ଜିଲ୍ଲାରେ ବଢ଼ିଲା ସଂକ୍ରମଣ: ୪୨ ସଂକ୍ରମିତ ଚିହ୍ନଟ

Advertisment
ଜିଲ୍ଲାରେ ବଢ଼ିଲା ସଂକ୍ରମଣ: ୪୨ ସଂକ୍ରମିତ ଚିହ୍ନଟ

World Health Organization

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ଦୈନିକ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିବା ପରେ ଏବେ ୨ ଅଙ୍କ ଛୁଇଁବା ସହ ଦ୍ରୁତ ଗତିରେ ବଢ଼ିଚାଲିଛି। ଗତ ୫ ଦିନ ହେବ କରୋନା ସଂକ୍ରମଣ ଗ୍ରାଫ ଉପର ମୁହାଁ ହୋଇ ବଢ଼ିଚାଲିଛି। ମଙ୍ଗଳବାର ଜିଲ୍ଲାରେ ଆଉ ୪୨ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀଙ୍କ ମନରେ ଛନକା ପଶିଛି। ମଙ୍ଗଳବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଧୀନ ଅଞ୍ଚଳରୁ ୩୯ ଜଣ ରହିଥିବା ବେଳେ ବ୍ଲକଗୁଡ଼ିକରୁ ୩ ଜଣ ରହିଛନ୍ତି।

ଏସ୍‌ଏମ୍‌ସି ଅଧୀନ ବୁର୍ଲାରୁ ସର୍ବାଧିକ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅଇଁଠାପାଲିରୁ ୬ ଜଣ, ଧନୁପାଲି, ମୁଦିପଡ଼ା, ବଡ଼ବଜାର ଓ ଗୋପାଲମାଲରୁ ୩ ଜଣ ଲେଖାଏଁ, ମାଲିପଡ଼ାରୁ ୨ ଜଣ ଏବଂ ଛତାବର,  ସୁନାପାଲି,  ସାକ୍ଷୀପଡ଼ା, ବୁଢ଼ାରଜା, ସିଟି ଷ୍ଟେସନ୍‌ ନିକଟ, ବରେଇପାଲି, ଲକ୍ଷ୍ମୀଟକିଜ, ରାଜନଗର, ଦଲଦଲିପଡ଼ା, ନୂଆପଡ଼ା ଓ ଧନକଉଡ଼ାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଭଳି ବ୍ଲକଗୁଡ଼ିକ ମଧ୍ୟରେ ରେଙ୍ଗାଲିରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରେଢ଼ାଖୋଲରୁ ଜଣେ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ମଙ୍ଗଳବାର ଜିଲ୍ଲାରେ ଆଉ ୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହି ୩ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଉପରେ ୩୧,୯୫୮ ଜଣ ସଂକ୍ରମିତ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ଜିଲ୍ଲାରେ ୧୪୮ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜଙ୍କ କହିବା ଅନୁଯାୟୀ ସୋମବାର ରାଜ୍ୟର ମୁଖ୍ୟ ସଚିବ କୋଭିଡ୍‌ ଉପରେ ଏକ ରିଭ୍ୟୁ ମିଟିଂ କରିଥିଲେ। ପୁଣିଥରେ କିଭଳି ଭାବେ ପୂର୍ବ ଭଳି ମାସ୍କ, ସାନିଟାଇଜର୍‌, ସାମାଜିକ ଦୂରତା ପାଳନ ହେବ ସେ ନେଇ ସଭାରେ ଆଲୋଚନା ହୋଇଥିଲା। ଏହା ସହିତ ସଚେତନତା କାର୍ଯ୍ୟକ୍ରମ ଓ ଜରିମାନା ଆଦାୟ ମଧ୍ୟ କରିବାକୁ ସଭାରେ ସ୍ଥିର କରାଯାଇଥିଲା ବୋଲି ସେ କହିଥିଲେ। ଅନ୍ୟପଟେ ଜିଲ୍ଲାରେ କୋଭିଡ୍‌ର ଓମିକ୍ରନ୍‌ ଭାରିଏଣ୍ଟ ସମ୍ବଲପୁରରେ ଚିହ୍ନଟ ହେବାପରେ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ କୋଭିଡ୍‌ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଥିବା ଶ୍ରୀ ରାଜ୍‌ କହିଛନ୍ତି। ତାଙ୍କ କହିବା ଅନୁଯାୟୀ,  ବ୍ଲକ ଓ ଜିଲ୍ଲା ସ୍ତରରେ କୋଭିଡ୍‌ କେୟାର୍‌ ସେଣ୍ଟର ପାଇଁ ପୁଣିଥରେ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଭୀମସାର୍‌ କୋଭିଡ୍‌ ହସ୍ପିଟାଲ୍‌ରେ ମଧ୍ୟ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଉଛି। ଏହା ସହିତ ସେ ଲୋକମାନଙ୍କୁ ସଚେତନ ରହିବା ପାଇଁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe