ବାଃ ବାଃ’ରେ ତହସିଲଦାର : ଉପଜିଲ୍ଲାପାଳଙ୍କୁ ବି ନକଲ କରିଦେଲେ!

Advertisment

ଉପଜିଲ୍ଲାପାଳଙ୍କ ନକଲ କରିଥିବା ଅଜ୍ଞାତ ମହିଳା ଥାନାରେ ଅଟକ

ଉପଜିଲ୍ଲାପାଳଙ୍କ ନକଲ କରିଥିବା ଅଜ୍ଞାତ ମହିଳା ଥାନାରେ ଅଟକ

ବାଃ ବାଃ’ରେ ତହସିଲଦାର : ଉପଜିଲ୍ଲାପାଳଙ୍କୁ ବି ନକଲ କରିଦେଲେ!

ବାରିପଦା : କ୍ଷମତାର ଅପବ୍ୟବହାର କଣ ତାହା କରି ଦେଖାଇଦେଇଛନ୍ତି ବେତନଟୀ ତହସିଲର ବିବାଦୀୟ ବିଦାୟୀ ତହସିଲଦାର ଅନୀଶା ଦାସ। ଜଣେ ଅଜ୍ଞାତ ମହିଳାଙ୍କୁ ଉପଜିଲ୍ଲାପାଳ ଭାବେ ଚିତ୍ରଣ କରିବାକୁ ମଧ୍ୟ ପଛେଇଲେ ନାହିଁ। ତେବେ ଭାଗ୍ୟ ବାମ ହେବାରୁ ସବୁ ଖେଳ ଧରାପଡ଼ିଗଲା। ତହସିଲଦାର ନିଜେ ଫସିବା ପରେ ଏବେ ଫସିଛନ୍ତି ଉପଜିଲ୍ଲାପାଳଙ୍କ ଚରିତ୍ରରେ ଅଭିନୟ କରିଥିବା ଉକ୍ତ ମହିଳା। ଥାନାରେ ଏନେଇ ଅଭିଯୋଗ ପରେ ନିଜ ସ୍ୱାମୀଙ୍କ ସହିତ ଏରିଆ ଛାଡ଼ି ପଳାଉଥିବାବେଳେ ପୁଲିସ୍ ହାତରେ ଧରାପଡ଼ି ଥାନାରେ ଅଟକ ଅଛନ୍ତି ଉକ୍ତ ମହିଳା। ଉକ୍ତ ମହିଳାଙ୍କ ସହିତ ତାଙ୍କ ସ୍ୱାମୀ ତଥା ବେତନଟୀ ତହସିଲ ଅଞ୍ଚଳର ପ୍ରଭାବଶାଳୀ ବ୍ୟକ୍ତି ପ୍ରିୟବ୍ରତ ପଟ୍ଟନାୟକ ମଧ୍ୟ ଅଟକ ଅଛନ୍ତି। ଉପଜିଲ୍ଲାପାଳଙ୍କ ନକଲ କରିଥିବା ମହିଳାଙ୍କ ନାମ ଅମ୍ରିତା ସୁମନ ମନ୍ତ୍ରୀ ବୋଲି ଜଣାପଡ଼ିଛି। ଥାନାରେ ତାଙ୍କର ବୟାନ ରେକର୍ଡ କରାଯାଇଛି। ତେବେ ସେ କେବଳ ଗାଡିରେ ବସିଥିବା କହିଛନ୍ତି। ତାଙ୍କ ନାମକୁ କିପରି ଏବଂ କେଉଁ ଢଙ୍ଗରେ ବ୍ୟବହାର କରାଯାଇଛି ସେନେଇ ତାଙ୍କ ପାଖରେ ବିସ୍ତୃତ ତଥ୍ୟ ନଥିବା କହିଛନ୍ତି।

ଚଳିତ ମାସ ୨୦ ତାରିଖ ରାତି ପ୍ରାୟ ସାଢ଼େ୩ଟା ସମୟରେ ମୋରମ ବୋଝେଇ ଗାଡ଼ି ଜବତ ବେଳେ ଜଣେ ଅଜ୍ଞାତ ମହିଳା ଏକ ଚାରିଚକିଆରେ ଉପସ୍ଥିତ ଥିଲେ। ଉକ୍ତ ମହିଳାଙ୍କୁ ବେତନଟୀ ତହସିଲଦାର ଉପଜିଲ୍ଲାପାଳ ଭାବେ ସମ୍ବୋଧନ କରୁଥିବା ଗାଡ଼ି ଡ୍ରାଇଭର୍ ଥାନାରେ କହିଛନ୍ତି। ତେବେ ଉକ୍ତ ରାତିରେ ଘଟଣାସ୍ଥଳରେ ବାରିପଦା ଉପଜିଲ୍ଲାପାଳ ଅନ୍ବେଷା ରେଡ୍ଡୀ ଉପସ୍ଥିତ ନଥିବା ସ୍ପଷ୍ଟ କରିଛନ୍ତି। ତେଣୁ କାରରେ ଥିବା ଉକ୍ତ ଅଜ୍ଞାତ ମହିଳାଙ୍କୁ ନେଇ ସସ୍ପେନ୍ସ୍ ବଢ଼ିଥିଲା। ଏନେଇ ଥାନାରେ ଏତଲା ହେବା ପରେ ଶ୍ରୀମତୀ ମନ୍ତ୍ରୀଙ୍କୁ ପୁଲିସ୍ ଅଟକ ରଖିଛି। ତେବେ ବାରିପଦା ଉପଜିଲ୍ଲାପାଳ ଘଟଣାସ୍ଥଳରେ ନଥିଲେ ମଧ୍ୟ ବେତନଟୀ ତହସିଲଦାର କଣ ପାଇଁ ସବ୍‌କଲେକ୍ଟର୍ ମ୍ୟାଡମ୍ କହି ସମ୍ବୋଧନ କରୁଥିଲେ। ଏହା ଉପଜିଲ୍ଲାପାଳ ପଦବୀର ଗାରିମା ନଷ୍ଟ କରୁନାହିଁ କି? ଜଣେ ଉଚ୍ଚସ୍ତରର ସରକାରୀ ଅଧିକାରୀ ତାଙ୍କର ଉପରିସ୍ଥ ଅଧିକାରୀଙ୍କୁ ନକଲ କରୁନାହାନ୍ତି କି ବୋଲି ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ଅଡିଓ ଟେପ୍‌ରେ ତହସିଲଦାର ଉପଜିଲ୍ଲାପାଳ ମ୍ୟାଡମ ଉପସ୍ଥିତ ଥିବାର ବାର୍ତ୍ତାଳପ ରହିଛି। ଏହାକୁ ନେଇ ଜିଲ୍ଲାରେ ସରଗରମ ଚର୍ଚ୍ଚା ହେଉଛି। ଏନେଇ ଅଧିକ ତଦନ୍ତ ଦାବି କରିଛନ୍ତି ଅଭିଯୋଗକାରୀ। ଦୀର୍ଘ ସମୟ ଥାନାରେ ଅଟକ ରହିବା ପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୧୬୪ରେ ବୟାନ ରେକର୍ଡ କରିବା ସହିତ ଉକ୍ତ ମହିଳାଙ୍କୁ ଥାନାରୁ ଛଡ଼ାଯାଇଥିବା ଜଣାପଡ଼ିଛି। ତହସିଲଦାରଙ୍କ ବିରୋଧରେ ଉକ୍ତ ମହିଳା ସରକାରୀ ସାକ୍ଷୀ ଭାବେ ଗ୍ରହଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe