ବଲାଙ୍ଗୀରରେ କରୋନା: ଗାଁରେ ସଂଗିନ ପରିସ୍ଥିତି, ସହରରେ ବେହାଲ ଅବସ୍ଥା!

Advertisment
ବଲାଙ୍ଗୀରରେ କରୋନା: ଗାଁରେ ସଂଗିନ ପରିସ୍ଥିତି, ସହରରେ ବେହାଲ ଅବସ୍ଥା!

ବଲାଙ୍ଗୀର : ହୁ ହୁ ହୋଇ ବଢ଼ିଚାଲିଛି କରୋନା। ପ୍ରଥମ ଲହରରେ ଲୋକ ଯେତିକି ଭୟଭୀତ ନଥିଲେ ଦ୍ୱିତୀୟ ଲହରରେ ଲୋକଙ୍କ ଭୟ ବି ଆହୁରି ବଢ଼ିଛି। ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀ ସଂପର୍କୀୟମାନେ ଚିନ୍ତାଜନକ ସ୍ଥିତିରେ ରହୁଛନ୍ତି। ଏପଟେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବ୍ୟବସ୍ଥାର ଅବସ୍ଥା ଘାଇଲା। ପ୍ରଶାସନର ସୂଚନା ଅନୁସାରେ, ସହରଗୁଡ଼ିକରେ ୭୦ରୁ ୮୦ ପ୍ରତିଶତ ରୋଗୀ ଚିହ୍ନଟ ହେଉଥିବା ବେଳେ ଗାଁରେ ବି ସଂକ୍ରମଣ କିଛି କମ ନାହିଁ। ଅନେକ ଗାଁରେ ଅଧିକାଂଶ ଲୋକଙ୍କ ଜ୍ୱର, କାଶ, ମୁଣ୍ଡବିନ୍ଧା। ଗାଁଗୁଡ଼ିକରେ ଚିକିତ୍ସା ସୁବିଧା ନଥିବାରୁ କ୍ୱାକ୍‌ମାନଙ୍କ ପାଖରୁ ଔଷଧପତ୍ର କିଣି ଲୋକେ ଖାଉଛନ୍ତି। ଏପରିକି ଗାଁଗୁଡ଼ିକରେ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଲୋକେ ଭୟଭୀତ ଓ ଆତଙ୍କିତ। ଠିକ୍‌ ସେମିତି ସହର ଭିତରେ ଘାଇଲା ବ୍ୟବସ୍ଥା। ସଦରମହକୁମାରେ ଶଯ୍ୟା ଅଭାବରୁ ବାରଣ୍ଡାରେ ରୋଗୀ। ଟେଷ୍ଟିଂ ପାଇଁ ହନ୍ତସନ୍ତ ହେଉଛନ୍ତି ଅନେକ ଜନସାଧାରଣ। କରୋନା ଏବେ ସହରଠାରୁ ନେଇ ଗାଁ ଚାରିଆଡ଼େ ମାଡ଼ି ଚାଲିଛି। ଆଉ ସଚେତନତା ଅଭାବରୁ ଅନେକ ଗାଁରେ ଲୋକଙ୍କୁ ଜ୍ୱର, ଝାଡ଼ା, କାଶ ହେଉଥିଲେ ବି କରୋନା ପରୀକ୍ଷା କରାଉ ନାହାନ୍ତି। ଗାଁ ଗାଁରେ ସଂଗିନ ପରିସ୍ଥିତି ଥିବା ବେଳେ ସହର ଭିତରେ ବି ବେହାଲ ଅବସ୍ଥା।

ଶିଶକେଲାରେ ଦୁଇ ଦିନରେ ୫ ଜଣଙ୍କ ମୃତ୍ୟୁ!
ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଶିଶକେଲା ଗାଁରେ ଦୁଇଦିନ ଭିତରେ ୫ ଜଣଙ୍କ ପରଲୋକ ଘଟିଛି। ଏଣୁ ସେହି ଗାଁରେ ଏବେ ଭୟର ବାତାବରଣ। ୫ ଜଣଙ୍କ ମୃତ୍ୟୁର କାରଣ କଣ ତାହା ଏବେ ସଇନ୍ତଳା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗାଁର ସରପଞ୍ଚ ଉମାକାନ୍ତ ରଣାଙ୍କ ସୂଚନା ଅନୁସାରେ, ଶନିବାର ଓ ରବିବାର ଦୁଇଦିନ ଭିତରେ ଗାଁରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଗାଁର ଅକ୍ଷୟ ରଣା(୪୦)ଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପଜିଟିଭ ବାହାରିଥିଲା। ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେହିପରି ଆଉ ଜଣେ ଚିତ୍ତ ନାଗ ରାଜ୍ୟ ବାହାରେ କାମ କରୁଥିଲେ। କରୋନାର ଦ୍ୱିତୀୟ ଲହର ସମୟରେ ସେ ଫେରିଥିଲେ। ତାଙ୍କୁ ମଧ୍ୟ ଜ୍ୱର ହୋଇ ମୃତ୍ୟୁ ହୋଇଥିଲା। ଶିଶକେଲାର ମର୍ଦ୍ଦନ ବଗର୍ତ୍ତି(୮୦), ହଲଧର ରଣା(୬୨) ଓ ଶିଶକେଲା ଗାଁର ଏକ ପଡ଼ା ସିଙ୍ଗବାହାଲିର ରାଜେନ୍ଦ୍ର ରଣା(୪୫)ଙ୍କ ପରଲୋକ ହୋଇଛି। ସରପଞ୍ଚଙ୍କ କହିବାନୁସାରେ, ମୃତ ୫ ଜଣଙ୍କ ଭିତରୁ ତିନିଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେବି ଗାଁର ବହୁ ଲୋକଙ୍କୁ ଜ୍ୱର, କାଶ ହେଉଥିବା ସେ ସୂଚନା ଦେଇଛନ୍ତି। ଏକ ଭିଡିଓ ଭାଇରାଲ କରି ସେ ଗାଁରେ କେମିତି ଭୟର ବାତାବରଣ ରହିଛି ସେ ଉପରେ ସୂଚନା ଦେଇଛନ୍ତି। ଏପଟେ କିଛିଦିନ ତଳେ ମେଡିକାଲ ଟିମ୍‌ ଯାଇ କେତେ ଜଣଙ୍କ କରୋନା ପରୀକ୍ଷା ଗାଁରେ କରାଇଥିଲେ। ଅଧିକାଂଶ ପରୀକ୍ଷା ରିପୋର୍ଟରେ ବି ପଜିଟିଭ ଆସିଥିଲା। କିନ୍ତୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କେହି ଗାଁକୁ ଯାଉ ନାହାନ୍ତି। ଏଣୁ ସେହି ଗାଁକୁ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଉ ବୋଲି ସେ କହିଛନ୍ତି।

publive-image Twitter

ଗାଁ ଗାଁରେ ଲୋକେ ଆତଙ୍କିତ
ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଅଂଚଳର ଉପାନ୍ତ ଗାଁ ଲୋକ କରୋନାକୁ ନେଇ ଆତଙ୍କିତ। ଅନେକ ଗାଁର ତଥ୍ୟ ବି ପ୍ରଶାସନ ପାଖରେ ରହିଛି। ଗୋଟିଏ ଗୋଟିଏ ଗାଁରେ ୫୦ରୁ ଅଧିକ ପଜିଟିଭଙ୍କ ସଂଖ୍ୟା ବି ସାମ୍ନାକୁ ଆସୁଛି। ଏହାରି ଭିତରେ ଖପ୍ରାଖୋଲ ବ୍ଲକ୍‌ର ଚଙ୍ଗରିଆ ଗ୍ରାମବାସୀ ଆତଙ୍କିତ ହେଲେଣି। କାରଣ ଗାଁର ଅନେକ ଲୋକଙ୍କୁ ଜ୍ୱର ହେଉଥିବା ବେଳେ ୪୦ ବର୍ଷୀୟ ଯୁବକ ପ୍ରମୋଦ ଧରୁଆଙ୍କ ରବିବାର ମୃତ୍ୟୁ ଘଟିଛି। ଆଉ ସେହି ଗାଁକୁ ଆଜି ପର୍ଯ୍ୟନ୍ତ କୌଣସି ଡାକ୍ତର ପହଞ୍ଚି ନାହାନ୍ତି। ସେହି ମୃତ୍ୟୁ ଘଟଣା ପରେ ଗାଁରେ ଭୟର ବାତାବରଣ। ସେହିପରି ଲୋଇସିଂହା, ପୁଇଁତଲା ବ୍ଲକ୍‌ ଅଂଚଳର କିଛି ଗାଁରେ ପଜିଟିଭଙ୍କ ସଂଖ୍ୟା ବଢ଼ିବାରୁ ଭୟର ବାତାବରଣ ରହିଛି।

ପଜିଟିଭକୁ ମାନୁ ନାହାନ୍ତି
ଅନେକ ଗାଁର ଲୋକଙ୍କ ପଜିଟିଭ ଚିହ୍ନଟ ହେଲେ ବି ସେମାନେ କରୋନା ସଂକ୍ରମିତ ବୋଲି ମାନିବାକୁ ନାରାଜ। ସଇନ୍ତଳା ବ୍ଲକ୍‌ ଟିକ୍ରାପଡ଼ା ପଞ୍ଚାୟତର କିଛି ଗାଁରେ ପଜିଟିଭଙ୍କ ସଂଖ୍ୟା ବାହାରିଥିବା ପ୍ରଶାସନ ସୂଚନା ଦେଇଥିଲା। ସେଠାରେ ଲୋକଙ୍କୁ ଜ୍ୱର ବି ହେଉଥିଲା। କ୍ୱାକ୍ ଭରସାରେ ଲୋକେ ଔଷଧପତ୍ର ଖାଉଥିଲେ। ଲୋକଙ୍କ ମୃତ୍ୟୁ ହେଲେ ବି ସ୍ୱାଭାବିକ ମୃତ୍ୟୁ ବୋଲି ଲୋକେ କହୁଥିଲେ। ଏପଟେ ସେହି ସବୁ ଗାଁରେ କେତେ ଜଣଙ୍କ ପଜିଟିଭ ଆସିଲେ ବି ମାନିବାକୁ ନାରାଜ ରହୁଛନ୍ତି। ସେହିପରି କିଛି ଦିନ ତଳେ ବଲାଙ୍ଗୀର ସଦର ବ୍ଲକ୍‌ ବୈଦିପାଲି ନିକଟ ବରଗାଁର ଲୋକଙ୍କ କୋଭିଡ ପରୀକ୍ଷା ସ୍ୱାସ୍ଥ୍ୟ ବିଭାଗ ଟିମ୍‌ କରିଥିଲେ। ଗାଁରେ ଲୋକଙ୍କ ପଜିଟିଭ ଆସିବା ପରେ ସେମାନେ ଟେଷ୍ଟିଂ ଭୁଲ ଥିବା କହି ଡାକ୍ତରୀ ଟିମ୍‌କୁ ଅଟକ ରଖିଥିଲେ। ଏଭଳି ଭାବରେ କେଉଁଠି ସଚେତନତା ଅଭାବରୁ ଲୋକେ ପଜିଟିଭ ଆସିବା କଥାକୁ ଗୁରୁତ୍ୱ ଦେଉ ନାହାନ୍ତି ତ ଆଉ କେଉଁଠି ଲକ୍ଷଣବିହୀନ ଥିବାରୁ ମାନିବାକୁ ନାରାଜ ରହୁଥିବା ଦେଖାଯାଉଛି।

publive-imageଟେଷ୍ଟିଂରେ ଭିଡ଼, ଶଯ୍ୟା ଅଭାବରୁ ପିଣ୍ଡାରେ ରୋଗୀ
ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଶଯ୍ୟା ଅଭାବ ଥିବା ରୋଗୀ ସଂପର୍କୀୟ ଅନେକ ସମୟରେ ଅଭିଯୋଗ କରୁଛନ୍ତି। ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଶଯ୍ୟା ଅଭାବ ଦେଖିବାକୁ ମିଳୁଛି। ଆଜି ଡାଇରିଆ ୱାର୍ଡର ପିଣ୍ଡାରେ ଶଯ୍ୟା ଅଭାବରୁ ଜଣେ ପଜିଟିଭ ରୋଗୀ ଶୋଇ ରହିଥିବା ଦେଖାଯାଇଥିଲା। ସେହିପରି ଟେଷ୍ଟିଂ ପାଇଁ ମଧ୍ୟ ଡାକ୍ତରଖାନାରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଟିଟିଲାଗଡ଼ର ବିଶ୍ୱନାଥ ସାହୁ ନିଜ କ୍ୟାନସର ପୀଡ଼ିତ ମା’ଙ୍କୁ କେମୋ ପାଇଁ ବଲାଙ୍ଗୀର ହସପିଟାଲ ଆଣିଥିଲେ। କିନ୍ତୁ କୋଭିଡ ଟେଷ୍ଟ ନହେଲେ ଅନ୍ୟ ଚିକିତ୍ସା ହୋଇପାରିବ ନାହିଁ। ଟେଷ୍ଟ ପାଇଁ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ ବୋଲି ସେ କହିଥିଲେ। ଟେଷ୍ଟିଂ ସେଣ୍ଟରରେ ବି ପ୍ରବଳ ଭିଡ଼ ରହୁଛି। ଲୋକେ ଅନେକ ସମୟ ଅପେକ୍ଷା କଲେବି ପରୀକ୍ଷା କରାଇପାରୁ ନାହାନ୍ତି। ଏପରିକି ପଜିଟିଭ ରୋଗୀ ସଂସ୍ପର୍ଶରେ ଆସିଥିବା ଲୋକ ବି ଦିନଦିନ ଧରି ଟେଷ୍ଟ ହେଉନଥିବା ଅଭିଯୋଗ। କିନ୍ତୁ ବ୍ୟବସ୍ଥାକୁ ନେଇ ଏବେ ଅଧିକାରୀମାନେ ମୁହଁ ଖୋଲିବାକୁ ନାରାଜ ରହୁଛନ୍ତି।

ବଲାଙ୍ଗୀର ସାଂସଦଙ୍କ ସମୀକ୍ଷା ବୈଠକ
ସୋମବାର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ଏକ ସମୀକ୍ଷା ବୈ୦କ ଆୟୋଜିତ ହୋଇଥିଲା। ଏଥିରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ହସ୍ପିଟାଲରେ ଭର୍ତ୍ତି ରୋଗୀମାନଙ୍କ ପାଇଁ ସହାନୁଭୁତି ପ୍ରକାଶ କରିଥିଲେ ଏବଂ ଯଥାଶୀଘ୍ର ହସ୍ପିଟାଲରେ ଭେଣ୍ଟିଲାଟର, ଶଯ୍ୟା, ପିଇବା ପାଣି ଓ ଅକ୍ସିଜେନ ସିଲିଣ୍ଡର ପର୍ଯ୍ୟାପ୍ତ ପରିମାଣରେ ଯୋଗେଇ ଦେବା ପାଇଁ ନିର୍ଦେଶ ଦେଇଥିଲେ। ଏହି ବୈଠକରେ ଡାକ୍ତରଖାନା ଅଧୀକ୍ଷକ ମହେନ୍ଦ୍ର ନାୟକ, ଡିନ୍‌ ଡା. ସବିତା ମହାପାତ୍ର, ସିଡିଏମ୍‌ଓ ଡା. ଭୀମ ସାହୁ, ଏମ୍‌ପି ନୋମିନି ଦୀନେଶ ଶର୍ମା ମଧ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe