World Health Organization
ବରଗଡ଼: ଜିଲ୍ଲାରେ କରୋନା ପୁଣି ଚେର ଲମ୍ବାଇ ଚାଲିଛି। ଗତ ଚାରି ପାଞ୍ଚ ଦିନ ହେଲା ପ୍ରାୟତଃ ସବୁ ବ୍ଲକ୍ରୁ ଗୋଟିଏ ଦୁଇଟି ଆକ୍ରାନ୍ତ ମାମଲା ସାମ୍ନାକୁ ଆସୁଥିଲା। ଏବେ ଦୈନିକ ସଂକ୍ରମଣ ପୁଣି ଅଚାନକ ଦୁଇ ଅଙ୍କ ଛୁଇଁଛି। ଜିଲ୍ଲାରେ ରବିବାର ମୋଟ୍ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋହେଲା ବ୍ଲକ୍ରେ ସର୍ବାଧିକ ୪ ଜଣ ଆକ୍ରାନ୍ତ ବାହାରିଛନ୍ତି।
ଅତାବିରା ବ୍ଲକ୍ ଦୁଲମପୁରରେ ୨ଜଣ ଓ ଅତାବିରାରୁ ଜଣେ, ବରଗଡ଼ ପୌରାଞ୍ଚଳ ଓ ବରାହଗୋଡ଼ାରୁ ଜଣେ ଲେଖାଏଁ, ପଦ୍ମପୁର ଏନ୍ଏସିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାର ତୃତୀୟ ଲହର ସମସ୍ତଙ୍କୁ ଆତଙ୍କିତ କରୁଥିବାବେଳେ ଜିଲ୍ଲାରେ ସତର୍କତାମୂଳକ ସେଭଳି କିଛି ପଦକ୍ଷେପ ହୋଇନାହିଁ। ଏଣେ କରୋନା ଦୈନିକ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଛି। ଢେର ଦିନ ହେଲା। କୋଭିଡ୍ ହସ୍ପିଟାଲ ବି ବନ୍ଦ ରହିଛି। ବାହାର ଦେଶ କିମ୍ବା ରାଜ୍ୟରୁ ଆସୁଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ କିଛି ବନ୍ଦୋବସ୍ତ ନାହିଁ।
ପୂର୍ବରୁ କୋଭିଡ୍ ମୁକାବିଲା ପାଇଁ ସବୁ ବିଭାଗକୁ ନେଇ ଯେଉଁ ବ୍ୟବସ୍ଥା ସୃଷ୍ଟି କରାଯାଇଥିଲା, ଏବେ ସେସବୁ କିଛି ନାହିଁ। ଯଦି ସମ୍ଭାବ୍ୟ ତୃତୀୟ ଲହର ଆରମ୍ଭ ହୁଏ, ତେବେ ଜିଲ୍ଲାରେ ଏହାର ମୁକାବିଲା କାଠିକର ହୋଇପଡ଼ିବ। ପ୍ରଥମ କରୋନା ଲହର ବେଳେ ୨ଶହ ଉପରେ ସଂଗରୋଧ କକ୍ଷ ସୃଷ୍ଟି କରାଗଲା। କିନ୍ତୁ ଏବେ ସଂଗରୋଧ କେନ୍ଦ୍ରର କିଛି ସରଞ୍ଜାମ ନାହିଁ। ପଞ୍ଚାୟତରେ ଥିବା କେନ୍ଦ୍ରଗୁଡ଼ିକରୁ ଗଦି ତକିଆ ଘରକୁ ବୋହି ନେଲେଣି। ଫ୍ୟାନ୍, ଫିଲ୍ଟର୍ ଖୋଲି ଘରୋଇ କାମରେ ଲାଗିଛି।
ଏପରିକି ସିସିକ୍ୟାମେରାଗୁଡ଼ିକ ଉଭାନ ହୋଇ ସାରିଛି। କିଛି ସ୍ଥାନେର କ୍ୟାମେରା ପଞ୍ଚାୟତ ଅଫିସ୍ରେ ଖଞ୍ଜା ଯାଇଛି। ଯଦି କରୋନା ପୁଣି ବଢ଼େ ଏବଂ ସଂଗରୋଧ କେନ୍ଦ୍ର ସୃଷ୍ଟି କରାଯାଏ, ତେବେ ଗାଏବ୍ ସାମଗ୍ରୀ ପୁଣି ଠିକଣା ସମୟରେ ମହଜୁଦ ରହିବ ନା ନାହିଁ, ତାହା ଏକ ବିରାଟ ପ୍ରଶ୍ନ। କାରଣ ସଂଗରୋଧ କେନ୍ଦ୍ର ପାଇଁ କେତେ ସାମଗ୍ରୀ କେତେ ମୂଲ୍ୟରେ କିଣାଯାଇଥିଲା, ତାହାର ଅଡିଟ୍ ମଧ୍ୟ ହୋଇନାହିଁ। କିଛି ସରପଞ୍ଚ ତ କେନ୍ଦ୍ରର ସାମଗ୍ରୀ ଖୋଲି ନିଜ ଘରେ ବ୍ୟବହାର କରୁଥିବା ଦେଖା ଦେଇଛି। ତେଣୁ ଠିକଣା ସମୟରେ ପୁଣି ପ୍ରସ୍ତୁତି ଆରମ୍ଭ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
Follow Us