ଖଣିଅଞ୍ଚଳର ୨୫ ଗାଁକୁ ଛୁଇଁନି କରୋନା

ଖଣିଅଞ୍ଚଳର ୨୫ ଗାଁକୁ ଛୁଇଁନି କରୋନା

କାଳିଆପାଣି : ୨୦୨୦ ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ରାଜ୍ୟରେ ସାଧାରଣ ଜନ ଜୀବନକୁ କରୋନା କଲବଲ କରିଆସୁଥିଲେ ମଧ୍ୟ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଖଣି ଅଞ୍ଚଳର ୨୫ଟି ରାଜସ୍ବ ଗାଁ ଓ ଏକାଧିକ ପଡ଼ା ଗାଁକୁ ଛୁଇଁପାରିନି କରୋନା । ଏହି ଗ‌ାଁ ଗୁଡ଼ିକ ହେ‌ଲା ଚିଙ୍ଗୁଡ଼ିପାଳ ପଞ୍ଚ‌ାୟତ ଅନ୍ତର୍ଗତ ନଗଡ଼ା, ଗୁହିଆଶାଳ, ତଳଡିହ, ତୁମୁଣି, ନାଲିଆଡାବ, ଅଶୋକଝର, ଦେଓଗାଁ, କୁମୁଡ଼ିବାହାଳି, କଙ୍କଡ଼ା‌ଗୋଡ଼ି ଓ ଗୋଖତ, କଂସ ପଞ୍ଚାୟତ ଅନ୍ତର୍ଗତ କଂସ, ଟିକରପଡ଼ା, ବାଲିପଡ଼ା, କେନ୍ଦୁପୁରା, ପିଚରପାଣି, ମହୁକଣ୍ଟାସାହି, ବାହାଳିସାହି, କମର୍ଦ୍ଦା ଓ ହାତୀହୁଡ଼ି, ରାଁସୋଳ ପଞ୍ଚାୟତ ଅନ୍ତର୍ଗତ କ‌ାକୁଡ଼ିଆ, କାଙ୍କଡ଼ପାଳ ପଞ୍ଚାୟତ ଅନ୍ତର୍ଗତ କରଡ଼ାଗାଡ଼ିଆ, ଗରାମିଆଁ, କାଟେଣି, ପନାସିଆ(ଗିରିଙ୍ଗାମାଳି), ପନାସିଆ(ରଗଡ଼ା) ଓ ଶିରିଆଖଳି, କୁହିକା ପଞ୍ଚାୟତ ଅନ୍ତର୍ଗତ ଜେମାଦେଇପୁର ଏବଂ ପିମ୍ପୁଡ଼ିଆ ପଞ୍ଚାୟତ ଅନ୍ତର୍ଗତ ବାମନଗର, ନୂଆଡିହ ଓ ଆମ୍ବପାଳ। ଏହିସବୁ ଗାଁ ଗୁଡ଼ିକ ମୁଖ୍ୟତଃ ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ଅବସ୍ଥିତ। ବିଶୁଦ୍ଧ ଅମ୍ଳଜାନର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବନି। ସମୁଦାୟ ଜନସଂଖ୍ୟାର ୯୦ ପ୍ରତିଶତ ଆଦିବାସୀ ଓ ଆଦିମ ଜନଜାତି ଶ୍ରେଣୀଭୁକ୍ତ। ପୁରୁଷ ଅବା ମହିଳା ଅଧିକାଂଶ କର୍ମଠ।

publive-image Quartz

ରାଜ୍ୟରେ ଗତବର୍ଷ ମାର୍ଚ୍ଚ ୨ୟ ସପ୍ତାହରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ଥଳେ ଏହାର ୪ ମାସ ପରେ ‌ସୁକିନ୍ଦା ବ୍ଲକ ତଥା ଖଣି ଅଞ୍ଚଳ(ରାଁସୋଳ)ରେ ଜୁଲାଇ ମାସ ୮ ତାରିଖ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ତା'ପରଠୁ ବିଭିନ୍ନ ପର୍ଯ୍ୟାୟରେ ସୁକିନ୍ଦା ବ୍ଲକରେ ବହୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ମଧ୍ୟ ଉକ୍ତ ଗାଁ ସମୂହ କରୋନାରୁ ମୁକ୍ତ ରହିଆସିଛି। ଏସବୁ ଗାଁରେ ଏବେ ବି ଜନ ସାଧାରଣଙ୍କ ମଧ୍ୟରେ ସାମାଜିକ ଦୂରତ୍ବ କିମ୍ବା ମାସ୍କ୍ ବ୍ୟବହାର କ୍ବଚିତ୍ ଦେଖିବାକୁ ମିଳେ। ପୁଲିସ ଓ ପ୍ରଶାସନର ଆଢ଼ୁଆଳରେ ରହିଆସିଥିବା ଏସବୁ ଇଲାକାରେ ପାରମ୍ପରିକ ଢଙ୍ଗରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଆସୁଛି। ଏ ସଂପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବ‌ାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଭେଷଜ ବିଶେଷଜ୍ଞ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ସାଧାରଣ ବ୍ୟସ୍ତବହୁଳ ଜନଜୀବନ ଓ ସହରୀ ସଭ୍ୟତାଠୁ ଦୂରରେ ରହିଆସିଥିବା କାରଣରୁ ଏସବୁ ଗାଁ ଗୁଡ଼ିକ କରୋନାମୁକ୍ତ ରହିଥିବା ଦର୍ଶାଇଥିଲେ। ଏହାବାଦ୍ ଏସବୁ ଅଞ୍ଚଳବାସୀଙ୍କଠାରେ ରୋଗ ପ୍ରତିରୋଧ ଶକ୍ତି ଅଧିକ ଥାଇପାରେ ବୋଲି ସେ ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe