କୁପୋଷଣରେ ଶିକାର ଶିଶୁଙ୍କୁ ଚିହ୍ନଟ ପାଇଁ ମେଡିକାଲ୍ ଓ ସିଡିପିଓ ମାନଙ୍କ ମଧ୍ୟରେ ସମନ୍ୱୟ ଆଲୋଚନା

Advertisment
କୁପୋଷଣରେ ଶିକାର ଶିଶୁଙ୍କୁ ଚିହ୍ନଟ ପାଇଁ ମେଡିକାଲ୍ ଓ ସିଡିପିଓ ମାନଙ୍କ ମଧ୍ୟରେ ସମନ୍ୱୟ ଆଲୋଚନା

ଭଞ୍ଜନଗର : ଗର୍ଭଧାରଣ ଠାରୁ ଜନ୍ମ ପର୍ଯ୍ୟନ୍ତ ମାଆ ଓ ଶିଶୁ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ତଥାପି ମଧ୍ୟ ଅନେକ ସମୟରେ ପୁଷ୍ଠିକର ଖାଦ୍ୟ ଅଭାବରୁ ଅନେକ ଶିଶୁ କୁପୋଷଣର ଶିକାର ହେଉଛନ୍ତି। କୁପୋଷଣତା ଏକ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଏହାକୁ ଦୂରେଇବା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। କୁପୋଷଣର ଶିକାର ହୋଇଥିବା ପିଲା ମାନଙ୍କୁ ଚିହ୍ନଟ କରି ତ୍ୱରିତି ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି।

ଭଞ୍ଜନଗର ଡାକ୍ତରଖାନା ପରିସରରେ ଥିବା ପୁଷ୍ଠି ଥଇଥାନ କେନ୍ଦ୍ର ବା ଏନ୍ଆର୍‌ସିରେ ଜନ୍ମ ଠାରୁ ୫୯ ମାସ ପର୍ଯ୍ୟନ୍ତ ପିଲାମାନେ କୁପୋଷଣର ଶୀକାର ହୋଇଥିବା ଜଣାପଡିଲେ ସେମାନଙ୍କୁ ଏଠାରେ ରଖି ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ସହ ପୁଷ୍ଠିକର ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଛି। ଏଥିସହ ସେମାନଙ୍କ ବୌଦ୍ଧିକ ବିକାଶ ପାଇଁ ବିଭିନ୍ନ ଖେଳନା କୌତୁହଳ ସାମଗ୍ରୀର ବ୍ୟବସ୍ଥା ରହିଥାଏ। ଏଥିସହ ତୁରନ୍ତ ସେମାନଙ୍କ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଚିକିତ୍ସା ପ୍ରଦାନ କରାଯାଇଥାଏ। ବିଶେଷ କରି ଗ୍ରାମାଞ୍ଚଳ ଗୁଡ଼ିକରେ ସଚେତନ ଅଭାବରୁ ଅନେକ ପିଲାମାନେ କୁପୋଷଣର ଶୀକାର ହେଉଥିବାରୁ ସେମାନଙ୍କୁ ଚିହ୍ନଟ କରି ଡାକ୍ତରଖାନା ଆଣିବା ନିମନ୍ତେ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଭଞ୍ଜନଗର, ବେଲଗୁଣ୍ଠା, ସୋରଡ଼ା ଓ ଜଗନ୍ନାଥପ୍ରସାଦ ବ୍ଳକ୍‌ର ସିଡିପିଓ ମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ କରାଯାଇଥିଲା। ଏଥିରେ ବିଭିନ୍ନ ଗ୍ରାମ ଗୁଡ଼ିକରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀମାନେ ଉଚ୍ଚତା ଅନୁସାରେ ଓଜନ ବଢୁନଥିବା, ବାହୁର ଆକାର ୧୧.୫ ମିଟରରୁ କମ୍ ରହିଥିବା, ଶରୀର ପତଳା ରହିବା ସହ ପିଞ୍ଜରା ଦେଖା ଯାଉଥିବା ପିଲାଙ୍କୁ ଚିହ୍ନଟ କରି ଏନ୍‌ଆର୍‌ସିକୁ ପଠାଇବା ଦିଗରେ ପଦକ୍ଷେପ ନେବା ନିମନ୍ତେ ଆଲୋଚନା କରାଯାଇଥିଲା।

ବର୍ତ୍ତମାନ ଭଞ୍ଜନଗର ଏନ୍ଆରସିରେ କୁପୋଷଣର ଶିକାର ହୋଇଥିବା ୧୨ ଜଣ ଶିଶୁ ରହିଥିବା ଜଣାପଡିଛି। ଆଗାମୀ ଦିନରେ ଅଧିକ ସଂଖ୍ୟକ ଶିଶୁ ଆସିଲେ ଏନ୍ଆର୍‌ସିର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ସହ ପିଲାମାନଙ୍କ ଖେଳିବା ପାଇଁ ଦୋଳି ଝୁଲା ଓ ଖସଡାର ବ୍ୟବସ୍ଥା କରାଯିବ ବୋଲି ମେଡିକାଲ୍ ସୁପରିଟେଣ୍ଡ୍ ପ୍ରକାଶ କରିଛନ୍ତି। ସିଡିପିଓମାନେ ସେମାନଙ୍କ କର୍ମଚାରୀ ମାନଙ୍କ ସହ ଆସି ଏନ୍ଆରସି ପରିଚାଳନା, ପିଲାମାନଙ୍କୁ ଦିଆଯାଉଥିବା ଚିକିତ୍ସା ଓ ଖାଦ୍ୟର ବିବରଣୀ ଦେଖିବା ସହ ପରିମଳ ଓ ପରିବେଶ ଦିଗରେ ବୁଲି ଦେଖିବା ଏବଂ ଏଭଳି କୁପୋଷଣରେ ଆକ୍ରାନ୍ତ ହେଉଥିବା ପିଲା ମାନଙ୍କୁ ଏଠାକୁ ଆଣିବା ଦିଗରେ କାର୍ଯ୍ୟ କରିବେ କହିଥିଲେ। ଏଥିରେ ମେଡିକାଲ୍ ସୁପରିଟେଣ୍ଡ୍ ଡ.ସୀତାଂଶୁ ଶେଖର ଶତପଥି, ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହିଙ୍କ ସମେତ ସିଡିପିଓ ଏବଂ ସମନ୍ୱିତି ଶିଶୁ ବିକାଶ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe