ଲେଉଟାଣି ବେଳେ ନିଉତା: ଗୋଟିଏ ସପ୍ତାହରେ ୯୧ ସଂକ୍ରମିତ, ୩ ବ୍ଲକର ୫ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଲେଉଟାଣି ବେଳେ ନିଉତା: ଗୋଟିଏ ସପ୍ତାହରେ ୯୧ ସଂକ୍ରମିତ, ୩ ବ୍ଲକର ୫ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଝାରସୁଗୁଡା : କରୋନା ସଂକ୍ରମଣ ଟିକେ ଧିମେଇ ଯାଇଥିବା ବେଳେ ରାଜ୍ୟ ସରକାର ଏହି ଅଞ୍ଚଳରୁ  କଟକଣା ମଧ୍ୟ ଉଠାଇ ଦେଇଛନ୍ତି। ତେବେ ସନ୍ଧ୍ୟା ୬ ଟାରୁ  କର୍ଫ୍ୟୁ ବଳବତ୍ତର ରହିଛି। ମାତ୍ର ଏହି କର୍ଫ୍ୟୁକୁ ଲୋକେ ସେପରି ମାନୁ ନଥିବା ଦେଖାଯାଇଛି। ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଅନେକ ଦୋକାନ ଖୋଲା ରହୁଛି। ମୁଖ୍ୟ ରାସ୍ତାକୁ ଛାଡ଼ି ଦେଲେ ଗଳି କନ୍ଦିରେ ଥିବା ଜଳଖିଆ ଦୋକାନଗୁଡ଼ିକରେ ବ୍ୟାପକ ଗହଳି ଲାଗୁଥିବା ଦେଖା ଯାଉଛି। ପୁଲିସ ସହରର ମୁଖ୍ୟ ରାସ୍ତାରେ ଆଉ ଦେଖାଯାଉ ନାହାନ୍ତି। ଗଳିକନ୍ଦିରେ ବି କାହାର ନଜର ପଡ଼ୁନି। ପ୍ରାଶାସନିକସ୍ତରରେ ମଧ୍ୟ ଆଉ ଆଗପରି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉ ନାହିଁ। ବସ୍‌ସେବା ଆରମ୍ଭ ହେଲାପରେ ସହରରେ ଭିଡ଼ ମଧ୍ୟ ବଢ଼ିଛି। ଲୋକ‌ମାନେ ବିନା କଟକଣାରେ ଯାତାୟାତ ଆରମ୍ଭ କରିଥିବା ବେଳେ ଧୁମ୍‌ଧାମ୍‌ରେ ବିବାହ ଉତ୍ସବ ମଧ୍ୟ ଆରମ୍ଭ ହୋଇଛି। ବିବାହ, ବ୍ରତରେ ଥିବା କଟକଣା ଉଠି ନଥିଲେ ମଧ୍ୟ ତାକୁ ଆଉ କେହି ମାନୁ ନାହାନ୍ତି।

ଜିଲ୍ଲାରେ ଗତ ମାସ ୧୨ ତାରିଖଠାରୁ କରୋନା ସଂଖ୍ୟାରେ ଦ୍ରୁତ ହ୍ରାସ ଘଟି ଚାଲିଥିବା ବେଳେ ଲୋକ ଆହୁରି ବେପରୁଆ ହୋଇ ପଡ଼ିଛନ୍ତି। ବହୁଲୋକଙ୍କ ମୁହଁରେ ମାସ୍କ ମଧ୍ୟ ଆଉ ରହୁ ନଥିବା ଦେଖିବାକୁ ମିଳୁଛି। ଦୋକାନ, ମଲଗୁଡ଼ିକରେ ଲୋକ ହାଉଯାଉ ହେଉଛନ୍ତି। ଚା' ପାନ ଦେକାନରେ ଖଟି ବସିବା ଆରମ୍ଭ ହୋଇଯାଇଛି। ଷ୍ଟେସନ୍ ଛକ, ବସଷ୍ଟାଣ୍ଡ ଛକ, ଝଣ୍ଡାଚୌକରେ ଭିଡ଼ ବଢ଼ିବା ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ଏବେ ଜିଲ୍ଲାରେ କରୋନା ସଂକ୍ରମଣ ପୁଣି ଦୁଇ ଦିନ ହେଲା ବଢ଼ିବା ଦେଖା ଦେଇଛି। ଗତ ସପ୍ତାହକ ମଧ୍ୟରେ ଜିଲ୍ଲାରେ ୯୧ ଜଣ ସଂକ୍ରମିତ ହୋଇଥିବା ଜଣାଯାଇଛି। ଝାରସୁଗୁଡ଼ା ସହରରେ ସର୍ବାଧିକ ୨୩ ଜଣ ଏହି ସପ୍ତାହରେ ସଂକ୍ରମିତ ହୋଇଥିବା ବେଳେ କିର୍ମିରା ବ୍ଲକରେ ସବୁଠାରୁ କମ୍‌ ୨ ଜଣ ସଂକ୍ରମିତ ହୋଇଥିବା ରେକର୍ଡ ହୋଇଛି। ଟ୍ରେନ୍‌ ସେବା ଓ ବିମାନ ସେବା ଚାଲୁ ରହିଛି। ପ୍ରତିଦିନ ରାଜ୍ୟ ବାହାରୁ  ଶତାଧିକ ଲୋକ ଏଠାକୁ ଯିବା ଆସିବା କଲେଣି। ଗତ ଦୁଇ ଦିନ ହେଲା କରୋନା ସଂକ୍ରମଣ ବଢ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ  ଜିଲ୍ଲାର ଲଇକେରା ବ୍ଲକର କେନ୍ଦୁଡିହିର ଦୁଇଟି ସ୍ଥାନ ଓ ବାଇଗଣବୁଡ଼ ଗ୍ରାମ, କିର୍ମିରା ବ୍ଲକ୍‌ର ହଲ୍‌କାଢ଼ିପା ଓ  ଲଖନପୁର ବ୍ଲକ୍‌ର ସରେଇପାଲି ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ କରୋନାର ତୃତୀୟ ଲହର ଆସିବା ଆଶଙ୍କା ନେଇ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଥିବା ବେଳେ ଏବେ ସର୍ବତ୍ର କଟକଣା କୋହଳ ଯୋଗୁଁ  ସଂକ୍ରମଣ ରୋକିବା ସମସ୍ୟା ଭାବରେ ଦେଖା ଦେଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ବିବାହ ଉତ୍ସବକୁ ଯାଇ ଲୋକ‌େ ସଂକ୍ରମିତ ହୋଇଥିବାରୁ ଗତ କିଛି ଦିନ ହେଲା ସଂକ୍ରମଣ ବଢ଼ିଥିବା ପ୍ରକାଶ କରିଛନ୍ତି। କରୋନାର ଦ୍ବିତୀୟ ଲହର ତାଣ୍ଡବ ରଚିବା ସହ ଅନେକ ଧନ ଜୀବନ ନଷ୍ଟ କରି ଲେଉଟିବା ବେଳେ ଲୋକଙ୍କ ବେପରୁଆ ମନୋଭାବ ପୁଣି କରୋନାକୁ ନିଉତା ଦେଇ ଡାକି ଆଣିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe