ରୁ ଅଧିକ ଦଳିତ ପରିବାର ବସବାସ କରନ୍ତି। ୨୦୦ ଫୁଟ୍‌ ବିଶିଷ୍ଟ ଗାଁ ଦାଣ୍ଡରୁ ବର୍ଷାପାଣି ନିଷ୍କାସନ ସମସ୍ୟା ଲାଗି ରହିଛି। ଉଭୟ ପାର୍ଶ୍ବରେ ଲୋକମାନଙ୍କର ଘର ନିର୍ମାଣ ହୋଇଛି। ବର୍ଷାଜଳ ନିଷ୍କାସନ ନେଇ ଡ୍ରେନ ନିର୍ମାଣ ହୋଇନାହିଁ। ସ୍ଥାନୀୟ ଲୋକ ଡ୍ରେନ ନିର୍ମାଣ କରିବା ପାଇଁ କିମ୍ବା ଉକ୍ତ କଂକ୍ରିଟ ରାସ୍ତାକୁ ଆଉ ଉଚ୍ଚା କରିବା ପାଇଁ ବାରମ୍ବାର ସରକଣା ପଞ୍ଚାୟତ ଜନ ପ୍ରତିନିଧି ଓ ପଞ୍ଚାୟତ ସମିତିକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହି ସମସ୍ୟାର ସମାଧାନ ନ ହେଲେ, ସାହିବାସିନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ଘେରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe