କମିଛି କରୋନା, ଆ‌ଗେଇ ପାରୁନି ବିକାଶ; କଟକଣାକୁ ଆଳ କରି ସମୟ ଗଡାଇ ଚାଲିଛି ପ୍ରଶାସନ

Advertisment

ସୁଯୋଗ ହାତଛଡା ନ କରି ଘରକୁ ପଳାଉଛନ୍ତି ଅଧିକାରୀ  

ସୁଯୋଗ ହାତଛଡା ନ କରି ଘରକୁ ପଳାଉଛନ୍ତି ଅଧିକାରୀ  

କମିଛି କରୋନା, ଆ‌ଗେଇ ପାରୁନି ବିକାଶ; କଟକଣାକୁ ଆଳ କରି ସମୟ ଗଡାଇ ଚାଲିଛି ପ୍ରଶାସନ

ଫୁଲବାଣୀ: କରୋନା ମହାମାରୀ ପାଇଁ ଦୀର୍ଘ ୪-୫ ମାସ ଧରି ବିକାଶ ମୂଳକ କାର୍ଯ୍ୟ ବନ୍ଦ ରହିଲା। ଏପଟେ ଜୀବନ ସିନା ବଞ୍ଚିଗଲା।  ସେପଟେ ଜୀବିକା ହରାଇ ବସିଲେ ଲୋକେ। ତେଣୁ କରୋନା ସଂକ୍ରମଣ ଟିକେ କମିବା ପରେ ଜୀବିକାକୁ ଗୁରୁତ୍ବ ଦିଆଗଲା। କୋଭିଡ କଟକଣା ମଧ୍ୟରେ ସବୁ ପ୍ରକାର ବିକାଶ ମୂଳକ କାର୍ଯ୍ୟ ଚାଲିବ ବୋଲି ସରକାର କହିଲେ।

ସରକାରଙ୍କ ଏଭଳି ଘୋଷଣା ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିଲା। ପ୍ରଥମେ ମନରେଗା କାମ ଆରମ୍ଭ କରିଥିଲା। ହେଲେ କିଛି ଦିନ ମନରେଗା କାମ ଚାଲିଲା ସତ। ତାପରେ ସବୁ ଲୋକଙ୍କୁ ଏଥିରେ ସାମିଲ କରାଯାଇ ପାରିଲା ନାହିଁ। ଯେତିକି ବି କାମ କରିଛନ୍ତି ସମସ୍ତେ ବି ଟଙ୍କା ପାଇ ନଥିବା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି। ନେଟୱାର୍କ ସମସ୍ୟା ଯୋଗୁ ଏକାଉଣ୍ଟରେ ଟଙ୍କା ଜମା ‌ହୋଇ ପାରୁ ନଥିବା କଥା କହି ପ୍ରଶାସନ ସଫେଇ ଦେଇ ଚାଲିଛି।

ମନରେଗାରେ କାମ  ନ ମିଳିବାରୁ  ବହୁ ପ୍ରବାସୀ ପୁଣି ଦାଦନ ମୁହାଁ ହେଲେ। ମନରେଗା କାମ ଠେଲା ପେଲାରେ ଚାଲିଥିବା ବେଳେ କରୋନା ପୂର୍ବରୁ ବନ୍ଦ ଥିବା ରାସ୍ତା,ଡ୍ରେନ ଓ ପୋଲ ଆଦିର ନିର୍ମାଣ କାମ ବି ଆଜି ସୁଦ୍ଧା ଆରମ୍ଭ ହୋଇ ପାରିଲା ନାହିଁ। ସଲାଗୁଡା ହେଉ କି ଗୋଛାପଡା। ବାଲନ୍ଦାପଡା କି ନେଡିପଦର। ଆଉ ବିଲାବାଡି ହେଉ କି କରଣ୍ଡାଗଡ। ଏସବୁ ଅଞ୍ଚଳରେ ଆରମ୍ଭ ହୋଇଥିବା ରାସ୍ତା ଓ ପୋଲ କାମ ଅଧପନ୍ତରିଆ ହୋଇ ପଡିଛି। ଠିକାସଂସ୍ଥା ରାସ୍ତା ଓ ପୋଲ ପାଇଁ ରାସ୍ତା ଖୋଳିଛି। ସବୁ ଜିନିଷ ସାମଗ୍ରୀ ରାସ୍ତା ଉପରେ ଗଦା କରିଛି। ହେଲେ ପୁନର୍ବବାର କାମ ଆରମ୍ଭ ହୋଇ ପାରୁ ନାହିଁ। କାମ ନ ‌ହେଉ ନଥିବାରୁ ଲୋକମାନେ ବହୁ ହଇରାଣ ହେଉଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ଫୋନ କ‌ରୁଛନ୍ତି। ହେଲେ ଅଧିକାରୀମାନେ ଫୋନ ନ ଉଠାଉଥିବା ଅଭି‌ଯୋଗ ହେଉଛି। ଆଉ ଠିକାସଂସ୍ଥାକୁ ଫୋନ କଲେ ଅଧିକାରୀ କହିଲେ କାମ ଆରମ୍ଭ ହେବ ବୋଲି କହୁଛନ୍ତି। କାହା ମଧ୍ୟରେ ସମନ୍ବୟ ରହୁ ନଥିବାରୁ ଅଟକି ଥିବା ବିକାଶ କାର୍ଯ୍ୟ ହୋଇ ପାରୁ ନଥିବା ଜଣା ପଡିଛି।

କରୋନା କଟକଣା ଆଳ ଦେଖାଇ କାମ ହେବ କହି ପ୍ରଶାସନ ସମୟ ଗଡି ଚାଲିଛି। ଏପଟେ ଏହାର ସୁଯୋଗ ଦେଇ ବିଭାଗୀୟ ବାବୁମାନେ ଅଫିସକୁ ଆସୁ ନାହାନ୍ତି। ତଳିଆ କର୍ମଚାରୀଙ୍କୁ ଅଫିସ ଦାୟିତ୍ବ ଦେଇ ବିନା ଅନୁମତିରେ ଘରକୁ ବାବୁମାନେ ପଳାଇ ଯାଉଛନ୍ତି। ଏବେ ସବୁ ଶନିବାର ସରକାର ଅଫିସ ବନ୍ଦ ଘୋଷଣା କରିଥିବାରୁ ବାବୁମାନଙ୍କ ପାଇଁ ଆହୁରି ବଡ ସୁଯୋଗ ଆଣି ଦେଇଛି। ଗୁରୁବାର ଓ ଶୁକୁବାରରୁ କନ୍ଧମାଳ ଛାଡି ଦେଉଛନ୍ତି ବାବୁ। କଟକଣା କୋହଳ ପରେ ଅନ୍ୟ ଜିଲ୍ଲାରେ ବିକାଶ କାର୍ଯ୍ୟ ଦୌଡିଛି। ହେଲେ କନ୍ଧମାଳରେ ପ୍ରଶାସନର ଇଛାଶକ୍ତି ଅଭାବରୁ ବିକାଶ କାମ ସେମିତି ଅଟକିଛି ବୋଲି କୁହାଯାଉଛି। ସାଂସଦ ଓ ବିଧାୟକ ଏ ଦିଗରେ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe