କରୋନା ସଜାଇଲା ଷ୍ଟାଚ୍ୟୁବଏ

କରୋନା ସଜାଇଲା ଷ୍ଟାଚ୍ୟୁବଏ

ଯାଜପୁରସଦର : କରୋନା ପାଇଁ ଅନେକ ଲୋକ ନିଜର ବୃତ୍ତି ବଦଳାଇ ଥିବା ବେଳେ ଯାଜପୁରର ଜଣେ ଯୁବକ ଚାକିରି ଛାଡ଼ି ଏବେ ବନିଛନ୍ତି ଗୋଲଡେନ ଷ୍ଟାଚ୍ୟୁ ବୟ। ଯାଜପୁରର ଏହି ଯୁବ ପ୍ରତିଭା ଏବେ ଗାଁ ଛାଡ଼ି ଭୁବନେଶ୍ବରରେ ନିଜର କଳା‌ର ପ୍ରଦର୍ଶନ କରି ରୋଜଗାର କରିବା ସହ ମନୋରଞ୍ଜନର ସୁଯୋଗ ସୃଷ୍ଟି କରିଛନ୍ତି।

ବିଂଝାରପୁର ବ୍ଲକ୍ ମାଁସଡ଼ା ଗ୍ରାମର ସୁନାକର ପାତ୍ରଙ୍କ ଏକମାତ୍ର ପୁଅ ସୂର୍ଯ୍ୟକାନ୍ତ (୨୬)। ଯୁକ୍ତ ଦୁଇ ପାଠପଢ଼ା ଶେଷ ପରେ କେନ୍ଦୁଝରର ଏକ ଘରୋଇ କମ୍ପାନି‌ରେ ଚାକିରି କରିଥିଲେ। କିନ୍ତୁ କରୋନା ସମୟରେ ସୂର୍ଯ୍ୟକାନ୍ତଙ୍କ ରୋଜଗାରର ପନ୍ଥା ବନ୍ଦ ହୋଇଯାଇଥିଲା। କରୋନା ସମୟରେ ଚାକିରି ହରାଇ ଘରେ ବସିଥିବା ବେଳେ ୟୁଟ୍ୟୁବ୍‌ରୁ ଷ୍ଟାଚ୍ୟୁ ମ୍ୟାନଙ୍କ ଷ୍ଟୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ। ଓଡ଼ିଶାରେ ଏପରି କଳାର କେହି ପ୍ରତିଭା ନଥିବା ଜାଣି ସୂର୍ଯ୍ୟକାନ୍ତ ଏହି କଳାକୁ ଆ‌ପଣେଇବାକୁ ଉଦ୍ୟମ କରିଥିଲେ।

ନିଜର ଇଚ୍ଛଶକ୍ତି ଓ ଉଦ୍ୟମ ଫଳରେ ସେ ଏଥିରେ ପ୍ରାରମ୍ଭିକ ସଫଳତା ପାଇଛନ୍ତି। ନିଜ କଳାର ପ୍ରସାର ପାଇଁ ଭୁବନେଶ୍ବର ମାର୍କେଟ ବିଲଡିଂରେ ସଂଧ୍ୟା ସମୟରେ ଛିଡ଼ା ହୋଇରହୁଛନ୍ତି। ପ୍ରାୟ ୨ରୁ ୩ ଘଣ୍ଟା ଗୋଟିଏ ମୁଦ୍ରାରେ ଛିଡ଼ା ହୋଇ ‘ଷ୍ଟାଚ୍ୟୁ ବୟ’ର ପରିଚୟ ସୃଷ୍ଟି କରିଛନ୍ତି। ଏପରି ନିଆରା କଳା ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ ପରି ଅନ୍ୟାନ୍ୟ ବଡ଼ବଡ଼ ସହରରେ ଦେଖିବାକୁ ମିଳୁଥିବା ବେଳେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଆଗ୍ରହ ବଢ଼ିଛି। ଅନେକ ଲୋକ ତାଙ୍କସହ ‌ସେଲ୍‌ଫି ନେଉଛନ୍ତି ଓ ଆର୍ଥିକ ସହାୟତା ଦେଉଛନ୍ତି। ଏହି କଳାକୁ ନେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସେ ଲକ୍ଷ୍ୟ ରଖିଥିବା କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe