ଗଜପତି ଗଞ୍ଜେଇ ଏବେ ଜାତୀୟ ସମସ୍ୟା, ପଡ଼ୋଶୀ ରାଜ୍ୟ ସରକାରଙ୍କ ଉଦ୍‌ବେଗ

ଗଜପତି ଗଞ୍ଜେଇ ଏବେ ଜାତୀୟ ସମସ୍ୟା, ପଡ଼ୋଶୀ ରାଜ୍ୟ ସରକାରଙ୍କ ଉଦ୍‌ବେଗ

ପାରଳାଖେମୁଣ୍ତି : ଦକ୍ଷିଣ ଓଡ଼ିଶାର ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ଜାତୀୟ ସ୍ତରରେ ବଡ଼ ସମସ୍ୟା ହୋଇଛି। ଗଞ୍ଜେଇ କାରବାରର ପେଣ୍ଠସ୍ଥଳୀ ପାଲଟିଛି ଗଜପତି ଜିଲ୍ଲା। ପୁଲିସ ଓ ପ୍ରଶାସନ ସ୍ତରରେ ଯେତେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗତ କିଛି ଦିନ ପୂର୍ବେ ରାଜ୍ୟ ପୁଲିସ ଡିଜି ଅଭୟ ଗଜପତି ଗସ୍ତରେ ଆସି ଆଇନଶୃଂଖଳା ସମୀକ୍ଷା କରିବା ସହ ଗଞ୍ଜେଇ ଚାଷ ଓ ଚାଲାଣ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ, ପୁଲିସର ଲଗାତାର କାର୍ଯ୍ୟାନୁଷ୍ଠାନ ପରେ ବହୁ ମାତ୍ରାରେ ଗଞ୍ଜେଇ କାରବାର କମିଛି। ତେବେ ଡିଜିଙ୍କ ଗସ୍ତର ପ୍ରକୃତ କାରଣ ଥିଲା ଦକ୍ଷିଣ ଓଡ଼ିଶାରୁ ନିୟମିତ ଭାବେ ପ୍ରଚୁର ଗଞ୍ଜେଇ ଚାଲାଣକୁ ନେଇ ବର୍ତ୍ତମାନ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ, ଏନ୍‌ସିବି ଓ ଗୃହ ବିଭାଗ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ୩ ରୁ ୪ ଦିନ ପୂର୍ବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଭାଘେଲ୍‌ ମଧ୍ୟ ସୋସିଆଲ୍ ମିଡ଼ିଆରେ ଲେଖିଛନ୍ତି, ଓଡ଼ିଶାରୁ ଚୋରାରେ ଆସୁଥିବା ଗଞ୍ଜେଇ ପଡ଼ୋଶୀ ରାଜ୍ୟ ମାନଙ୍କ ପାଇଁ ଚିନ୍ତାର କାରଣ।

ଗତ ୩୦ ବର୍ଷ ହେଲା ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ଗଞ୍ଜେଇ ଚାଷ ନେଇ ପୁଲିସ ଓ ପ୍ରଶାସନ ନିକଟରେ ସୀମିତ ଖବର ଥିଲା। କିନ୍ତୁ ଗତକିଛି ବର୍ଷ ହେଲା ଜଣାପଡ଼ିଛି, ଏକ ବଡ଼ 'କାର୍ଟେଲ' ଏହି କାରବାରକୁ ପରିଚାଳନା କରୁଛି। ପୂର୍ବରୁ ଜିଲ୍ଲାରେ ସକ୍ରିୟ ଥିବା କିଛି ମାଓବାଦୀ ମାନେ ଗଞ୍ଜେଇ ବ୍ୟବସାୟ ମାଧ୍ୟମରେ ସେମାନଙ୍କର ସ˚ଗଠନର ଆର୍ଥିକ ବ୍ୟବସ୍ଥା ପାଇଁ ଏହାକୁ ଉପଯୋଗ କରୁଥିଲେ। ଜିଲ୍ଲାରେ ମାଓ ଦମନ ହୋଇଗଲା ସତ, କିନ୍ତୁ ଗଞ୍ଜେଇ ବ୍ୟବସାୟର ଲାଭ ଚାଖିଥିବା ବ୍ୟକ୍ତି, ବ୍ୟବସାୟୀ, ରାଜନେତା ଓ ସରକାରୀ କର୍ମଚାରୀ ଇତ୍ୟାଦି ଏହି ବେପାର ଛାଡ଼ି ପାରିନାହାନ୍ତି। ବିଶେଷ କରି ମୋହନା ଏବ˚ ରା.ଉଦୟଗିରି ବ୍ଲକରେ ଅନେକ ବ୍ୟବସାୟୀ ଅଛନ୍ତି, ଯେଉଁମାନେ ପୂର୍ବରୁ ଗଞ୍ଜେଇ ବ୍ୟବସାୟ ସହ ସମ୍ପୃକ୍ତ ରହି ମୋଟା ଅଙ୍କ ଅର୍ଜନ କରିବା ପରେ ମୁହଁ ପୋଛି ବସିଛନ୍ତି। ସେମାନଙ୍କ ସ୍ଥାନ ନେଇଛନ୍ତି ନୂତନ ପିଢ଼ି, ଯେଉଁମାନେ ଆଶା ବାନ୍ଧିଛନ୍ତି ଗଞ୍ଜେଇ ବେପାର ମାଧ୍ୟମରେ ରାତାରାତି କୋଟିପତି ହେବା।

publive-image

ସେହିପରି ଗତ କିଛିଦିନ ହେଲା ଜିଲ୍ଲାର ମୋହନା ଓ ରା.ଉଦୟଗିରି ବ୍ଲକରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିବା ଘଟଣା ପ୍ରମାଣିତ କରୁଛି, ଏହି ବ୍ୟବସାୟ ନିୟନ୍ତ୍ରଣ ବାହାରକୁ ଗଲାଣି। ଗତ ୧୯ ତାରିଖ ଦିନ ଅଡ଼ବା ପୁଲିସ ୫୩ କେଜି ୩୦୦ ଗ୍ରାମ ଗଞ୍ଜେଇ ସହ ଏକ ମାରୁତି ସୁଜୁକି ଗାଡ଼ି ଧରିଥିଲା। ଏହି ଗଞ୍ଜେଇ ବଜାରରେ ପ୍ରାୟ ୪ରୁ ୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥା’ନ୍ତା। ଅନୁସନ୍ଧାନ ବେଳେ ଜଣାପଡ଼ିଛି, ବିଗତ ୨୦ ବର୍ଷ ମଧ୍ୟରେ ଅନେକ ସରକାରୀ କର୍ମଚାରୀ, ବିଶେଷ କରି ପୁଲିସ ଏବ˚ ଅବକାରୀ କର୍ମଚାରୀ ଏହି ଗଞ୍ଜେଇ କାରବାରରୁ ମାଲାମାଲ୍‌ ହୋଇଛନ୍ତି। ଆଜି ମଧ୍ୟ କିଛି ଅଦୃଶ୍ୟ ଶକ୍ତି ପ୍ରୋତ୍ସାହନରେ ଗଜପତି ଜିଲ୍ଲାରୁ ଗଞ୍ଜେଇ ନିୟମିତ ଚାଲାଣ ହେଉଥିବା ବେଳେ ଏ ସମ୍ପର୍କରେ କାଁ ଭାଁ କିଛି ଧରାପଡ଼ୁଛି। ପୁଲିସ ଡିଜି ଯଦି ଦକ୍ଷିଣ ଓଡ଼ିଶାର ଗଞ୍ଜେଇ ବ୍ୟବସାୟର ସମ୍ପୂର୍ଣ୍ଣ ଇତିହାସ ତର୍ଜମା କରିବେ ଏବ˚ ନିରପେକ୍ଷ ଅପରେସନ୍‌ ଚଳାଇବେ, ଏହି ବ୍ୟବସାୟକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିପାରିବେ ଓ ବ୍ୟବସାୟ ଉପରେ ଅଙ୍କୁଶ ଲାଗିପାରିବ। ଗଜପତି ପୁଲିସ ପାଇଁ ଗଞ୍ଜେଇ କାରବାର ଏକ ବଡ଼ ଚ୍ୟାଲେଞ୍ଜ୍ ଏବ˚ ଏହାକୁ ମୁକାବିଲା କରିବାକୁ ହେଲେ ମୋହନା ଏବ˚ ରା.ଉଦୟଗିରିରେ କାର୍ଯ୍ୟରତ ପୁଲିସ ଏବ˚ ଅବକାରୀ ବିଭାଗ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଆକଳନ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। କାରଣ ସରକାରୀ କର୍ମଚାରୀଙ୍କ ବିନା ପ୍ରୋତ୍ସାହନରେ ଏହି ଚୋରା ନିଶା କାରବାର ପରିଚାଳିତ ହୋଇପାରିବ ନାହିଁ ବୋଲି ବୁଦ୍ଧିଜୀବୀଙ୍କ ମତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe