କନ୍ଧମାଳରେ ଲକଡାଉନ, ସଟଡାଉନ ଓ କଣ୍ଟେନମେଣ୍ଟ: କରୋନା ସିରିଜ୍ କଟକଣାରେ ଜିଲ୍ଲାବାସୀ ଅତିଷ୍ଟ

Advertisment

୩ ଭାଗ ଲୋକଙ୍କ ଜୀବନ ଜୀବିକା ସଙ୍କଟରେ 

୩ ଭାଗ ଲୋକଙ୍କ ଜୀବନ ଜୀବିକା ସଙ୍କଟରେ 

କନ୍ଧମାଳରେ ଲକଡାଉନ, ସଟଡାଉନ ଓ କଣ୍ଟେନମେଣ୍ଟ: କରୋନା ସିରିଜ୍ କଟକଣାରେ ଜିଲ୍ଲାବାସୀ ଅତିଷ୍ଟ

ଫୁଲବାଣୀ: ସମଗ୍ର ବିଶ୍ବକୁ କବଳିତ କରି ସାରିଲାଣି ମହାମାରୀ କରୋନା। କରୋନା ପାଇଁ ଅଦ୍ୟାବଧି ଔଷଧ ବାହାରି ନଥିବା ବେଳେ କେବଳ କଟକଣା ଓ ସତର୍କତା ହିଁ ପ୍ରତିହତ ମାଧ୍ୟମ ସାଜିଛି। କନ୍ଧମାଳ ଭଳି ଏକ ପଛୁଆ ଓ ଆଦିବାସୀ ବହୁଳ ଜିଲ୍ଲାରେ କରୋନା କଟକଣା ଯୋଗୁ ଲୋକଙ୍କ ଜୀବନଜୀବିକା ଦୁର୍ବିସହ ହୋଇ ପଡିଛି। ୩ ଭାଗ ଲୋକଙ୍କ ଜୀବନଜୀବିକା ଘୋର ସଙ୍କଟ ଦେଇ ଗତି କରୁଛି। ଦୀର୍ଘ ୫ ମାସ ହେଲା କରୋନା ବୃଦ୍ଧିକୁ ନେଇ ଜିଲ୍ଲା ପ୍ରଶାସନ ଲକଡାଉନ ଓ ସଟ ଡାଉନ ‌ଜିଲ୍ଲା‌ରେ ଜାରି କରୁଛି। ଆଉ ବହୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ କରିଛି। କହିବାକୁ ଗଲେ ସମଗ୍ର ଜିଲ୍ଲା ନିଷେଧାଞ୍ଚଳ କବଳରେ ରହିଥିବା ବେଳେ ଜିଲ୍ଲାବାସୀ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ବେଶୀ ହଇରାଣ ହେଉଛନ୍ତି ମଧ୍ୟବିତ୍ତ ପରିବାର ଲୋକ।

କରୋନା ପାଇଁ ଛୋଟମୋଟ ବ୍ୟବସାୟ କରି ପରିବାର ଚଳାଉଥିବା ଲୋକଙ୍କ ଅବସ୍ଥା ନ କହିବା ଭଲ। ନାଁ ପାଖରେ ଆଉ ଅର୍ଥ ଅଛି ନାଁ ଗରିବ ଭଳି ସେମାନଙ୍କୁ ମିଳୁଛି ସରକାରୀ ସହାୟତା। ଉଠା ଦୋକାନୀଠାରୁ ଆରମ୍ଭ କରି ବସ କର୍ମଚାରୀ। ଅଟୋମୋବାଇଲ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କଠାରୁ ହୋଟେଲରେ କାମ କରୁଥିବା କର୍ମଚାରୀ। ଆଉ ଦିନ ମଜୁରିଆଠାରୁ ଆରମ୍ଭ କରି ଭିକ୍ଷାବୃତ୍ତି କରୁଥିବା ଲୋକଟିଏ ବି କରୋନା କଟକଣାରୁ ବାଦ ପଡି ନାହିଁ। ପରିବା ଚାଷୀକୁ ବି ବହୁ କ୍ଷତି ସହିବାକୁ ପଡିଛି। ଉତ୍ପାଦିତ ପରିବାକୁ ବିକ୍ରି ନ କରିବା ଫଳରେ ଜମିରେ ନଷ୍ଟ ହେଉଛି। ଏମିତି ବହୁ ଲୋକ କରୋନା ମହାମାରୀ କଟକଣା ଯୋଗୁ ଜୀବିକା ହରାଇ ବସିବାକୁ ବସିଥିବା ବେଳେ ଏହାର ସଂଖ୍ୟା ପ୍ରାୟତଃ ୪ ଭାଗରୁ ୩ ଭାଗ ହେବ ବୋଲି କୁହାଯାଉଛି।

ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଗରିବ ଆଦିବାଦୀ। ଯେଉଁମାନେ ପ୍ରତିଦିନ ଜଙ୍ଗଲଜାତ ଦବ୍ୟ ସଂଗ୍ରହ କରି ବିକ୍ରିବଟା କରି ପରିବାର ଚଳାଇ ଥାନ୍ତି। ଜାଳେଣି କାଠ ହେଉ କି ଶାଳପତ୍ର। ଅଧିକାଂଶ ଲୋକ ଜଙ୍ଗଲରୁ ଜଳେଣି କାଠ ଓ ଶାଳପତ୍ର ସଂଗ୍ରହ କରି ବିକ୍ରିବଟା କରିଥାନ୍ତି। ଏଥିରୁ ମିଳୁଥିବା ଟଙ୍କାରେ ପରିବାର ଚଳିଥାଏ। ହେଲେ ଦୀର୍ଘ ୫ ମାସ ହେଲା କରୋନା କଟକଣା ଯୋଗୁ ସେମାନଙ୍କ ଜୀବନ ଜୀବିକା ସଙ୍କଟ ଦେଇ ଗତି କରୁଛି। ସରକାରଙ୍କ ପକ୍ଷରୁ ମିଳୁଥିବା ଚାଉଳ ଓ ଡାଲିରେ ପେଟକୁ ସିନା ଦାନା ମିଳୁ ଯାଉଛି। ହେଲେ ତାହା ଘରର ସବୁ ଆବଶ୍ୟକତାକୁ ପୁରଣ କରି ପାରୁ ନାହିଁ। ଜିଲ୍ଲା ପ୍ରଶାସନର ବାରମ୍ବାର କରୋନା କଟକଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୋକାନ ବଜାର ବନ୍ଦ। ପଦାକୁ ବାହାରିବା ମନା। ବାହାରିଲେ ଜରିମାନା ଓ ମାଡର ଭୟ ଦେଖା ଯାଉଛି।

କରୋନା ବୃଦ୍ଧିକୁ ନେଇ ଲୋକଙ୍କ ଜୀବନ ବଞ୍ଚିବା ପାଇଁ ଜିଲ୍ଲା ପ୍ରଶାସନ କଟକଣା ପରେ କଟକଣା ଜାରି କରୁଛି। ଏହାକୁ ସ୍ବାଗତ କରାଯାଉଥିବା ବେଳେ ଲୋକଙ୍କ ଜୀବିକା ପାଇଁ କୌଣସି ଉଦ୍ୟମ କରାଯାଉ ନାହିଁ। ସବୁଠାରୁ ବଡ କଥା ହେଲା ଲକ, ସଟ ଡାଉନ, କଣ୍ଟେନମେଣ୍ଟ ଓ ବଫର ଜୋନ କଟକଣା କଣ। ସେ ନେଇ ପ୍ରଶାସନ ଅବଗତ କରାଉ ନାହିଁ କି ଏ ନେଇ ଲୋକମାନେ ବି ଅନ୍ଧାରରେ ରହୁଛନ୍ତି। କରୋନାକୁ ବୃଦ୍ଧିକୁ ରୋକିବା ପାଇଁ ବିନା ପ୍ଲାନରେ ଜିଲ୍ଲା ପ୍ରଶାସନର ବାରମ୍ବାର କଟକଣା ଜାରି ଜିଲ୍ଲାବାସୀଙ୍କୁ ଅତିଷ୍ଟ କରାଇ ପକାଇଛି। ଆଉ ବହୁ ଲୋକଙ୍କୁ ଜୀବନ ଜୀବିକା ହରାଇବାକୁ ପଡିଛି। କରୋନାକୁ ପ୍ରତିହତ କରିବା ନିମନ୍ତେ କଟକଣା ଜାରି ହେଉ। ଆଉ ଲୋକଙ୍କ ଜୀବିକା ପ୍ରତି ଧ୍ୟାନ ଦିଆଯାଉ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe