ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ ଆଜି ଦୁଇ ଜଣ ଅନ୍ତଃରାଜ୍ୟ ଗଂଜେଇ ଚୋରା ଚାଲାଣକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି। ଗତକାଲି ଚିତ୍ରକୋଣ୍ଡା ନିକଟସ୍ଥ ସିଲେରୁ ଗୁଣ୍ଠାବେଢା ରାସ୍ତାରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ଥାନା କର୍ମଚାରୀ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିବା ସମୟରେ ଗୁଣ୍ଠାବେଢ଼ା ଗ୍ରାମ ନିକଟସ୍ଥ ହଂସାଗୁଡା ବ୍ରିଜ ଉପରେ ଆସୁଥିବା ବୋଲେରୋ (ଓଡି-୦୫-ଜି-୩୨୦୨) ପିକ୍ଅପ୍କୁ ଅଟକାଇ ଥିଲେ। ଯାଞ୍ଚ କରିବା ସମୟରେ ସେଥିରେ ଗଞ୍ଜେଇ ବୋଝେଇ ବସ୍ତା ଥିବା ଜଣା ପଡ଼ିଥିଲା।
ପୁଲିସ କହିବାନୁଯାୟୀ ଗଂଜେଇ ବୋଝେଇ ଗାଡି ସହ ଚୋରା ଚାଲାଣରେ ସମ୍ପୃକ୍ତ ଦୁଇଜଣକୁ ଗିରଫ କରାଯାଇଛି। ଗିରଫ ଦୁଇଜଣ ହେଲେ ଅଜୟ କୁମାର (୨୫) ଓ ବିକ୍ରମ ଆଦିତ୍ୟ(୨୨)। ଦୁଇଜଣଙ୍କ ଘର ବିହାର ରାଜ୍ୟର ମହୁଆ ଗ୍ରାମର ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ୫୦୦ କେଜି ଗଂଜେଇ ସହ ନଗଦ ୧ ଲକ୍ଷ ୨ହଜାର ପାଞ୍ଚଶହ ଅଶି ଟଙ୍କା, ଦୁଇଟି ମୋବାଇଲ, ପୁଲିସ ଜବତ କରିଛି। ଗଂଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ହେବବୋଲି ଜଣାପଡିଛି । ଥାନାରେ ଏକ କେଶ ରୁଜୁ କରାଯାଇ ଗିରଫ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
Follow Us