ସମ୍ବଲପୁର: ବର୍ତ୍ତମାନ ଦେଶ ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି। ଏଭଳି ସମୟରେ ଗ୍ରାଜୁଏଟ୍ ଡିଗ୍ରି ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କ ନିକଟରେ ଅନେକ ସମ୍ଭାବନା ଅଛି ଓ ରାଷ୍ଟ୍ର ସେମାନଙ୍କଠାରୁ ଅନେକ କିଛି ଆଶା ରଖୁଛି। କିନ୍ତୁ ମନେ ରଖିବା ଦରକାର ଯେ କୋଭିଡ୍ ପରବର୍ତ୍ତୀ ବିଶ୍ବ ପୂର୍ବ ସମୟଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏବେ ଆମ ଅର୍ଥ ବ୍ୟବସ୍ଥା ଓ ସମାଜ ସାମ୍ନାରେ ଅନେକ ଜଟିଳ ପ୍ରସଂଗ ଛିଡ଼ା ହୋଇଛି। ଜ୍ଞାନକୌଶଳର ଏତେ ଦ୍ରୁତ ପରିବର୍ତ୍ତନ ଘଟୁଛି ଯାହା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା।
ଏହାର ସକାରାତ୍ମକ ଉପଯୋଗ ଅତି ଜରୁରୀ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର କହିଛନ୍ତି। ଗଂଗାଧର ମେହେର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆଭାସୀ ମାଧ୍ୟମରେ ଉଦ୍ବୋଧନ ଦେଇ ଡ. ମିଶ୍ର କହିଲେ, ଏବେ ଜ୍ଞାନକୌଶଳ ଆମ ଜୀବନଶୈଳୀକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ମୁଁ ଗଂଗାଧର ମେହେର ମହାବିଦ୍ୟାଳୟରେ ପଢ଼ିଲାବେଳେ ଏହା କଳ୍ପନା କରିବା ବି ଅସମ୍ଭବ ଥିଲା ଯେ ଜଣେ ଦିଲ୍ଲୀରେ ଥାଇ ସମ୍ବଲପୁରରେ ଚାଲିଥିବା ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇପାରିବ। କିନ୍ତୁ ପ୍ରଯୁକ୍ତି ବିଦ୍ୟା ଯୋଗୁଁ ଆଜି ଏହା ସମ୍ଭବ ହୋଇପାରିଛି। ୩ ବର୍ଷ ପୂର୍ବରୁ ମୁଁ ଜିଏମ୍ ବିଶ୍ବବିଦ୍ୟାଳୟକୁ ଯାଇଥିଲାବେଳେ ଅନୁଷ୍ଠାନର ବିକାଶ ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲି।
ଏହି ୩ ବର୍ଷ ଭିତରେ ଆପଣମାନେ ଜ୍ଞାନକୌଶଳରେ ଅନେକ ଉନ୍ନତି ଆଣିଥିବା ମୁଁ ଅନୁଭବ କରିପାରୁଛି। ବର୍ତ୍ତମାନର ଅନିଶ୍ଚିତ କିନ୍ତୁ ସମ୍ଭାବନାମୟ ବିଶ୍ବରେ ଆପଣମାନେ ନିଜ ଜୀବନ ଯାତ୍ରାରେ ସ୍ବପ୍ନ ଦେଖିବା, ଜ୍ଞାନ ଆହରଣ କରିବା ଓ କଠିନ ପରିଶ୍ରମ ଜାରି ରଖନ୍ତୁ ତଥା ନିରନ୍ତର ବିକାଶ ପଥର ଯାତ୍ରୀ ହୁଅନ୍ତୁ। ଆପଣଙ୍କମାନଙ୍କ ମସ୍ତିସ୍କ ଉଚ୍ଚାକାଂକ୍ଷାରେ ଭରପୂର। କିନ୍ତୁ ଏହା ବି ମନେ ରଖିବା ଉଚିତ ଯେ କଠିନ ପରିଶ୍ରମ ଓ ନିରନ୍ତର ଶିକ୍ଷା ଲାଭ ହିଁ ଏହି ଉଚ୍ଚାକାଂକ୍ଷାକୁ ଫଳବତୀ କରି ପାରିବ ବୋଲି ଡ. ମିଶ୍ର ପରାମର୍ଶ ଦେଇଥିଲେ। ଏହି ଅବସରରେ ଡ. ମିଶ୍ରଙ୍କୁ ବିଶ୍ବବିଦ୍ୟାଳୟ ତରଫରୁ ସମ୍ମାନସୂଚକ ଡିଲିଟ୍ ଉପାଧି ପ୍ରଦାନ କରା ଯାଇଥିଲା। ତାଙ୍କ ଅନୁପସ୍ଥିତିରେ ପ୍ର. ଶଂକର ପ୍ରସାଦ ପତି କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କଠାରୁ ତାହା ଗ୍ରହଣ କରିଥିଲେ।
କୁଳାଧିପତି ପ୍ରଫେସର୍ ଗଣେଶୀ ଲାଲ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଦୀକ୍ଷାନ୍ତ ଭାଷଣ ରଖି ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ସଂଘର ସଭାପତି ତଥା ଯାଦବପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍ ସୁରଂଜନ ଦାସ କହିଲେ, ଗ୍ରାଜୁଏସନ୍ ଶେଷ ନୁହେଁ, ଏହା ଏକ ନୂଆ ଆରମ୍ଭ। ଆପଣମାନେ ଯେଉଁ ଶିକ୍ଷା ଓ ତାଲିମ ପାଇଛନ୍ତି ତାହା ବଳରେ ଉପଲବ୍ଧ ସୁଯୋଗ ଓ ସମ୍ଭାବନାକୁ କରାଗତ କରି ସମାଜର ମୁଖ୍ୟସ୍ରୋତରେ ସାମ୍ନା କରିବାକୁ ଥିବା ଆହ୍ବାନ ଗୁଡ଼ିକର ସଫଳ ମୁକାବିଲା କରିପାରିବେ।
/sambad/media/post_attachments/wp-content/uploads/2023/04/31-10.jpg)
ଆପଣମାନେ ଯେଉଁଠିକୁ ବି ଯାଆନ୍ତୁ, ଯେଉଁ କାମ ବି କରନ୍ତୁ ଏହି ବିଶ୍ବବିଦ୍ୟାଳୟ କଥା ମନେ ରଖିବେ ଓ ସମାଜ ପ୍ରତି ଥିବା ନିଜ ଦାୟିତ୍ବ ଠିକ୍ଭାବେ ତୁଲାଇବେ ବୋଲି ପ୍ର. ଦାସ ପରାମର୍ଶ ଦେଇଥିଲେ। ସ୍ବାଧୀନତା ପରଠାରୁ ଭାରତ ଶିକ୍ଷା କ୍ଷେତ୍ରରେ ଅନେକ ଉନ୍ନତି କରିଛି। ଭାରତୀୟ ଉଚ୍ଚଶିକ୍ଷା କ୍ଷେତ୍ର ଚୀନ ପଛକୁ ବିଶ୍ବର ଦ୍ବିତୀୟ ବୃହତ୍ ମାନ୍ୟତା ପାଇଛି। ହେଲେ ଏବେ ବି ଅନେକ ଆହ୍ବାନ ରହିଛି। ଲଗାତାର ଉନ୍ନତି ସତ୍ତ୍ବେ କୌଣସି ଭାରତୀୟ ବିଶ୍ବବିଦ୍ୟାଳୟ ବିଶ୍ବ ମାନ୍ୟତାର ଶ୍ରେଷ୍ଠ ୧୦୦ ମଧ୍ୟରେ ସ୍ଥାନ ପାଇପାରି ନାହାନ୍ତି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏବେ ବି ଆଞ୍ଚଳିକ ବୈଷମ୍ୟତା ରହିଛି। ତେଣୁ ପିଲାଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା, ଜ୍ଞାନକୌଶଳ ଶିକ୍ଷକଙ୍କ ସ୍ଥାନ ନେବା ବଦଳରେ ଶିକ୍ଷାର ସୁଧାର ଦିଗରେ ବ୍ୟବହାର ହେବା, ଉଚ୍ଚଶିକ୍ଷାରେ ସ୍ବୟଂଶାସନ ଓ ଦାୟିତ୍ବବଦ୍ଧତା ମଧ୍ୟରେ ସନ୍ତୁଳନ ରଖିବା ଆଦି ସୁନିଶ୍ଚିତ କରିବାକୁ ହେବ ବୋଲି ପ୍ର. ଦାସ କହିଥିଲେ।
କୁଳାଧିପତି ପ୍ର. ଲାଲ୍ ନିଜ ବକ୍ତବ୍ୟରେ କହିଲେ, ଓଡ଼ିଶାର ଶିକ୍ଷା ମାନଚିତ୍ରରେ ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛି। ଗୋଟିଏ ମହାବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ହେବାର ଯାତ୍ରାରେ ଏହି ଶିକ୍ଷାନୁଷ୍ଠାନ ଉନ୍ନତ ଶିକ୍ଷା ଓ ଗବେଷଣାକୁ ପାଥେୟ କରି ଆସିଛି। ସମୟ ସହ ତାଳ ଦେଇ ଜିଏମ୍ୟୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନିଜକୁ ରାଜ୍ୟର ଏକ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ପ୍ରତିଷ୍ଠିତ କରିପାରିଛି ବୋଲି ପ୍ର. ଲାଲ୍ କହିଥିଲେ। ଆମର ଶିକ୍ଷା ହେଉକି ଗଣତନ୍ତ୍ର ସବୁ ଆଧ୍ୟାତ୍ମିକତାର ଭିତ୍ତି ଉପରେ ଛିଡ଼ା ହୋଇ ସମଗ୍ର ବିଶ୍ବ ପାଇଁ ପଥ ପ୍ରଦର୍ଶକ ପାଲଟିଛି ବୋଲି ପ୍ର. ଲାଲ୍ କହିଥିଲେ।
/sambad/media/post_attachments/wp-content/uploads/2023/04/32-9.jpg)
ସମାରୋହରେ ସ୍ବାଗତ ଭାଷଣ ରଖି ଜିଏମ୍ୟୁ କୁଳପତି ପ୍ରଫେସର ଏନ୍ ନାଗରାଜୁ ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀ, ଶିକ୍ଷକ, କର୍ମଚାରୀ, ଭିତ୍ତିଭୂମି ଆଦିର ବିବରଣୀ ରଖିଥିଲେ। ବିଶ୍ବବିଦ୍ୟାଳୟର ଗବେଷଣା, ଉପଲବ୍ଧି, କାର୍ଯ୍ୟକ୍ରମ, ବିଭିନ୍ନ ଯୋଜନାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ, ଚୁକ୍ତି ଓ ଆଗାମୀ ଯୋଜନା ଗୁଡ଼ିକ ସଂପର୍କରେ ସୂଚନା ଦେଇଥିଲେ। ପିଜି କାଉନ୍ସିଲ୍ ଅଧ୍ୟକ୍ଷ ପ୍ର. ସୁଶାନ୍ତ କୁମାର ଦାଶ ପଦକ ଓ ପିଏଚ୍ଡି ଡିଗ୍ରିଧାରୀମାନଙ୍କୁ କୁଳାଧିପତିଙ୍କ ସମ୍ମୁଖରେ ଉପବିଷ୍ଟ ହେବାକୁ ଅନୁରୋଧ କରିଥିଲେ। କୁଳସଚିବ ଯୁଗଳେଶ୍ବରୀ ଦାଶ ଡିଗ୍ରି ପ୍ରଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଭା କାର୍ଯ୍ୟକୁ ଉପକୁଳସଚିବ ଡ. ଉମାଚରଣ ପତି ସଂଯୋଜନା କରିଥିଲେ। ସମାବର୍ତ୍ତନ ଉତ୍ସବରେ ଡ. ମିଶ୍ରଙ୍କୁ ସମ୍ମାନସୂଚକ ଡିଲିଟ୍ ବ୍ୟତୀତ ୨୦୨୧, ୨୦୨୨ ଓ ୨୦୨୩ ବର୍ଷର ମୋଟ ୩୭ ଜଣଙ୍କୁ ପିଏଚ୍ଡି ପ୍ରଦାନ କରା ଯାଇଥିଲା। ସେହିପରି ୨୦୨୨ ବର୍ଷ ପାଇଁ ୧୭ ଜଣଙ୍କୁ ସ୍ମାରକୀ ସ୍ବର୍ଣ୍ଣ ପଦକ ତଥା ସ୍ନାତକ ଓ ସ୍ନାତକୋତ୍ତର ବିଷୟ ଗୁଡ଼ିକରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିବା ୯୩ ଜଣଙ୍କୁ ବିଶ୍ବବିଦ୍ୟାଳୟ ସ୍ବର୍ଣ୍ଣ ପଦକ ପ୍ରଦାନ କରା ଯାଇଥିଲା। ସେହିପରି ୨୦୨୧ ବର୍ଷର ୧୨ ଜଣଙ୍କୁ ସ୍ମାରକୀ ସ୍ବର୍ଣ୍ଣ ପଦକ ଏବଂ ସ୍ନାତକ ଓ ସ୍ନାତକୋତ୍ତର ବିଭାଗରେ ପ୍ରଥମ ଶ୍ରେଣୀ ରଖି ପ୍ରଥମ ହୋଇଥିବା ୯୨ ଜଣଙ୍କୁ ବିଶ୍ବବିଦ୍ୟାଳୟ ସ୍ବର୍ଣ୍ଣ ପଦକ ପ୍ରଦାନ କରା ଯାଇଥିଲା।
Follow Us