କରୋନା ମାଡ଼, ଉଜୁଡ଼ିଗଲାଣି ଖଜା ବେପାର

କରୋନା ମାଡ଼, ଉଜୁଡ଼ିଗଲାଣି ଖଜା ବେପାର

ପୁରୀ: ପୁରୀର ସ୍ବତନ୍ତ୍ର ବ୍ୟବସାୟ ଖଜା ବେପାର ବୁଡ଼ାଇବାକୁ ବସିଲାଣି କରୋନା କଟକଣା। ଗତ ବର୍ଷ ମାର୍ଚ୍ଚ ମାସରୁ ପୁରୀରେ କରୋନାର ପ୍ରଭାବ ଯୋଗୁ ଖଜା ବ୍ୟବସାୟୀମାନଙ୍କର ଅଣ୍ଟା ଭାଙ୍ଗିଗଲାଣି। ଏହାଦ୍ବାରା କେବଳ ଖଜା ବ୍ୟବସାୟୀମାନେ ହଇରାଣ ହେଉଛନ୍ତି ତା‘ ନୁହେଁ, ଖଜା ବ୍ୟବସାୟୀଙ୍କୁ କଞ୍ଚା ମାଲ୍‌ ଯୋଗାଉଥିବା ବ୍ୟବସାୟୀ, ଖଜା ପ୍ରସ୍ତୁତି କରୁଥିବା କୁଶଳୀ କାରିଗର, ଖଜା ଦୋକାନରେ କାମ କରୁଥିବା କର୍ମଚାରୀମାନେ ପ୍ରଭାବିତ ହୋଇଛନ୍ତି। ସମସ୍ତେ ଏବେ ବେକାର ହୋଇ ବସିରହିଛନ୍ତି। ଏପରିକି ଦୈନିକ ଘର ଚଳିବା ପାଇଁ ମଧ୍ୟ ଚିନ୍ତାରେ ଅଛନ୍ତି।

ପୁରୀ ଖଜାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏହି ବ୍ୟବସାୟ ଉପରେ ପ୍ରାୟ ୫ ହଜାର ପରିବାର ନିର୍ଭର କରନ୍ତି। ପୁରୀରେ ପ୍ରାୟ ୪ ଶହ ‌ଛୋଟବଡ଼ ଦୋକାନ ରହିଥିବା ବେଳେ ସେହିପରି ଖଜା ତିଆରି ହେଉଥିବା ଭାଟି ସଂଖ୍ୟା ପ୍ରାୟ ୩୦ରୁ ଅଧିକ ରହିଛି। ବିଭିନ୍ନ କିସମର ଖଜା ବିଭିନ୍ନ ପ୍ରକାର ଦରରେ ବିକ୍ରୟ ହୋଇଥାଏ। ଖଜା ତିଆରିର କୌଶଳ କେବଳ ପୁରୀରେ ହିଁ ରହିଛି। ଏହି ୩୦ଟି ଭାଟିରେ ଦୈନିକ ପ୍ରାୟ ୫ ଲକ୍ଷ ଟଙ୍କାର ଖଜା ତିଆରି କରାଯାଇଥାଏ। କେତେକ ବ୍ୟବସାୟୀ ନିଜ ନିଜର ଭାଟି ରଖିଥିବା ବେଳେ ଛୋଟ ଛୋଟ ଦୋକାନୀ ଭାଟିରୁ ଖଜା କିଣି ଗ୍ରାହକଙ୍କୁ ବିକ୍ରୟ କରିଥାନ୍ତି। ପୁରୀରେ ବିଶିଷ୍ଟ ଦୋକାନୀ ଭାବେ କାକତୁଆ ଖଜା ଦୋକାନ, ନୃସିଂହ ସୁଇଟ୍‌ସ, ଭାଇ ଭାଇ ଖଜା ଦୋକାନ, ଟେଷ୍ଟ ଆଣ୍ଡ୍‌ ଟୁଇଷ୍ଟ୍‌ ଖଜା ଦୋକାନ, ଭରତ ସୁଇଟ୍‌ସ, ମମତା ସୁଇଟ୍‌ସ ଆଦି ଆଗ ଧାଡ଼ିର ‌ଖଜା ଦୋକାନ ରହିଛି।

ପୁରୀରେ ବି‌ଶେଷ କରି ଖଜା ବ୍ୟବସାୟ ପର୍ଯ୍ୟଟକମାନଙ୍କ ଉପରେ ନିର୍ଭର କରିଥାଏ। ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀମାନେ ହିଁ ପୁରୀକୁ ଆସି ଏଠାରୁ ଫେରିବା ପରେ ସମ୍ପର୍କୀୟମାନଙ୍କ ପାଇଁ ଖଜା ନେଇଥାନ୍ତି। ପୁରୀରେ ଅଧିକାଂଶ ପର୍ଯ୍ୟଟକ ପଶ୍ଚିମବଙ୍ଗରୁ ଆସୁଥିବା ବେଳେ ସେମାନଙ୍କ ଉପରେ ଖଜା ବ୍ୟବ୨ସାୟ ବିଶେଷଭାବେ ନିର୍ଭର କରେ ବୋଲି ବ୍ୟବସାୟୀ କାବୁ ରଣା କହିଛନ୍ତି। ସେ କହିଛନ୍ତି ଯେ ଗତ ମାର୍ଚ୍ଚ ମାସରେ କରୋନା ପ୍ରଭାବ ଦେଖାଇବା ପରେ ପ୍ରାୟ ୮ ମାସ ହେବ ହାତ ବାନ୍ଧି ବସିଥିଲୁ। ତଥାପି କର୍ମଚାରୀମାନଙ୍କ ପରିବାର ପୋଷଣ ପାଇଁ ମଧ୍ୟ ସେମାନଙ୍କୁ ଖର୍ଚ୍ଚ ଦେବାକୁ ପଡ଼ୁଥିଲା। ଗତ ଦୁଇ ମାସ ହେବ ଆମେ କିଛି ବ୍ୟବସାୟ କରି ସାଧାରଣ ଅବସ୍ଥାକୁ ଆସିଯାଇଥିଲୁ। କିନ୍ତୁ ପୁଣି କରୋନା ପାଇଁ ପୁରୀକୁ ଯାତ୍ରୀଙ୍କ ଆସିବା ବନ୍ଦ ହୋଇଯିବାରୁ ଏବେ ନିଜେ ବଞ୍ଚିବା ମଧ୍ୟ କଷ୍ଟକର ହେଲାଣି। ତେଣୁ ଆମମାନଙ୍କ କର୍ମଚାରୀମାନଙ୍କୁ ବଞ୍ଚିବା ପାଇଁ ଯଦି କୌଣସି ସରକାରୀ ସହାୟତା ମିଳନ୍ତା, ତେବେ ନିଶ୍ଚିତ ଭାବେ ସେମାନେ ବଞ୍ଚିଯିବେ ବୋଲି ସେ ମତ ଦେଇଛନ୍ତି।

ସେହିପରି ନୃସିଂହ ସୁଇଟ୍‌ସର ମାଲିକ ଜଗନ୍ନାଥ ସାହୁଶର୍ମା କହିଛନ୍ତି ଯେ ପ୍ରାୟ ପନ୍ଦର ମାସ ହେବ ଖଜା ବେପାର ଏକପ୍ରକାର ଉଜୁଡ଼ିଗଲାଣି। ଯଦିଓ କରୋନାର ପ୍ରଥମ ଲହରୀ ସମୟରେ ଆମେମାନେ କର୍ମଚାରୀମାନଙ୍କୁ କିଛି କିଛି ଆର୍ଥିକ ସହାୟତା ଦେଇପାରୁଥିଲୁ। ମାତ୍ର ଦ୍ବିତୀୟ ଲହରୀ ସମୟରେ ଏହା ସମ୍ଭବପର ହୋଇପାରୁନାହିଁ। କର୍ମଚାରୀମାନେ ଏବେ ମୂଲ ଲାଗିବାଠାରୁ ଆରମ୍ଭ କରି ଟ୍ରଲି ଚଳାଇ ପରିବାର ଭରଣ ପୋଷଣ କରୁଛନ୍ତି। ବିଲରେ ମଧ୍ୟ ସେମାନେ କାମ କରିପାରୁନାହାଁନ୍ତି। ତେଣୁ ସେମାନେ ବଡ଼ କଷ୍ଟରେ ଅଛନ୍ତି। ସେହିପରି ଖଜା ବ୍ୟବସାୟୀ ବଳରାମ ଖୁଣ୍ଟିଆ କହିଛନ୍ତି ଯେ ସେ ନୂଆକରି ଖଜା ବ୍ୟବସାୟ କରିବା ପାଇଁ ଲକ୍ଷାଧିକ ଟଙ୍କା ଋଣ କରି ଆରମ୍ଭ କରିଥିଲେ। ମାତ୍ର କରୋନା ମାଡ଼ ଅସମ୍ଭାଳ ହେଲାଣି ବୋଲି ସେ କହିଛନ୍ତି। ଖଜା ବ୍ୟବସାୟୀମାନଙ୍କୁ କଞ୍ଚା ମାଲ୍‌ ଯୋଗାଉଥିବା ବ୍ୟବସାୟୀମାନେ ମଧ୍ୟ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେମାନେ ଦେଇଥିବା କଞ୍ଚା ମାଲ ପାଇଁ ଖର୍ଚ୍ଚ କରିଥିବା ଅର୍ଥ ମଧ୍ୟ ସେମାନେ ପାଇପାରୁ ନାହାନ୍ତି। କର୍ମଚାରୀଙ୍କ ଅବସ୍ଥା କହିଲେ ନସରେ। କରୋନାର ପ୍ରଭାବ କେବେ ସାଧାରଣ ଅବସ୍ଥାକୁ ଫେରିବ, ସେମାନେ ପୁଣି ଅଣ୍ଟା ସଳଖ କରି ଠିଆ ହେବେ ସେ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe