ହାଟଡିହି : କେନ୍ଦୁଝରର ଜିଲ୍ଲାର ୩୧ଟି ପଞ୍ଚାୟତ ମଧ୍ୟରୁ ୩୦ଟି ଏବେ କରୋନାରେ କବଳିତ। ମାତ୍ର, ଏକମାତ୍ର ପଞ୍ଚାୟତ କେ. ବାଲିପାଳର ପାଖ ମାଡ଼ିନି । ବଣପାହାଡ଼ ଘେରା ଏହି ଆଦିବାସୀବହୁଳ ପଞ୍ଚାୟତର ଲୋକମାନଙ୍କ ମଧ୍ୟରେ ସଚେତନତା ହିଁ କରୋନା ଭୂତାଣୁକୁ ପ୍ରବେଶ କରିବାକୁ ଦେଇନି, ଯାହାକି ଅନ୍ୟ ପଞ୍ଚାୟତମାନଙ୍କ ପାଇଁ ଏକ ଜ୍ବଳନ୍ତ ଉଦାହରଣ ପାଲଟିଛି।
ପଞ୍ଚାୟତରେ ୭ଟି ଗାଁ ରହିଛି। ପାଞ୍ଚ ହଜାରରୁ ଅଧିକ ଲୋକ ଏଠାରେ ବସବାସ କରୁଛନ୍ତି। ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଏମାନେ ନିର୍ଭର କରିଥା’ନ୍ତି। ଅଧିକାଂଶ ଚାଷବାସ କରନ୍ତି। ପଞ୍ଚାୟତର ଅଧିବାସୀମାନେ କିଭଳି ସଚେତନ, କେତୋଟି ଘଟଣାରୁ ତାହା ଜାଣିହେବ। ଯେମିତିକି, ଆଜି ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ନେଉଥିବା ହିତାଧିକାରୀମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖି ଧାଡ଼ିରେ ଭତ୍ତା ନେଇଥିଲେ। କେବଳ ଆଜି ନୁହେଁ, ଦୁଇମାସ ହେବ ଲୋକମାନେ ଏହିଭଳି ଭାବେ ସତର୍କତା ଅବଲମ୍ବନ କରୁଛନ୍ତି। ରାଜ୍ୟ ବାହାରେ କାମ କରୁଥିବା ଗାଁର ଯୁବକ ଗାଁକୁ ଆସିଲେ ସେମାନଙ୍କୁ ୧୪ ଦିନ ସଂଗରୋଧରେ ରଖାଯାଉଛି। ବାହାର ଲୋକଙ୍କୁ ଗାଁକୁ ପୂରାଇ ଦେଉନାହାନ୍ତି। ଗାଁରେ ଗାଁ ଥିବା କଲ୍ୟାଣ ସମିତି ଏହି ଦାୟିତ୍ବ ତୁଲାଉଛି। ସ୍ଥାନୀୟ ସରପଞ୍ଚ, ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ଘରଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ଲୋକେ ଏହାକୁ ମାନୁଛନ୍ତି।
ସରପଞ୍ଚ ରମ୍ଭାପାତ୍ରଙ୍କ କହିବାନୁସାରେ, ଯାହାର କାଶଥଣ୍ଡା ହେଉଛି ତାଙ୍କୁ କରୋନା ପରୀକ୍ଷା କରାଯାଉଛି।
ସେହିଭଳି ଗ୍ରାମର ମିଲୁ ମହାନ୍ତଙ୍କ କହିବା କଥା ହେଲା, ରାସ୍ତାଘାଟର ବିଶେଷ ସୁବିଧା ନ ଥିବାରୁ ଲୋକେ ବାହାରକୁ ଯାଉ ନାହାନ୍ତି । ବାହାରକୁ ଗଲେ ସିନା ସଂକ୍ରମଣ ହେବ। ବାହାରକୁ ଯିବୁ କାହିଁକି, ରୋଗକୁ ଆଣିବୁ କାହିଁକି ବୋଲି ସେ କହିଛନ୍ତି। ସେଥିପାଇଁ କରୋନା ପଞ୍ଚାୟତକୁ ଆଜିଯାଏ ଛୁଇଁ ପାରିନଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ, ପ୍ରତ୍ୟେକ ଲୋକଙ୍କ ମଧ୍ୟରେ ସଚେତନତା ହିଁ ପଞ୍ଚାୟତକୁ ଏଯାବତ୍ କରୋନାଠାରୁ ଦୂରରେ ରଖିଛି, ଯାହାକି ଅନ୍ୟ ପଂଚାୟତଗୁଡ଼ିକ ପାଇଁ ଉଦାହରଣ।
Follow Us