ଈର୍ଷା, ନକାରାତ୍ମକତା ଆମର ବଡ଼ଶତ୍ରୁ: ରାଜ୍ୟପାଳ

Advertisment

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହ, ୮ ଡିଲିଟ୍, ୨ ଡିଏସ୍‌ସି, ୭୦ ପିଏଚ୍‌ଡି ଉପାଧି, ୪୫ ଜଣଙ୍କୁ ସ୍ବର୍ଣ୍ଣପଦକ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହ, ୮ ଡିଲିଟ୍, ୨ ଡିଏସ୍‌ସି, ୭୦ ପିଏଚ୍‌ଡି ଉପାଧି, ୪୫ ଜଣଙ୍କୁ ସ୍ବର୍ଣ୍ଣପଦକ

ଈର୍ଷା, ନକାରାତ୍ମକତା ଆମର ବଡ଼ଶତ୍ରୁ: ରାଜ୍ୟପାଳ

ବ୍ରହ୍ମପୁର/ଗୋପାଳପୁର : ଆମର ବଡ଼ ଶତ୍ରୁ ହେ‌ଲା ଈର୍ଷା ଓ ନକାରାତ୍ମକତା। ଏହା ବାହାରେ ପ୍ରକୃତିର କେଉଁଠାରେ ବି ନାହିଁ, ଅଥଚ ଆମ ଭିତରେ ଅଛି। ଏହି ଦୁଇ ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବାକୁ ହେବ। ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୪ତମ ଦୀକ୍ଷାନ୍ତ ସମାରୋହରେ ପୌରୋହିତ୍ୟ କରି ଛାତ୍ରଛାତ୍ରୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।

ବିଶ୍ବବିଦ୍ୟାଳୟ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଏହି ଦୀକ୍ଷାନ୍ତ ସମାରୋହର ଆୟୋଜନ କରାଯାଇଥିଲା। ରାଜ୍ୟପାଳ ତଥା କୁଳାଧିପତି କହିଥିଲେ, କେବଳ ଜ୍ଞାନର ଅଧିକାରୀ ହୋଇ ଡିଗ୍ରୀ ହାସଲ କଲେ ହେବନାହିଁ, ବିଶ୍ବ କଲ୍ୟାଣ ପାଇଁ ଏହାର ଠିକଣା ସମୟରେ ସଦୁପଯୋଗ କରିବାକୁ ପଡ଼ିବ। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ମାନବାଧିକାର କମିସନ ଅଧ୍ୟକ୍ଷ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ ଓଡ଼ିଆ ସାହିତ୍ୟ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ସ୍ବାଧୀନତା ସଂଗ୍ରାମରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଅବଦାନ ଉପରେ ଆଲୋକପାତ କରିଥିଲେ। ଏଥିସହ ସ୍ବାଧୀନ ଭାରତରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ୪ଜଣ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଦେଇଥିବା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ ସରକାରଙ୍କ ପକ୍ଷରୁ ଶିକ୍ଷାର ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

କୁଳପତି ପ୍ରଫେସର ପୁଷ୍ପାଞ୍ଜଳି ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ କୁଳସଚିବ ସଚ୍ଚିଦାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହିଅବସରରେ ୮ଜଣଙ୍କୁ ଡିଲିଟ୍, ୨ଜଣଙ୍କୁ ଡିଏସ୍‌ସି, ୭୦ଜଣଙ୍କୁ ପିଏଚ୍‌ଡି ଉପାଧି ପ୍ରଦାନ ସହ ବିଭିନ୍ନ ବିଭାଗରେ ଶ୍ରେ‌ଷ୍ଠ ସ୍ଥାନ ହାସଲ କରିଥିବା ୪୫ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା।

ଉଲ୍ଲେଖ‌ଯୋଗ୍ୟ ଯେ ସମାରୋହ ପୂର୍ବରୁ ରାଜ୍ୟପାଳ ବିଶ୍ବବିଦ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ଛାତ୍ରୀନିବାସ, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ନୂତନ କୋଠା ଓ ନୂତନ ସମ୍ପ୍ରସାରିତ ବିଭିନ୍ନ କୋଠା ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe