Odisha News Insight
କଟକ : ଘରୋଇ ଶିକ୍ଷାନୁଷ୍ଠାନରୁ ବୈଷୟିକ ଶିକ୍ଷା ହାସଲ କରି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଲାବୋରେଟୋରି ଟେକନିସିଆନଙ୍କ ଚାକିରି ନିୟମିତ ପ୍ରସଙ୍ଗରେ ହାଇକୋର୍ଟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଘରୋଇ ଶିକ୍ଷାନୁଷ୍ଠାନରୁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ଲାବୋରେଟୋରି ଟେକନିସିଆନଙ୍କୁ କେଉଁ ପରିସ୍ଥିତିରେ ଆଜି ଯାଏ ଚାକିରି କରିବାକୁ ଅନୁମତି ଦିଆଯାଇଥିଲା, ସେ ନେଇ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ, ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମଇଟି)ଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରି ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆବେଦନକାରୀ ଲାବୋରେଟୋରି ଟେକନିସିଆନଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ୨୦୨୦, ମେ ୧୫ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହାଇ ପାୱାର କମିଟି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଆଧାରରେ ଏହି ଲାବୋରେଟୋରି ଟେକ୍ନିସିଆନଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ନିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଟି.ସି. ମହାପାତ୍ର ଓ ଅନ୍ୟ ୮ଜଣଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନରେ ଚୁକ୍ତିଭିତ୍ତିକ ଲାବୋରେଟୋରି ଟେକନିସିଆନ ନିଯୁକ୍ତି ସଂକ୍ରାନ୍ତରେ ୨୦୦୪, ସେପ୍ଟେମ୍ବର ୨୪ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାର୍ଥୀ ଯୁକ୍ତ ଦୁଇ ବିଜ୍ଞାନ ସହିତ ସରକାରୀ ମେଡିକାଲ କଲେଜରୁ ଲାବୋରେଟୋରି ଟେକନିସିଆନ ପାଠ୍ୟକ୍ରମ ସଫଳତାର ସହ ଶେଷ କରିଥିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ସେତେବେଳେ ଏପରି ଯୋଗ୍ୟତା ଥିବା ଆବଶ୍ୟକ ସଂଖ୍ୟକ ପ୍ରାର୍ଥୀ ନ ମିଳିବାରୁ ଏହି ପ୍ରସଂଗରେ ପୁନର୍ବିଚାର କରି ସରକାର ସାନି ବିଜ୍ଞପ୍ତି ପ୍ରକାଶ କରିଥିଲେ। ୨୦୦୫, ଅଗଷ୍ଟ ୧୪ରେ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ସାନି ବିଜ୍ଞପ୍ତି ପ୍ରକାଶ କରି ଏହି ପଦବି ପାଇଁ ପ୍ରାର୍ଥୀ ଯୁକ୍ତ ଦୁଇ ବିଜ୍ଞାନ ସହିତ ମେଡିକାଲ ଲାବୋରେଟୋରି ଟେକନୋଲୋଜିରେ ଡିପ୍ଲୋମା ବା ସାର୍ଟିଫିକେଟ କୋର୍ସ ବା ଏହାସହିତ ସମାନ କୋର୍ସ ପାସ କରିଥିବା ଆବଶ୍ୟକ ବୋଲି ସ୍ପଷ୍ଟ କରିଥିଲେ। ଏହାପରେ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଲାବୋରେଟୋରି ଟେକନିସିଆନଙ୍କୁ ନିଯୁକ୍ତି ମିଳିଥିଲା। ଉପଯୁକ୍ତ ପ୍ରକ୍ରିୟା ଦ୍ବାରା ଚୁକ୍ତିଭିତ୍ତିକ ନିଯୁକ୍ତି ପାଇ ୬ ବର୍ଷ କାର୍ଯ୍ୟକାଳ ପୂରଣ କରି ସାରିଥିବା ସମସ୍ତ ଲାବୋରେଟୋରି ଟେକନିସିଆନଙ୍କ ଚାକରି ନିୟମିତ କରାଯିବ ବୋଲି ଏହି ନିୟମାବଳୀରେ ଉଲ୍ଲେଖ କରାଯାଇଥିଲା। ଏପରି ନିୟମାବଳୀ ଆଧାରରେ ଦୀର୍ଘ ପ୍ରାୟ ୧୫ ବର୍ଷ ଧରି କାର୍ଯ୍ୟ କରୁଥିବା ଲାବୋରେଟୋରି ଟେକନିସିଆନଙ୍କ ଚାକିରି ନିୟମିତ କରାଯିବା କଥା। କିନ୍ତୁ ଗତ ମେ୫ ତାରିଖ ଦିନ ଅନୁଷ୍ଠିତ ସ୍ବାସ୍ଥ୍ୟ ବିଭାଗର ହାଇ ପାୱାର କମିଟି ବୈଠକରେ ଏମାନଙ୍କ ଚାକରି ନିୟମିତ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏପରି ନିଷ୍ପତ୍ତିକୁ ଚାଲେଞ୍ଜ କରି ଆବେଦନକାରୀମାନେ ହାଇକୋର୍ଟରେ ପୃଥକ ମାମଲା ରୁଜୁ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପୁରୁଷୋତ୍ତମ ଚୁଳି ମାମଲା ପରିଚାଳନା କରୁଥିବା ବେଳେ ପ୍ରିୟମ୍ବଦା ନାଥ ସହୟତା କରୁଛନ୍ତି।
Follow Us