ଗଞ୍ଜେଇ ଚାଲାଣରେ ମାତିଛନ୍ତି ମହିଳା! ବିହାର-ପଶ୍ଚିମବଙ୍ଗକୁ ନିୟମିତ ଚାଲାଣ

୩ ଦିନରେ ସାଢ଼େ ୪୩ କେଜି ଗଞ୍ଜେଇ ଜବତ, ଗିରଫ ୪ ଜଣଙ୍କ ମଧ୍ୟରୁ ୨ ମହିଳା

ଗଞ୍ଜେଇ ଚାଲାଣରେ ମାତିଛନ୍ତି ମହିଳା! ବିହାର-ପଶ୍ଚିମବଙ୍ଗକୁ ନିୟମିତ ଚାଲାଣ

ରାଉରକେଲା: ନିୟମିତ ବ୍ୟବଧାନରେ ରାଉରକେଲା ରେଳ ଷ୍ଟେସନରେ ଗଞ୍ଜେଇ ଚୋରାଚାଲାଣକାରୀ ଧରାପଡ଼ୁଛନ୍ତି। ରାଉରକେଲା ରେଳ ଷ୍ଟେସନରେ ଗତ ତିନ ଦିନ ଭିତରେ ୪୩ କେଜି ୫ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ୩୦ ହଜାର ଟଙ୍କା ହେବ। ଚୋରାଚାଲାଣ କରୁଥିବା ୪ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଛି। ଆଜି ପୂର୍ବାହ୍ନରେ ଆର୍‌ପିଏଫ୍‌ ଓ ଜିଆର୍‌ପି ପକ୍ଷରୁ ମିଳିତଭାବେ ବିହାର ଗୋପାଳଗଞ୍ଜର ଚନ୍ଦ୍ରିକା ସିଂହ(୬୫)ଙ୍କଠାରୁ ୨୨ କେଜି ଗଞ୍ଜେଇ ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ ୨ ଲକ୍ଷ ୨୦ ହଜାର ଟଙ୍କା ହେବ। ସେହିଭଳି ଗତକାଲି ଉତ୍ତରପ୍ରଦେଶ ଦେବରୀୟାର ବିପିନ ୟାଦବ(୩୩)ଙ୍କ ପାଖରୁ ପ୍ରାୟ ୪୫,୫୦୦ ଟଙ୍କାର ସାଢ଼େ ୮ କେଜି ଗଞ୍ଜେଇ ଜବତ ହୋଇଥିଲା। ଗତ ରବିବାର ମଧ୍ୟ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ଆର୍‌ପିଏଫ୍‌ କାବୁ କରିନେଇଥିଲା। ଉଭୟ ମହିଳା ଛପରା ବିହାରର ରାଜକୁମାରୀ ଦେବୀ(୩୫) ଓ ସୁମୀତା ଦେବୀ(୫୦)ଙ୍କୁ ଗିରଫ ହୋଇଥିଲେ। ଏମାନଙ୍କଠାରୁ ପ୍ରାୟ ୬୫ ହଜାର ଟଙ୍କା ମୂଲ୍ୟର ୧୩ କେଜି ଗଞ୍ଜେଇ ଜବତ ହୋଇଥିଲା।

ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ ଏବେ ନିତିଦିନିଆ ହେଲାଣି। ଗଞ୍ଜେଇ ବେପାରୀମାନେ କୋରାପୁଟ ଜିଲ୍ଲାର ମାଛକୁଣ୍ଡ, ଲମତାପୁଟ ଆଦି ଅଞ୍ଚଳରୁ ଗଞ୍ଜେଇ କିଣୁଛନ୍ତି। ଏହାପରେ ଉଭୟ ସଡ଼କ ପଥ ଓ ଟ୍ରେନ୍‌ରେ ବିହାର, ଉତ୍ତରପ୍ରଦେଶ, ପଞ୍ଚିମବଙ୍ଗ, ହରିୟାଣା ଆଦି ରାଜ୍ୟକୁ ଚାଲାଣ କରୁଛନ୍ତି। ତେବେ ଉତ୍ତରପ୍ରଦେଶ, ହରିୟାଣାକୁ ସଡ଼କପଥରେ ଚୋରାଚାଲାଣ କରାଯାଉଥିବାବେଳେ ପଶ୍ଚିମବଙ୍ଗ, ବିହାରକୁ ଟ୍ରେନ୍‌ ହିଁ ମୁଖ୍ୟ ମାଧ୍ୟମ ପାଲଟିଛି। ଏମାନେ ମୁଖ୍ୟତଃ ସମଲେଶ୍ବରୀ, କୋରାପୁଟ-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ପ୍ରଥମେ ରାଉରକେଲାକୁ ଆଣୁଛନ୍ତି। ପରେ ରାଉରକେଲା ଷ୍ଟେସନରୁ ଅନ୍ୟ ଟ୍ରେନ୍‌ରେ ବିହାର, ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି। ଏମାନେ ରାଉରକେଲା ଷ୍ଟେସନରେ ଅନ୍ୟ ଟ୍ରେନ୍‌କୁ ଯିବାକୁ ଅପେକ୍ଷା କରି ରହୁଥିବାବେବେଳ କେବେକେମିତି ଆର୍‌ପିଏଫ୍‌ ହାତରେ ଧରାପଡ଼ିଯାଉଛନ୍ତି। ବାସ୍ତବରେ ମାତ୍ରାଧିକ ଚାଲାଣକାରୀ କିନ୍ତୁ ପୁଲିସ ଆଖିରେ ଧୂଳି ଦେଇ ପାର୍‌ କରି‌ନେଉଛନ୍ତି। ଜଣେ, ଦି’ଜଣିଆ ଦଳରେ ବିଭକ୍ତ ହୋଇ ଏମାନେ ଚୋରାଚାଲାଣ କରୁଛନ୍ତି। ଅଧିକ ପରିମାଣ ହେଲେ ଧରାପଡ଼ିଯିବାର ଆଶଙ୍କା ଥିବାରୁ ୨୦/୩୦ କେଜି ଲେଖାଏଁ ଚାଲାଣ କରୁଛନ୍ତି। ଏହି ଚୋରାଚାଲାଣ ରୢାକେଟ୍‌ରେ ଏବେ ମହିଳାମାନଙ୍କୁ ବହୁଳ ଭାବରେ ବ୍ୟବହାର କରାଯାଉଛି। ମହିଳାମାନଙ୍କ ପ୍ରତି ଆର୍‌ପିଏଫ୍‌ର ସନ୍ଦେହ ଅପେକ୍ଷାକୃତ କମ୍‌ ରହୁଥିବାରୁ ଏହି ମାଧ୍ୟମ ଏବେ ଜୋର୍‌ ଧରିଛି। ମହିଳାମାନେ ବିଶେଷକରି ଦି’ ଜଣିଆ ଦଳରେ ବିଭକ୍ତ ହୋଇ ଏହି ଚାଲାଣରେ ମାତିଥିବା ସୂଚନାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe