କଟକଣା କୋହଳ ହେଲେ ବି ପରିବା ଚାଷୀ ହତାଶ

ବାରିରେ ପଚୁଛି କଖାରୁ, ଅମଳ ହୋଇପାରୁନି କ୍ୟାପସିକମ୍

କଟକଣା କୋହଳ ହେଲେ ବି ପରିବା ଚାଷୀ ହତାଶ

ହରିପୁର : କରୋନା କଟକଣାର ସାଂଘାତିକ ପ୍ରଭାବ ଚାଷୀଙ୍କ ଉପରେ ପଡ଼ିଛି। କ୍ଷେତରେ ଫସଲ ନଷ୍ଟ ହେଉଛି। ହଜାର ହଜାର ଟଙ୍କା ଧାରକରଜ କରି ପରିବା ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଯାଇଛି। ସେପଟେ କଟକଣା କୋହଳ ହେଲାବେଳକୁ ପରିବା ଚାଷୀ ହତାଶ ହୋଇପଡ଼ିଛନ୍ତି।

ଜମିରେ ଫଳୁଥିବା ଫସଲ ସବୁ ଜମିରେ ହିଁ ପାଚି ନଷ୍ଟ ହେଉଛି। ବେପାରୀମାନେ ଚାଷୀ ପାଖରୁ ଗାଡ଼ି ଲଗାଇ ପନିପରିବା ନେଇପାରୁ ନାହାନ୍ତି। ଯଦି ଚାଷୀଟି ବଜାରକୁ ନେଉଛି ତାହା ସକାଳ ୬ ରୁ ୧୦ ଭିତରେ କମ୍ ଦାମରେ ବିକି ଆସୁଛି । ଫଳରେ ତା'ର ମୂଲ ମିଳିବା କଷ୍ଟ ହୋଇପଡୁଛି। ରସୁଲପୁର ବ୍ଲକ୍‌ରେ ଥିବା ଶହ ଶହ ଏକର ଜମିରେ ଫସଲ ନଷ୍ଟ ହେଉଥିବା ଦେଖାଯାଇଛି। ରାଜ୍ୟ ରାଜଧାନୀ ଭୁବନେଶ୍ବର ସମେତ କଟକ, ବାରିପଦା, ଯାଜପୁରରୋଡ, ଯାଜପୁରଟାଉନ, ପାରାଦୀପ, ଚାନ୍ଦବାଲି ଆଦି ବିଭିନ୍ନ ଅଞ୍ଚଳକୁ ଜିଲ୍ଲାର ପରିବା ଝୁଡ଼ି ବାରବାଟୀ ଭଳି ମୁଗୁପାଳ ପଞ୍ଚାୟତର ବହୁ ଚାଷୀ ପନିପରିବା ଯୋଗାଇ ଦେଇଥାନ୍ତି। ମାତ୍ର କରୋନା କଟକଣା ପାଇଁ ବାରିରେ ବୋଇତି କଖାରୁ ପଚୁଛି। ସେହିପରି ବାଇଗଣ, କ୍ୟାପସିକମ ଓ ସିମଳା ଲଙ୍କା, ବିଲାତି ବାଇଗଣ, ଭେଣ୍ତି, କଲରା, କନ୍ଦମୂଳ ଆଦି ବିଭିନ୍ନ ପନି ପରିବା ବଜାର ବିକ୍ରି ନହୋଇ ଶଢ଼ୁଛି। ମୁଗୁପାଳ ପଞ୍ଚାୟତରେ ୨୦ରୁ ୩୦ ଟ୍ରିପ ବୋଇତି କଖାରୁ ଚାଷୀଙ୍କ ଘରେ ଠୁଳ ହୋଇଛି। ସେଥିରୁ ବହୁତଗୁଡ଼ିଏ ପଚି ନଷ୍ଟ ହୋଇଗଲାଣି। ସରକାରଙ୍କ ନିର୍ଦ୍ଦେଶକ୍ରମେ ସାମାଜିକ ଦୂରତା ରକ୍ଷା ପାଇଁ ମେଳା, ଉତ୍ସବ ହୋଇପାରୁ ନଥିବାରୁ ବୋଇତାଳୁ ସହିତ ଅନ୍ୟାନ୍ୟ ପନିପରିବା ବିକ୍ରି ହୋଇପାରୁନାହିଁ। ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀ ପରିବାକୁ ବଜାରକୁ ନେଇ ବିକ୍ରି କରିପାରୁ ନାହିଁ।

ସେପଟେ ପୁଲିସ ଭୟରେ ବିକ୍ରି ହେଉ ନଥିବା ପରିବାକୁ ଛାଡ଼ି ଦେଇ ଆସୁଛନ୍ତି। ମୁଗୁପାଳ ପଞ୍ଚାୟତରେ ୫୦ରୁ ୧୦୦ ଏକର ପନିପରିବା ଚାଷ ହୋଇଥାଏ। ବ˚ରାଶ, ମୁଗୁପାଳ, ଗଣାବାଗରେ ଏଭଳି ସ୍ଥିତିକୁ ଦେଖି ଚାଷୀ ଏବଂ ବେପାରୀଙ୍କ ମନ ବଳ ଭାଙ୍ଗିଯାଉଛି। ଲଗାଇଥିବା ଫସଲରେ ପାଣି, ଔଷଧ, ଖତ ସାର ଆଦି ଦେବା ପାଇଁ ଆଗ୍ରହ ନାହିଁ। ନୂଆ ଫସଲ ଲଗାଇବାକୁ ମନ ବଳାଇ ପାରୁନାହାନ୍ତି ଚାଷୀ ବୋଲି କହିଛନ୍ତି ଶାନ୍ତନୁ ଲେଙ୍କା। ବୋଇତି କଖାରୁ ଏକର ପିଛା ୨୦ ହଜାର ଖର୍ଚ ହୋଇଥିବା ବେଳେ କ୍ୟାପସିକମ ଓ ସିମଳା ଲଙ୍କା ଚାଷ ପାଇଁ ଖତ, ସାର ଓ ଔଷଧକୁ ମିଶାଇ ୪୦ ହଜାର ଖର୍ଚ୍ଚ କରିଥିବା ରାମଚନ୍ଦ୍ର ବେହେରା ଓ ଗୋବର୍ଦ୍ଧନ ଖୁଣ୍ଟିଆ ହତାଶ ହୋଇପଡିଛନ୍ତି। ସେହିପରି ଧନେଶ୍ବର ଲେଙ୍କା, ବଟକୃଷ୍ଣ ଲେଙ୍କା, ମନୀନ୍ଦ୍ର ପଢ଼ିହାରି, ନରେନ୍ଦ୍ର ପାଢୀ, ଶ୍ୟାମସୁନ୍ଦର ରଥ, ଗୋବିନ୍ଦ ଜେନା ପ୍ରମୁଖ ଚାଷୀ ପନିପରିବା ଚାଷରେ ବହୁ କ୍ଷତି ସହିଥିବା ପ୍ରକାଶ କରିଛନ୍ତି। ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ମିଳିପାରି ନଥିବା ସେମାନେ କହିଛନ୍ତି। ତୁରନ୍ତ ଚାଷୀମାନଙ୍କ ପାଇଁ କ୍ଷତିପୂରଣର ବ୍ୟବସ୍ଥା କରିବାକୁ ସେମାନେ ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe