କରୋନାରେ ଉଠାଦୋକାନୀଙ୍କୁ ୩ହଜାର ଟଙ୍କା ସହାୟତା ପ୍ରସଙ୍ଗ : ଯୋଗ୍ୟଙ୍କୁ ମିଳୁନି, ଚିହ୍ନାଜଣାଙ୍କୁ ଅଛି

Advertisment

୧୨ ବର୍ଷ ହେବ ବେପାର କରୁଛନ୍ତି, ତାଲିକାକୁ ନାଁ ଉଠିନି, ଗୁହାରୀ କରିବାକୁ ଯାଇ ଅଧିକାରୀଙ୍କ ନାଲି ଆଖି ଦେଖିଲେ

୧୨ ବର୍ଷ ହେବ ବେପାର କରୁଛନ୍ତି, ତାଲିକାକୁ ନାଁ ଉଠିନି, ଗୁହାରୀ କରିବାକୁ ଯାଇ ଅଧିକାରୀଙ୍କ ନାଲି ଆଖି ଦେଖିଲେ

କରୋନାରେ ଉଠାଦୋକାନୀଙ୍କୁ ୩ହଜାର ଟଙ୍କା ସହାୟତା ପ୍ରସଙ୍ଗ : ଯୋଗ୍ୟଙ୍କୁ ମିଳୁନି, ଚିହ୍ନାଜଣାଙ୍କୁ ଅଛି

ବାରିପଦା : ବୟସ ପ୍ରାୟ ୬୦ହେବ। ଦୁଇ ଦଶନ୍ଧି ହେବ ବାରିପଦାରେ ରହି ବେପାର କରୁଛନ୍ତି। ସୀମିତ ରୋଜଗାର। କରୋନା କିନ୍ତୁ ଛଡ଼େଇ ନେଇଛି ବଞ୍ଚିବାର ମାଧ୍ୟମ। ଆଶା ଥିଲା ରାଜ୍ୟ ସରକାର ଉଠାଦୋକାନୀଙ୍କୁ ସହାୟତା ଆକାରରେ ଦେବାକୁ ଥିବା ୩ହଜାର ଟଙ୍କା ଉପରେ। ମାତ୍ର ସେ ତାଲିକାରେ କିନ୍ତୁ ନାମ ନାହିଁ ବାଞ୍ଛାନିଧି ଦାସଙ୍କର। ଅଧିକାରୀଙ୍କୁ ଗୁହାରି କରିବାକୁ ଗଲେ ମଧ୍ୟ ଫଳ କିଛି ହେଲାନି। ଓଲଟି ଅଧିକାରୀଙ୍କ ନାଲି ଆଖି ଦେଖି ହତାଶ ହୋଇ ଫେରିବାକୁ ପଡ଼ିଲା।

publive-image

କରୋନା କାରଣରୁ ହୋଇଥିବା ଲକ୍‌ଡାଉନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଉଠାଦୋକାନୀମାନଙ୍କ ନିମନ୍ତେ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାର ଘୋଷଣା କରିଛନ୍ତି। ମାତ୍ର ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷଦରେ ସହାୟତା ରାଶି ପାଇବା ନିମନ୍ତେ ଶତାଧିକ ଯୋଗ୍ୟ ଉଠା ଦୋକାନୀ ବାଦ ପଡ଼ିଛନ୍ତି । ବାରିପଦା ପୌରପରିଷଦ ଅଧିନରେ ୭୩୦ ଜଣ ଉଠାଦୋକାନୀ ସହାୟତା ରାଶି ପାଇବା ନିମନ୍ତେ ଏକ ସୂଚୀ ପ୍ରକାଶ ପାଇଛି। ତାଲିକାରୁ ବାଦ ପଡ଼ିଥିବା ଉଠା ଦୋକାନୀମାନେ ପୌରନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ବ୍ଲକ ବିଡିଓ ସରୋଜ କୁମାର ଦାଶଙ୍କ ନିକଟରେ ଆପତ୍ତି କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରି ନାହାନ୍ତି । ଫଳରେ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଥିବା ଉଠାଦୋକାନୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

publive-image

ବାରିପଦା ପୌରପରିଷଦରେ ଉଠା ଦୋକାନୀମାନଙ୍କୁ ଚିହ୍ନଟ କରାଯିବା ନିମନ୍ତେ ୨୦୧୫-୧୬ରେ ହୋଇଥିବା ସର୍ଭେ ଅନୁସାରେ ୭୩୦ ଜଣ ଉଠା ଦୋକାନୀମାନଙ୍କୁ ଉକ୍ତ ୩ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଏକ ତାଲିକା ପୌର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି । ତେବେ ୨୦୧୫-୧୬ରେ ପୌରପରିଷଦ କରିଥିବା ସର୍ଭେ ରିପୋର୍ଟର ବୈଧତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ପୌରପରିଷଦର ସର୍ଭେ କାର୍ଯ୍ୟାଳୟ ସମୟ ମଧ୍ୟରେ ହୋଇଥିଲା । କିନ୍ତୁ ସନ୍ଧ୍ୟା ସମୟରେ ରାସ୍ତା କଡ଼ରେ ଗୁପଚୁପ୍, ଚାଟ, ଫାଷ୍ଟ ଫୁଡ଼, ମିକ୍ଚର ଆଦି ଦୋକାନ ଲାଗୁଥିବାରୁ ଏମାନେ ପୌରପରିଷଦର ସର୍ଭେ ତାଲିକାରୁ ବାଦ ପଡ଼ିଥିବା ଅଭିଯୋଗ କରିଛନ୍ତି ଉଠା ଦୋକାନୀ ରାମକୃଷ୍ଣ ଦାସ, ନଳୀନ ଦାସ, ମନୋଜ କୁମାର ଦାସ, ବାଞ୍ଛାନିଧି ଦାସ, ରାମଚନ୍ଦ୍ର ଦାସ, କାଳିଚରଣ ଦାସ, ନାରାୟଣ ଦାସ, ପ୍ରିୟବ୍ରତ ଦାସ, ବେବାଶିଷ ଦାସ, ଶାନ୍ତନୁ ସରକାର ଓ ଗୋପାଲ ତରେଇ ପ୍ରମୁଖ ।

publive-image

ବାରିପଦା ୱାର୍ଡ ନଂ-୭, ମଧୁବନ ତଳସାହି ଅଞ୍ଚଳର ଗୋପାଳ ତରେଇଙ୍କ କହିବା ଅନୁସାରେ ଆଜକୁ ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଧରି ଠେଲା ଗାଡ଼ିରେ ଦୋକାନ କରିଆସୁଥିବା ବେଳେ ୨୪/୦୭/୨୦୧୫ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସାର୍ଟିଫିକେଟ ନମ୍ବର ୨୨୦୧୫୦୨୨୦୦୦୫୨୬ରେ ଫୁଡ଼ ଲାଇସେନ୍ସ ନେଇଥିଲେ । ଯଦି ପୌରପରିଷଦ ୨୦୧୫-୧୬ ବର୍ଷର ସର୍ଭେ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ କରୋନା ସାହାୟତା ରାଶି ୩ ହଜାର ଟଙ୍କାପ୍ରଦାନ କରାଯାଉଛି, ତେବେ ତାଲିକାରୁ ତାଙ୍କର ନାମ ବାଦ ପଡ଼ିଲା କିପରି । ପୁଣି ପୁରୁଣା ସର୍ଭେ ତାଲିକାରେ ଯେଉଁମାନଙ୍କର ନାମ ରହିଛି ସେମାନଙ୍କ ମଧ୍ୟରୁ କେତେକ ପୌରପରିଷଦରୁ ଘର ପାଇ ବ୍ୟବସାୟ କରୁଛନ୍ତି । ପୁଣି କେହି କେହି ମରିହଜି ଯାଇଛନ୍ତି । ୨୦୧୬ରୁ ୨୦ ମଧ୍ୟରେ ସହରରେ ଉଠାଦୋକାନୀ ଭାବେ କେତେକ ନୂଆ ମୁହଁ ଦେଖିବାକୁ ମିଳୁଛି । କ୍ଷତିର ସମ୍ମୁଖୀନ ହେଉଛି ଜଣେ, ସହାୟତା ପାଉଛି ଅନ୍ୟ ଜଣେ । ଏହା କେମିତିକା ନ୍ୟାୟ ବୋଲି ଶ୍ରୀ ତରେଇ ପ୍ରକାଶ କରିଛନ୍ତି । ଏଥି ସହିତ ଏହାର ପୁନଃ ସମୀକ୍ଷା କରାଯିବାର ଦାବି କରିଛନ୍ତି । ଏ ବିଷୟରେ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe