କୋଲ୍‌ହାନ ବିଶ୍ବବିଦ୍ୟାଳୟର ଲାଇବ୍ରେରି ନାମକରଣ ନେଇ ବିବାଦ

Advertisment
କୋଲ୍‌ହାନ ବିଶ୍ବବିଦ୍ୟାଳୟର ଲାଇବ୍ରେରି ନାମକରଣ ନେଇ ବିବାଦ

Patrika

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ହେବା ପ୍ରସ୍ତାବକୁ ବିରୋଧ
ସ୍ଥାନୀୟ ଓଡ଼ିଆଙ୍କ ମହଲରେ ଅସନ୍ତୋ‌ଷ

ଭୁବନେଶ୍ବର : ‌ଝାଡ଼ଖଣ୍ଡର ଚାଇବାସାସ୍ଥିତ କୋଲ୍‌ହାନ ବିଶ୍ବବିଦ୍ୟାଳୟର ସେଣ୍ଟ୍ରାଲ୍‌ ଲାଇବ୍ରେରି ଓ ଅଡିଟୋରିୟମ୍‌ ନାମକରଣକୁ ନେଇ ଏକ ବିବାଦ ଦେଖାଦେଇଛି। ସେଣ୍ଟ୍ରାଲ୍‌ ଲାଇବ୍ରେରିର ନାମ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ଏବଂ ଅଡିଟୋରିୟମ୍‌ର ନାମ ସହିଦ ଜଗୁ ଦେୱାନଙ୍କ ନାମରେ ନାମିତ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହାକୁ କିଛି ଛାତ୍ର ସଂଗଠନ ଓ ସ୍ଥାନୀୟ ଜନ ପ୍ରତିନିଧି ବିରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ଅଯଥା ବିବାଦ କରାଯାଉଥିବାରୁ ସ୍ଥାନୀୟ ଓଡ଼ିଆଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ବର୍ଷ ବର୍ଷ ଧରି ଦୃଢ଼ ଭାବଗତ ଓ ସାଂସ୍କୃତିକ ସମ୍ପର୍କ ଥିଲା ବେ‌ଳେ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ନ କରିବାକୁ ମତପ୍ରକାଶ ପାଇଛି।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଉତ୍କଳ ଆସୋସିଏସନ୍, ଜାମେସଦ୍‌ପୁର ପକ୍ଷରୁ ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ପୂର୍ବରୁ ଏକ ପତ୍ର ଦିଆଯାଇ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ସହିଦ ଜଗୁ ଦେୱାନଙ୍କ ନାମରେ ବିଶ୍ବବିଦ୍ୟାଳୟର ସେଣ୍ଟ୍ରାଲ୍‌ ଲାଇବ୍ରେରି ଓ ଅଡିଟୋରିୟମ୍‌ ନାମରେ ନାମକରଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗଙ୍ଗାଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗତ ୧୯ ତାରିଖରେ ହୋଇଥିବା ଏକାଡେମିକ୍ କାଉନ୍‌ସିଲ୍‌ ବୈଠକରେ ଏହି ନାମକରଣ ନେଇ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ପରେ ସେଠାରେ କିଛି ଛାତ୍ର ସଂଗଠନ ଆପତ୍ତି ଉଠାଇଛନ୍ତି। ଏପରି ନାମକରଣ କୋଲ୍‌ହାନର ସହିଦ ଓ ବରପୁତ୍ରମାନଙ୍କ ପ୍ରତି ଅପମାନ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ଏପରିକି ସ୍ଥାନୀୟ ସାଂସଦ ଗୀତା କୋଡ଼ା ମଧ୍ୟ ଏହାକୁ ବିରୋଧ କରିଛନ୍ତି। ସ୍ଥାନୀୟ କୌଣସି ବରପୁତ୍ରଙ୍କ ନାମରେ ନାମିତ କରିବାକୁ ଦାବି ହୋଇଛି। ଏହି ପ୍ରସଙ୍ଗରେ ଛାତ୍ର ପ୍ରତିନିଧିମାନେ କୁଳପତି ପ୍ରଫେସର ପଣ୍ଡାଙ୍କୁ ଦାବି ସ୍ମାରକପତ୍ର ପ୍ରଦାନ କରି ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି।

ତେବେ ଏପରି ପ୍ରତିବାଦକୁ ନେଇ ସ‌ଚେତନ ନାଗରିକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବରପୁତ୍ରମାନଙ୍କ କ୍ଷେତ୍ରରେ ଏପରି ବିବାଦ ସମାଜ ଉପରେ ନକରାତ୍ମକ ପ୍ରଭାବ ପକାଉଛି ବୋଲି ମତପ୍ରକାଶ ପାଇଛି। ଗୋଟିଏ ରାଜ୍ୟର ବରପୁତ୍ରମାନଙ୍କ ନାମରେ ଅନ୍ୟ ରାଜ୍ୟର କିଛି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ନାମିତ କରାଗଲେ, ତାହା ଏକ ଭଲ ପରମ୍ପରା ସୃଷ୍ଟି କରେ। ଏହା ସହ ସେହି ବରପୁତ୍ରଙ୍କ କୃତୀ ସମ୍ପର୍କରେ ସେଠାକାର ଲୋକ ତଥା ଛାତ୍ରଛାତ୍ରୀ ଅବଗତ ହୋଇପାରିବେ। ଅତୀତରେ ମଧ୍ୟ ବହୁ ସ୍ଥାନରେ ଏପରି କରାଯାଇଛି। ଏପରି ମହତ କାର୍ଯ୍ୟ ରାଜ୍ୟ-ରାଜ୍ୟ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ସହ ସାରା ଭାରତର ମହାନ ସଂସ୍କୃତିକୁ ପ୍ରତିପାଦିତ କରିଛି। ଓଡ଼ିଶାରେ ମଧ୍ୟ ଅନ୍ୟ ରାଜ୍ୟର ପ୍ରସିଦ୍ଧ ବରପୁତ୍ରଙ୍କ ନାମରେ ଏକାଧିକ ପ୍ରକଳ୍ପ ହୋଇଥିବାର ନଜିର ରହିଛି। କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ଏପରି କରାଯାଇଛି। ଏହି ପ୍ରସଙ୍ଗରେ କେଉଁଠାରେ ବିରୋଧାଭାଷା ଆସିବା ଦେଖାଯାଇ ନାହିଁ।

ଏହି ପରିପ୍ରେକ୍ଷୀରେ କୋଲ୍‌ହାନ ବିଶ୍ବବଦ୍ୟାଳୟର ଲାଇବ୍ରେରି ଓଡ଼ିଶାର ବରପୁତ୍ରଙ୍କ ନାମରେ ନାମିତ ହେଲେ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜ ପଡ଼ୋଶୀ ରାଜ୍ୟକୁ ଜାଣିବା ପାଇଁ ଏକ ସୁଯୋଗ ସୃଷ୍ଟି କରିବ। ଭବିଷ୍ୟତରେ ଏହା ସାଂସ୍କୃତିକ ଭାବ ବିନିମୟ ପାଇଁ ଏକ ବାଟ ଫିଟାଇବ। ତେଣୁ ସ୍ଥାନୀୟ ଜନ ପ୍ରତିନିଧି ଓ ଛାତ୍ରମାନେ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବା ପାଇଁ ବରପୁତ୍ରଙ୍କ ନାମକୁ ନେଇ ଅଯଥା ବିବାଦ ସୃଷ୍ଟି ନ କରିବାକୁ ସ୍ଥାନୀୟ ସଚେତନ ନାଗରିକମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe