ସରକାରୀ କର୍ମଚାରୀ ଅସୁରକ୍ଷିତ: ବ୍ଲକ୍‌ କାର୍ଯ୍ୟାଳୟରେ ଯନ୍ତ୍ରୀଙ୍କୁ ପିଟିଲେ ଠିକାଦାର

Advertisment
ସରକାରୀ କର୍ମଚାରୀ ଅସୁରକ୍ଷିତ: ବ୍ଲକ୍‌ କାର୍ଯ୍ୟାଳୟରେ ଯନ୍ତ୍ରୀଙ୍କୁ ପିଟିଲେ ଠିକାଦାର

ଉଦଳା-୧ : ବ୍ଲକ୍‌ କାର୍ଯ୍ୟାଳୟରେ ପଶି ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଛନ୍ତି ଠିକାଦାର। ଏହାକୁ ନେଇ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ କଲମ ଛାଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଳକ୍‌ର କର୍ମଚାରୀ।

ସୂଚନା ମୁତାବକ, ଉଦଳା ବ୍ଲକ୍‌ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ସୁବାସ ପ୍ରକାଶ ସାହୁ ଗୁରୁବାର ପୂର୍ବାହ୍ନରେ କ୍ଷେତ୍ର କାମ ଦେଖିବାକୁ ଯାଇଥିଲେ। ଫିଲ୍‌ଡ ଡ୍ୟୁଟିରୁ ଫେରି କାର୍ଯ୍ୟାଳୟ ପରିସରରେ ପହଞ୍ଚିବା ପରେ ହଠାତ୍ ସେଠାରେ ପୂର୍ବରୁ ରହିଥିବା କିଛି ଠିକାଦାର ଶ୍ରୀ ସାହୁଙ୍କୁ ଅଟକାଇ ଉନ୍ନୟନମୂଳକ କାମଗୁଡିକର ବିଲ୍ କ’ଣ ପାଇଁ କରୁନାହାନ୍ତି ବୋଲି ପଚାରିଥିଲେ। ଶ୍ରୀ ସାହୁ କାମ ଦେଖିବା ପରେ ଯାଇ ବିଲ୍ ପାସ୍ କରିବେ ବୋଲି କହିଥିଲେ। ଏଥିରେ ଚିହିଁକି ଉଠି ଠିକାଦାରମାନେ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ସାର୍ଟ କଲର୍‌ ଧରି ସର୍ବସମ୍ମୁଖରେ ମାଡ଼ ମାରିଥିଲେ।

ପାଟି ଶୁଣି ବିଡିଓ ଦେବଯାନୀ ଭୂୟାଁ ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ସଂପୂର୍ଣ୍ଣ ହୋଇଥିବା କାମର ବିଲ୍ କାହିଁକି ଅଟକିଛି, ସେ ସଂପର୍କରେ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ବିଡିଓ କହିଛନ୍ତି।

ଏ ନେଇ ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀ ସାହୁ ଉଦଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ୧୮୧/୨୩ରେ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe