ଜଳବାୟୁ ପରିବର୍ତ୍ତନର ମୁକାବିଲା: କୃଷି ବିଭାଗ ଖୋଲିଛି ଜଳବାୟୁ ଅନୁକୂଳ ସେଲ୍‌

Advertisment

ହଜିଗଲାଣି ଗହମ ଚାଷ, ୫୦ ଦିନର ବର୍ଷା ଗାୟବ

ହଜିଗଲାଣି ଗହମ ଚାଷ, ୫୦ ଦିନର ବର୍ଷା ଗାୟବ

ଜଳବାୟୁ ପରିବର୍ତ୍ତନର ମୁକାବିଲା: କୃଷି ବିଭାଗ ଖୋଲିଛି ଜଳବାୟୁ ଅନୁକୂଳ ସେଲ୍‌

ଭୁବନେଶ୍ବର : ୨୦୧୨-୧୩ ମସିହା ବେଳକୁ ଓଡ଼ିଶାରେ ୧୪ ହଜାର ହେକ୍ଟର ଜମିରେ ଗହମ ଚାଷ ହେଉଥିଲା। ହେଲେ ଏବେ ରାଜ୍ୟରେ ଗହମ ଚାଷ ନିଶ୍ଚିହ୍ନ ପ୍ରାୟ ହୋଇ ସାରିଛି। କନ୍ଧମାଳ, କୋରାପୁଟ ସମେତ ନିକଟସ୍ଥ କିଛି ଅଞ୍ଚଳକୁ ମିଶାଇଲେ କେବଳ ୧୮୦୦ ହେକ୍ଟର ଜମିରେ ଚାଷ ହୋଇ ପାରୁଛି। ସମଗ୍ର ରାଜ୍ୟର ପରିବା, ଉପକୂଳ ଜିଲ୍ଲାରେ ପ୍ରଚୁର ଉତ୍ପାଦନ ହେଉଥିବା ମକା, ରାଶି, ବାଦାମ, ଗଞ୍ଜାମ ଜିଲ୍ଲାର କପା ମଧ୍ୟ ଆଗଭଳି ନାହିଁ। ଅତି ସ୍ବଳ୍ପ ଅପକାରୀ ଚକଡ଼ା ପୋକ ମାତ୍ର କିଛି ବର୍ଷ ପୂର୍ବରୁ ପଶ୍ଚିମ ଓଡ଼ିଶାର ଫସଲକୁ ଏଭଳି ବରବାଦ କରି ଦେଲା ଯେ ଅନେକ ସଂଖ୍ୟାରେ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ସମଗ୍ର ରାଜ୍ୟରେ ଚାଷ ଏବଂ ଚାଷୀଙ୍କ ଏତେ କ୍ଷତି ପଛର ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ ବଡ଼ କାରଣ ହେଲା ‘ଜଳବାୟୁ ପରିବର୍ତ୍ତନ’। ଯାହାର ମୁଖ୍ୟ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଏହା ଆହୁରି ଜଟିଳ ରୂପ ନେବାକୁ ଯାଉଛି। ଏହାର ମୁକାବିଲା କରିବା ପାଇଁ କୃଷି ବିଭାଗ ପକ୍ଷରୁ ‘ଜଳବାୟୁ ଅନୁକୂଳ ସେଲ’ ଖୋଲା ଯାଇଥିବା ସୂଚନା ଦେଇଛନ୍ତି କୃଷି ବିଭାଗର ସହକାରୀ ନିର୍ଦେଶକ ସଂଗ୍ରାମ କେଶରୀ ପଟ୍ଟନାୟକ ଏବଂ ଗବେଷଣା ୱିଙ୍ଗର ବରିଷ୍ଠ ବୈଜ୍ଞାନିକ ନଗେନ ମଲ୍ଲିକ। କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀଙ୍କ ତତ୍ତ୍ବାବଧାନରେ ଗଠିତ ଏହି ସେଲ୍‌ରେ ଉପରୋକ୍ତ ଦୁଇ ଅଧିକାରୀଙ୍କ ସହିତ ଓୟୁଏଟି ପ୍ରଫେସର ତୁଷାର ରଞ୍ଜନ ମହାନ୍ତି ମଧ୍ୟ ସଦସ୍ୟ ଅଛନ୍ତି।

ଶକ୍ତିଶାଳୀ ହେଉଛନ୍ତି ଅପକାରୀ ପୋକ
କୃଷିରେ ପ୍ରଭାବକୁ ନେଇ ହେବ ଅନୁଧ୍ୟାନ

publive-image

କୃଷି ବିଭାଗର ସୂଚନା ଅନୁସାରେ, ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ୨୦୧୦ ମସିହାରୁ ଜଳବାୟୁ ପରିବର୍ତ୍ତନକୁ ନେଇ ଷ୍ଟେଟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି। ଜଙ୍ଗଲ ବିଭାଗର ସଂଯୋଜନାରେ କୃଷି ବିଭାଗ ସହିତ ୧୨ଟି ବିଭାଗ ଏଥିପାଇଁ କାର୍ଯ୍ୟ କରୁଛନ୍ତି। ବୃହତ ଲକ୍ଷ୍ୟ ନେଇ ୨୦୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟ କରାଯିବ। ଅନ୍ୟ ସବୁ ବିଭାଗ ଅପେକ୍ଷା ଜଳବାୟୁ ପରିବର୍ତ୍ତନର ପ୍ରତ୍ୟକ୍ଷ ପ୍ରଭାବ କୃଷି ବିଭାଗ ଉପରେ ସର୍ବାଧିକ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି କିଛି ମାସ ପୂର୍ବରୁ କୃଷି ବିଭାଗ ସ୍ବତନ୍ତ୍ର ଭାବରେ ଏହି ସେଲ୍‌ ଗଠନ କରି କାର୍ଯ୍ୟ ଆରମ୍ଭ କରିଛି। ଜଳବାୟୁ ପରିବର୍ତ୍ତନ ରାଜ୍ୟର ଚାଷକୁ କେତେ ପ୍ରଭାବିତ କରୁଛି ଏହାର ବର୍ଷ ୱାରି ସ୍ବତନ୍ତ୍ର ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ ପାଇଁ ବିଲ ମେଲିଣ୍ଡା ଆଣ୍ଡ ଗେଟ୍ସ ଫାଉଣ୍ଡେସନ ସହିତ କୃଷି ବିଭାଗ ଚୁକ୍ତିନାମା ସ୍ବାକ୍ଷରିତ କରିଛି। ଖୁବ ଶୀଘ୍ର ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ ହେବ।

ବରିଷ୍ଠ ବୈଜ୍ଞାନିକ ନଗେନ ମଲ୍ଲିକ କହନ୍ତି, ଓଡ଼ିଶାରେ ୧୨୦ ଦିନ ଧରି ବର୍ଷା ହୁଏ। ୧୦ ବର୍ଷ ହେଲା ୫୦ ଦିନର ବର୍ଷା ଗାୟବ ହୋଇ ସାରିଛି। ଉପକୂଳ ଜିଲ୍ଲାରେ ସର୍ବାଧିକ ୩୬ରୁ ୩୭ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ର ରହୁଥିଲା। ବର୍ତ୍ତମାନ କିନ୍ତୁ ଏହା ୪୬ ଡିଗ୍ରି ପର୍ଯ୍ୟନ୍ତ ପହଞ୍ଚିଛି। ଗୋଟିଏ ଗୋଟିଏ ଅଞ୍ଚଳ ଉତ୍ତାପର ଦୀପାଞ୍ଚଳରେ ପରିଣତ ହୋଇସାରିଛ। ଶୀତ ହଜି ଯାଇଛି। ଜଳବାୟୁ ନିୟମ ଅନୁଯାୟୀ, ମେ ୨୫ରେ ପ୍ରାକ୍ ମୌସୁମୀ ଏବଂ ଜୁନ୍‌ ୫ରୁ ମୌସୁମୀ ବର୍ଷା ହେବା ଉଚିତ। ସେହି ଅନୁଯାୟୀ ଚାଷ କାର୍ଯ୍ୟ ନିର୍ଧାରଣ ହୋଇଛି। ମାତ୍ର ଏହା ସବୁ ବଦଳି ସାରିଛି। ଅର୍ଥାତ ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ ହେଉ ନାହିଁ କି ରଜରେ ତଳି ପଡ଼ୁ ନାହିଁ। ବର୍ତ୍ତମାନ ଯାହା ବଦଳିଛି ତାହା ବି ସ୍ଥିର ରହିବ ନାହିଁ। ଆଗାମୀ ଦିନରେ ଆହୁରି ବଦଳିବ। ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଅପେକ୍ଷାକୃତ କମ କ୍ଷତି କରୁଥିବା କୀଟଗୁଡ଼ିକ ଶକ୍ତିଶାଳୀ ହେବାରେ ଲାଗିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଉତ୍ତାପ ସହଣି, ଥଣ୍ଡା ସହଣି, ଲୁଣି ପାଣି ସହଣି, ବନ୍ୟା ସହଣି ବିହନ ପ୍ରସ୍ତୁତ ଏବଂ ବିକଶିତ କରାଯାଉଛି। ଆବଶ୍ୟକସ୍ଥଳରେ ଜେନେଟିକ ଉପାୟରେ ଦେଶୀ ସହିତ ବିଦେଶୀ ବିହନ ମିଶ୍ରଣ କରାଯାଉଛି। ପ୍ରତି ୩ ବର୍ଷରେ ଥରେ ନୂତନ ଜଳବାୟୁ ଅନୁକୂଳ ବିହନ ବିକଶିତ ପାଇଁ ଗୁରୁତ୍ବ ଦିଆଯାଉଛି। ଦ୍ବିତୀୟତଃ ପାଣିପାଗ ନିୟମିତ ପରିବର୍ତ୍ତନ ହେଉଥିବାରୁ ଖରା, ବର୍ଷା ସମ୍ପର୍କରେ ଏହି ସେଲ୍‌ ପକ୍ଷରୁ ଚାଷୀଙ୍କୁ ନିୟମିତ ସୂଚନା ଦିଆଯାଉଛି। ଆମ କୃଷି ପୋର୍ଟାଲରେ ପଞ୍ଜୀକୃତ ଫୋନ ନମ୍ବରରେ ଏହି ସୂଚନା ଦିଆଯାଉଛି।

publive-image Skymet Weather

ଶ୍ରୀ ମଲ୍ଲିକ କହିଛନ୍ତି, ଚାଷୀଙ୍କ ପଞ୍ଜୀକୃତ ଫୋନ ନମ୍ବର ତାଙ୍କ ସନ୍ତାନମାନେ ବ୍ୟବହାର କରୁଥିବାରୁ ଅନେକ କ୍ଷେତ୍ରରେ କୃଷି ବିଭାଗର ସୂଚନା ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ବର୍ତ୍ତମାନ ପ୍ରାକୃତିକ ଦୁର୍ବିପାକ ଯେକୌଣସି ସମୟରେ ମାଡ଼ି ଆସୁଥିବାରୁ ବିହନ ଏକାଥରକେ ବୁଣାନଯାଇ ୩ ଥର ବୁଣିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଉଛି। ଅର୍ଥାତ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଗତାନୁଗତିକ ଧାରାକୁ ନଯାଇ ଚାଷ ପଦ୍ଧତିରେ ପରିବର୍ତ୍ତନକୁ ଗୁରୁତ୍ବ ଦିଆଯାଉଛି। ତୃତୀୟତଃ ଏହି ଜଳବାୟୁ ଅନୁକୂଳ ସେଲ୍‌ ଜରିଆରେ କୃଷି ବିଭାଗରେ କାର୍ଯ୍ୟକାରୀ ପ୍ରତ୍ୟେକ ଯୋଜନା ଜଳବାୟୁ ପରିବର୍ତ୍ତନ ସହିତ କିଭଳି ଖାପଖାଇବ ତାହାକୁ ଧ୍ୟାନ ଦିଆଯାଉଛି। ଧାନ ଚାଷକୁ ଅଣଧାନ ଚାଷରେ ପରିବର୍ତ୍ତନ ମଧ୍ୟ ଏମାନଙ୍କ ଲକ୍ଷ୍ୟ। ଏହାସହିତ ବାହାର ରାଜ୍ୟ ଏବଂ ବିଦେଶରେ ଜଳବାୟୁ ପରିବର୍ତ୍ତନକୁ ନେଇ ହେଉଥିବା ଗବେଷଣାକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି। ବିଶ୍ବ ବ୍ୟାଙ୍କ ସହଯୋଗରେ ରାଜ୍ୟର ୧୫ଟି ଜିଲ୍ଲାରେ ସମନ୍ବିତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହା କେବଳ ଉଦାହରଣ ମାତ୍ର। ଜଳବାୟୁ ଅନୁକୂଳ ସେଲ୍‌ର ବଡ଼ କାର୍ଯ୍ୟକ୍ରମ ରହିଛି। ଯାହାଙ୍କ ସମ୍ମୁଖରେ ଜଳବାୟୁ ପରିବର୍ତ୍ତନ ଭଳି ବଡ଼ ଚ୍ୟାଲେଞ୍ଜ ରହିଛି। କୃଷି ବିଭାଗ ଏବଂ ଏହି ସେଲ୍‌ ଏହି ଚ୍ୟାଲେଞ୍ଜର ମୁକାବିଲା କରିବାରେ ସକ୍ଷମ ନ ହେଲେ କେବଳ ଚାଷୀ କ୍ଷତିଗ୍ରସ୍ତ ହେବେ ନାହିଁ ବରଂ ରାଜ୍ୟର ଖାଦ୍ୟ ବ୍ୟବସ୍ଥା ବିପର୍ଯ୍ୟୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe