କରୋନା ଯୋଦ୍ଧା : ‘ଛୁଟି ନେଇ ରଣକ୍ଷେତ୍ର ଛାଡ଼ିବିନି, ପାରୁ ପର୍ଯ୍ୟନ୍ତ ଲଢ଼ୁଛି, ଲଢ଼ିବି

Advertisment
କରୋନା ଯୋଦ୍ଧା : ‘ଛୁଟି ନେଇ ରଣକ୍ଷେତ୍ର ଛାଡ଼ିବିନି, ପାରୁ ପର୍ଯ୍ୟନ୍ତ ଲଢ଼ୁଛି, ଲଢ଼ିବି

ଜଗନ୍ନାଥପ୍ରସାଦ : ଲଢ଼େଇରେ ସେ ନି‌ଜେ ରଥୀ ଓ ସାରଥି। ଗୋଟିଏପଟେ କର୍କଟ ସଂଗ୍ରାମୀ ଓ ଅନ୍ୟପଟେ କରୋନା ମହାମାରୀର ଅପରାଜେୟ ଯୋଦ୍ଧା। ବ୍ୟାଧି ଯନ୍ତ୍ରଣାରେ ଜର୍ଜ୍ଜରିତ। ଚାଲିବାକୁ ବି ଦେହରେ ବଳ ପାଉନି। ଜିଭ କର୍କଟ ଯୋଗୁଁ କଥାବାର୍ତ୍ତା କରିପାରୁନାହାନ୍ତି। ତଥାପି ଏଭଳି ଜଟିଳ ପରିସ୍ଥିତିରେ ପରିବାର‌କୁ ଛାଡ଼ି ଜନସାଧାରଣଙ୍କୁ ସୁରକ୍ଷା ଦେବା ଓ ସଚେତନ ସୃଷ୍ଟି କରିବାରେ ସେ ଦିନରାତି ଏକ କରିଦେଇଛନ୍ତି। ଦୁଇମାସ ହେଲା ଚିକିତ୍ସା ପାଇଁ କୋଲକାତା ଯାଇପାରିନାହାନ୍ତି। କାରଣ କର୍ତ୍ତବ୍ୟ ପାଳନ ଆଗରେ ଓ ନିଜ ପରିବାର ପଛରେ, ଏହି ମନ୍ତ୍ରକୁ ପାଥେୟ କରି ଜୀବନ ସଂଗ୍ରାମରେ ଲଢ଼ି ଚାଲିଛନ୍ତି। ଏଭଳି ଜଣେ ଅପରାଜେୟ ଯୋଦ୍ଧା ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦର ତହସିଲଦାର ବାସୁଦେବ ପାଣ୍ଡେ। କର୍କଟ ରୋଗରେ ଆକ୍ରାନ୍ତ ହେବା ସହ ସ୍ବାସ୍ଥ୍ୟାବସ୍ଥା ଭଲ ରହୁ ନଥିଲେ ମଧ୍ୟ ଏଭଳି ଦୁର୍ଦ୍ଦିନ ସମୟରେ ତାଙ୍କର ଉତ୍ସର୍ଗୀକୃତ ସେବାକୁ ଆଖିରେ ନଦେଖିଲେ ବିଶ୍ବାସ କରିହେବନି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସମସ୍ତ ନିର୍ଦ୍ଦେଶାବଳୀକୁ ଠିକ୍ ଭାବେ ପାଳନ କରିବା ସହ କର୍ମଚାରୀ ମାନଙ୍କ ସହ ଉଚିତ ସମନ୍ବୟ ରକ୍ଷା କରୁଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ରୁଗୁଡ଼ିପାଲି ଗ୍ରାମର ମୂଳବାସିନ୍ଦା ଶ୍ରୀ ପାଣ୍ଡେ ଉଚ୍ଚଶିକ୍ଷା ହାସଲ ପରେ ୧୯୯୫ ମସିହାରେ କିରାଣି ଭାବେ ସୋନ୍‌ପୁରରୁ ଚାକିରି ଜୀବନ ଆରମ୍ଭ କରିଥିଲେ। ଓଆର୍‌ଏସ୍ ପାଇବା ପରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲରେ ୨୦୧୩ରେ ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଇଥିଲେ। ସେଠାରେ ୩ ବର୍ଷ ଓ ୨୦୧୬ ମସିହାରୁ ୨୦୧୮ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ହରଭଙ୍ଗୀ ତହସିଲରେ ଦାୟିତ୍ବ ସଂପନ୍ନ କରିଥିଲେ। ୨୦୧୮ ମସିହାରେ ପଦୋନ୍ନତି ପାଇ ଅଗଷ୍ଟ ୬ ତାରିଖରେ ଶ୍ରୀ ପାଣ୍ଡେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ତହସିଲଦାର ଭାବେ ଅବସ୍ଥାପିତ ହୋଇଥିଲେ। ପରିବାର କହିଲେ ପତ୍ନୀ, ଗୋଟିଏ ପୁଅ (୨୦) ଓ ଝିଅ (୧୫)। ସେମାନେ ଭୁବନେଶ୍ବରରେ ରହୁଛନ୍ତି। ସବୁକିଛି ଠିକ୍‌ଠାକ୍ ଚାଲିଥିବା ସମୟରେ ହଠାତ୍ ସ୍ବାସ୍ଥ୍ୟ ଖରାପ ହେଲା। ଗତବର୍ଷ ଫେବ୍ରୁଆରି ମାସରେ ନମୁନା ପରୀକ୍ଷାରୁ ସେ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ବାସ୍ ଗତ ଏକ ବର୍ଷ ଧରି ଶ୍ରୀ ପାଣ୍ଡେ ଜୀବନ ଯୁଦ୍ଧରେ ଲଢ଼ି ଚାଲିଛନ୍ତି। କେଲାକାତାର ଏକ ଘ‌ରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ସହ ନିୟମିତ ଔଷଧ ଖାଉଛନ୍ତି। ଆଉ ଏଭଳି ଦୁର୍ଦ୍ଦିନ ପରିସ୍ଥିତିରେ ସାରା ବିଶ୍ବରେ କାୟା ବିସ୍ତାର କରିସାରିଥିବା କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ସମସ୍ତ ପ୍ରୟାସ ଜାରି ରଖିଛନ୍ତି। ଜଗନ୍ନାଥପ୍ରସାଦ ବ୍ଲକ୍‌ବାସୀଙ୍କ ସୁରକ୍ଷା ପାଇଁ ଅହରହ ଉଦ୍ୟମ କରୁଛନ୍ତି। ନିର୍ବାହୀ ମାଜିଷ୍ଟ୍ରେଟ୍ ଭାବେ କରୋନାରୂପକ ସଂଗ୍ରାମର ନିଜେ ସାରଥି ସାଜିଛନ୍ତି। ଜିଭରେ କର୍କଟ ଯୋଗୁଁ ସ୍ପଷ୍ଟ ଭାବେ କଥାବାର୍ତ୍ତା କରିପାରୁନାହାନ୍ତି। କର୍ମଚାରୀଙ୍କ ଲିଖିତ ଭାବେ ସବୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍‌ଡାଉନ୍ ପରଠୁ ନିଜ ଘରକୁ ଯାଇପାରୁ ନଥିବା ସହ ଚିକିତ୍ସା ପାଇଁ ଦୁଇମାସ ହେଲା ଯାଇନାହାନ୍ତି।
ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ମୁଁ ଜଣେ କର୍କଟ ରୋଗୀ। ତଥାପି ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ଜୀବନ ବଞ୍ଚାଇବା ମୋର କର୍ତ୍ତବ୍ୟ। ଏଥିପାଇଁ ପାରୁ ପର୍ଯ୍ୟନ୍ତ ମୁଁ ଚେଷ୍ଟା କରୁଛି ଓ କରୁଥିବି। ଆଉ ବ୍ଲକ୍‌ବାସୀଙ୍କ ଆଶୀର୍ବାଦରୁ ଏହି ‌ଲଢ଼େଇରେ ମୁଁ ନିଶ୍ଚିତ ଭ‌ାବେ ବିଜୟୀ ହେବି। ସରକାରୀ ଛୁଟି ନେଇ ରଣକ୍ଷେତ୍ର ଛାଡ଼ିବିନି ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ସେହିପରି କର୍ମଚାରୀ ମାନେ ତାଙ୍କର ଏଭଳି ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe