The Economic Times
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ କଣ୍ଡିରା ଗ୍ରାମରେ କରୋନା ଗୁଜବକୁ ନେଇ ଆତଙ୍କ ଖେଳିଯାଇଛି। ଗତ କିଛିଦିନ ତଳେ ବିଦେଶରୁ ଫେରିଥିବା ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ନେଇ ଗାଁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଲୋକେ ଏହି ପରିବାରର ପାଖ ମାଡ଼ୁନାହାନ୍ତି।
ମିଳିଥିବା ସୂଚନା ଅନୁସାରେ, ରାଜନଗର ବ୍ଲକ କଣ୍ତିରା ପଞ୍ଚାୟତର ସତ୍ୟପ୍ରିୟ ଦାସ (୩୦) ଗତ ୩ ତାରିଖ ଦିନ କୁଏତରୁ ଗାଁକୁ ଫେରିଛନ୍ତି। କୁଏତରୁ ମୁମ୍ବାଇ ଓ ସେଠାରୁ ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବା ପରେ ଗାଁକୁ ଫେରିଥିଲେ। ବାପା ସନ୍ନ୍ୟାସୀ ଦାସ ମୃତ୍ୟୁବରଣ କରିଥିବାରୁ ସେ ଗାଁକୁ ଆସିଛନ୍ତି। ବଡ଼ଭାଇ ଶାନ୍ତନୁ ଫେବ୍ରୁଆରି ୪ ତାରିଖରେ କତାରରୁ ଗାଁକୁ ଫେରିଥିବାବେଳେ ଦାଦା ବୀର କିଶୋର ଦାସ ମଧ୍ୟ ଫେବ୍ରୁଆରି ୨୧ରେ ଦୁବାଇରୁ ଗାଁକୁ ଫେରିଛନ୍ତି। କରୋନା ପ୍ରଭାବିତ ଦେଶରୁ ଫେରୁଥିବା ଲୋକମାନଙ୍କ ବିମାନବନ୍ଦରରେ ସ୍ବାସ୍ଥ୍ୟପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। କଣ୍ତିରା ଗାଁର ଗୋଟିଏ ପରିବାରର ୩ ଜଣ ବିଦେଶରୁ ଫେରିଥିଲେ ମଧ୍ୟ ବିମାନବନ୍ଦରରେ କାହାରି କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇନାହିଁ। ଆଜି ସକାଳୁ କଣ୍ତିରାରେ କରୋନା ରୋଗୀ ଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ବିଦେଶରୁ ଫେରିଥିବା ପରିବାର ସଦସ୍ୟଙ୍କଠାରୁ ଗ୍ରାମବାସୀ ଦୂରେଇ ରହୁଛନ୍ତି। କଣ୍ତିରା ଗାଁରେ ଏକ ପ୍ରକାର ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତେବେ, ରାଜନଗର ସ୍ବାସ୍ଥ୍ୟବିଭାଗ ପାଖରେ ଏ ନେଇ କୌଣସି ସୂଚନା ନାହିଁ।
Follow Us