ରାଜ୍ୟରେ କରୋନା ସଂକ୍ରମଣ ହାର ୧.୪୭ %

Advertisment
ମନର ଦୀପ ଜଳାଇବା

The New Dawn Liberia

ଆରଏମ୍‌ଆରସି‌ରେ ୧ ହଜାର ‌କୋଭିଡ୍‌ ପରୀକ୍ଷା ପାଇଁ ଲାଗିଲା ନୂଆ ମେସିନ୍‌
ଅଧିକ କୋଭିଡ ପରୀକ୍ଷା ଲାବ୍ ସହିତ ଅଧିକ ନମୁନା ପରୀକ୍ଷା ସଂପର୍କ ନାହିଁ

ଭୁବନେଶ୍ବର : ରାଜ୍ୟରେ ଏବେ ଯେତିକି ସଂଖ୍ୟକ କରୋନା ବା କୋଭିଡ୍‌ ନମୁନା ପରୀକ୍ଷା ହୋଇଛି, ତହିଁରେ ସଂକ୍ରମଣ ହାର ୧.୪୭ ପ୍ରତିଶତ ରହିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୩୨୪୯ କୋଭିଡ୍‌ ନମୁନା ପରୀକ୍ଷା ହୋଇସାରିଛି। ସେହିପରି ଦେଶରେ ଏ ପର୍ଯ୍ୟନ୍ତ ୧ଲକ୍ଷ ୪୪ହଜାର ୯୧୦ ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ୪.୪୨ ପ୍ରତିଶତ ରହିଥିବା ରାଜ୍ୟ ସରକାର କହିଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ କହିଲେ ଯେ ଅଧିକ କୋଭିଡ୍‌ ପରୀକ୍ଷା ଲାବ୍ ସହ ଅଧିକ ନମୁନା ପରୀକ୍ଷାର ସଂପର୍କ ନାହିଁ। ଗୁଜୁରାଟ ଓ ପଶ୍ଚିମବଙ୍ଗରେ ୧୦ଟି ଲେଖାଏଁ କୋଭିଡ୍‌ ପରୀକ୍ଷାଗାର ରହିଥିଲେ ହେଁ ସେଠାରେ ଯଥାକ୍ରମେ ୪୨୨୪ ଓ ୧୬୫୭ଟି ନମୁନା ପରୀକ୍ଷା ହୋଇଛି। ରାଜ୍ୟରେ ଗତ ମାସ ୧୬ ତାରିଖରେ ପ୍ରଥମେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେବେଠାରୁ ରାଜ୍ୟରେ ନମୁନା ପରୀକ୍ଷା ହୋଇଆସୁଛି। ତେବେ ଦେଶ‌ର ଅନ୍ୟ ରାଜ୍ୟରେ ଯେଉଁଠାରେ ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥି‌‌ଲେ, ସେମାନେ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା କରାଇଛନ୍ତି।

ଆଇସିଏମ୍‌ଆରର ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟରେ କୋଭିଡ୍‌ ପରୀକ୍ଷା କରାଯାଉଛି। ଆରଏମ୍‌ଆରସିରେ ଗତ ମାସ ୫ ତାରିଖରେ ପ୍ରଥମ‌େ କୋଭିଡ୍‌ ପରୀକ୍ଷା ଆରମ୍ଭ ହୋଇଥିଲା। ସେହି ସମୟରେ ଆରଏମ୍‌ଆରସିରେ ୧୦୦ଟି ନମୁନା ପରୀକ୍ଷା କରାଯାଉଥିଲା। ୧୬ ମାର୍ଚରେ ୩୫୦କୁ ଏହାକୁ ବୃଦ୍ଧି କରାଯିବା ସହ ଆଜିଠାରୁ ନୂଆ କୋବାସ ମେସିନ୍ ଆସିବା ପରେ ୧ ହଜାର ନମୁନା ପରୀକ୍ଷା ହୋଇପାରିବ। ଏହି ସମୟ ଭିତରେ ଏମ୍‌ସରେ ଗତମାସ ୨୪ ତାରିଖ ଓ ଏସ୍‌ସିବି ମେଡିକାଲରେ ୩୧ ତାରିଖରେ କୋଭିଡ୍‌ ପରୀକ୍ଷା ଆରମ୍ଭ ହୋଇଛି। ସେହିପରି ଆସନ୍ତା ୧୩ ତାରିଖରେ ଏମ୍‌କେସିଜି ଓ ୧୫ ତାରିଖରେ ଭିମ୍‌ସାରରେ ନମୁନା ପରୀକ୍ଷା ଆରମ୍ଭ ହେବ। ଏହି ଦୁଇ ସ୍ଥାନରେ ୨୫ଟି ଲେଖାଏଁ ନମୁନା ପରୀକ୍ଷା ହୋଇପାରିବ।

ରାଜ୍ୟରେ କୋଭିଡ୍‌ ପରୀକ୍ଷା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଟେଷ୍ଟିଂ କିଟ୍‌, ରିଏଜେଣ୍ଟ, ଆବଶ୍ୟକ ସୁରକ୍ଷା ଉପକରଣ ଓ ଯନ୍ତ୍ରପାତି ଇନଷ୍ଟଲ ପାଇଁ ଇଞ୍ଜିନିୟରମାନଙ୍କୁ ମଧ୍ୟ ସ୍ବତନ୍ତ୍ର ବିମାନରେ ରାଜ୍ୟ ବାହାରୁ ଅଣାଯାଇଛି। ଅଧିକ ମାତ୍ରାରେ ପରୀକ୍ଷା କିଟ୍‌ ଆଣିବାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ। ଆଗାମୀ ଦିନରେ ୧ ଲକ୍ଷ ରାପିଡ୍‌ ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ସିଂହ ସୂଚନା ଦେଇଥିଲେ।

କିଭଳି ଢଙ୍ଗରେ କରୋନା ବା କୋଭିଡ୍‌-୧୯ ନମୁନା ପରୀକ୍ଷା କରାଯାଉଛି, ସେ ସଂପର୍କରେ ଆର୍‌ଏମ୍‌ଆରସିର ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ସୂଚନା ଦେଇଥିଲେ। ସେ କହିଥିଲେ ଯେ ଆର୍‌ଏମ୍‌ଆରସି‌ରେ କୋଭିଡ୍‌ ପରୀକ୍ଷା ବାଦ୍ ଏଚ୍‌୧ଏନ୍‌୧, ଜେଇ, ଚିକେନଗୁନିଆ, ମାଲେରିଆ ଓ ଡେଙ୍ଗୁ ପରୀକ୍ଷା ମଧ୍ୟ ହେଉଛି। କୋଭିଡ୍ ଏକ ନୂଆ ଭୂତାଣୁ ହୋଇଥିବାରୁ ଏହାକୁ ଚିହ୍ନଟ କରିବା ଏତେ ସହଜ ନୁହେଁ। କୌଣସି ନମୁନାର ସଂଗ୍ରହଠାରୁ ପରୀକ୍ଷା ରିପୋର୍ଟ ପାଇବା ପାଇଁ ୧୦ ଘଣ୍ଟା ଲାଗିଥାଏ। ଟ୍ରିପଲ ଲେୟାର ପ୍ୟାକେଜିଂରେ ନମୁନା ଆସିଥାଏ। ଯେଉଁମାନେ ଏହି ନମୁନା ପରୀକ୍ଷଣ କରିଥାନ୍ତି, ସେମାନେ ସମସ୍ତେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା ପିପିଇ ପିନ୍ଧିଥାନ୍ତି। ନମୁନାକୁ ବିଶୋଧନ କରାଯିବା ପରେ ଏହାକୁ ପରୀକ୍ଷାଗାରକୁ ନିଆଯାଇଥାଏ। ଏଥିପାଇଁ ବାଇଓ ନିରାପତ୍ତା ପରୀକ୍ଷାଗାରର ଆବଶ୍ୟକତା ପଡ଼ିଥାଏ। ଆରଏମ୍‌ଆରସିରେ ବିଏସ୍‌ଏଲ ୨+ ପରୀକ୍ଷାଗାର ରହିଛି। ଲାଇସିସ୍‌ ବଫର୍‌ରେ ଭୂତାଣୁକୁ ପ୍ରଥମେ ନିଷ୍କ୍ରିୟ କରାଯାଏ। ଫଳରେ ଏହା ସଂକ୍ରମିତ କରିପାରିବ ନାହିଁ। ପରେ ଆର୍‌ଟିପିସିଆରରେ କିଟ୍‌କୁ ରଖାଯାଏ। ଏହାର ରିପୋର୍ଟ ଆସିବା ଲାଗି ୪ ଘଣ୍ଟା ଲାଗିଥାଏ। ଯଦି ନମୁନା ପଜିଟିଭ୍ ରହିଥାଏ, ତା'ହେଲେ ଆହୁରି ଦେଢ଼ ଘଣ୍ଟା ରଖାଯାଏ। ତେଣୁ ନମୁନା ରିପୋର୍ଟ ପାଇଁ ୮ ଘଣ୍ଟା ଲାଗିଥାଏ।

ଆରଏମ୍‌ଆରସିକୁ ଏବେ କୋବାସ ୬୮୦୦ ମେସିନ୍ ଆସିଛି। ଦିଲ୍ଲୀ ପରେ ଓଡ଼ିଶା ଦ୍ବିତୀୟ ରାଜ୍ୟ ଭାବେ ଏହି ମେସିନ୍ ପାଇବାରେ ସକ୍ଷମ ହୋଇଛି। ଏହା ଏକ ସ୍ବୟଂଚାଳିତ ମେସିନ୍। ତେଣୁ ଆସନ୍ତା ସପ୍ତାହରେ ୩ ଗୁଣା ଅଧିକ ପରୀକ୍ଷା ହୋଇପାରିବ ବୋଲି ଡା. ପତି ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe