କରୋନା ଲକ୍‌ଡାଉନ୍‌କୁ କୃଷିକର୍ମ ଅଡୁଆ, ହୋଇପାରିବ ସଡ଼କ ନିର୍ମାଣ

କରୋନା ଲକ୍‌ଡାଉନ୍‌କୁ କୃଷିକର୍ମ ଅଡୁଆ, ହୋଇପାରିବ ସଡ଼କ ନିର୍ମାଣ

ଭୁବନେଶ୍ୱର : ଆଜି ଥିଲା ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ର ଶେଷ ଦିନ। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ୧୫ ଏପ୍ରିଲ୍‌ରୁ ୩ ମେ ପର୍ଯ୍ୟନ୍ତ ଲାଗୁ ହୋଇଛି। ଏହା ସହ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଯାତ୍ରୀପରିବହନ ମଧ୍ୟ ବନ୍ଦ ହୋଇଛି। ଏହା ଦ୍ୱାରା ସଂପୃକ୍ତ ତାରିଖରେ ଯାତ୍ରା ପାଇଁ କଟାଯାଇଥିବା ସମସ୍ତ ଟିକଟ ରଦ୍ଦ ହୋଇଛି। ତେବେ ଆଶ୍ୱସ୍ତିର କଥା ହେଲା ଓଡ଼ିଶା ସରକାର କୃଷି ଓ କୃଷକଙ୍କ ପାଇଁ ଦରଦ ପ୍ରକାଶ କରିଛନ୍ତି। ସମସ୍ତ କୃଷିକର୍ମକୁ ଅନୁମତି ଦେଇଛନ୍ତି। ଓଡ଼ିଶାର ୬୨ ପ୍ରତିଶତ ଗ୍ରାମବାସୀ କୃଷି ଉପରେ ନିର୍ଭରଶୀଳ ଥିବାରୁ ଲକ୍‌ଡାଉନ୍‌ ଥିଲେ ବି ଗ୍ରାମ୍ୟ ଜୀବନ ଚଳଚଞ୍ଚଳ ହୋଇଉଠିବ। ଟ୍ରାକ୍ଟର ଚାଲିବା ଉପରେ କଟକଣା କୋହଳ ହୋଇଥିବାରୁ ତାହା ଗାଆଁ ଭିତରର ଜୀବନକୁ ସ୍ୱାଭାବିକ କରିବ। କୃଷକ ପରିଚୟପତ୍ର ବା ଆଧାର ପରିଚୟପତ୍ର ପାଖରେ ରଖିବା ପାଇଁ ସର୍ତ୍ତ ନଥିବାରୁ କୃଷିକର୍ମ ବାହାନାରେ ସମସ୍ତେ ଘରୁ ପାଦକାଢ଼ି କ୍ଷେତକୁ ଯାଇପାରିବେ। ତେବେ ଏ କ୍ଷେତ୍ରରେ କଣ୍ଟା ସାଜିଛି, ପ୍ରବାସରେ ଅଟକି ରହିଥିବା ଦାଦନଶ୍ରମିକମାନଙ୍କ ଆଗମନ। ଋତୁକାଳୀନ ଶ୍ରମିକ ଭାବରେ ରାଜ୍ୟ ବାହାରକୁ ଯାଇଥିବା ସେଇ ସମାନ ମଣିଷମାନେ ହିଁ ଓଡ଼ିଶାର କୃଷକ/ କୃଷିଶ୍ରମିକ ଅବା ଭାଗଚାଷୀ। ଅକ୍ଷିତୃତୀୟା ସୁଦ୍ଧା ଗାଆଁରେ ପହଞ୍ଚି ନଥିବାରୁ ରୟତମାନେ ଚାଷକ୍ଷେତଗୁଢ଼ିକୁ ବିଭିନ୍ନ କୃଷିଶ୍ରମିକ ବା ଭାଗଚାଷୀଙ୍କୁ ନ୍ୟସ୍ତ କଲା ବେଳେ ପ୍ରବାସରେ ଥିବା ଗ୍ରାମବାସୀମାନେ ତିନି ପାଞ୍ଜିରୁ ଯିବେ। ଯାହାର ରହିବା ଆସିବାରେ ଠିକ୍‌ଠିକଣା ନାହିଁ ସେଭଳି ଲୋକକୁ ରୟତମାନେ କାହିଁକି ଭରସା କରିବେ? ଏବେ ସହରରେ କିଛି ମାତ୍ରାରେ ଲକ୍‌ଡାଉନ୍‌ ଅନୁଭୂତ ହେବ। କିନ୍ତୁ କୃଷିପ୍ରଧାନ ପଶ୍ଚିମ ଓଡ଼ିଶା ବଜାରର ସିଂହଭାଗ ମୁଖ୍ୟତଃ କୃଷି ଓ କୃଷକଙ୍କ ସହାୟକ ସାମଗ୍ରୀର ଦୋକାନ ହୋଇଥିବାରୁ ପୂରା ସହର ବି ପ୍ରତିଦିନ ଚଳଚଞ୍ଚଳ ରହିବ। ବିହନ ଯୋଗାଣରେ ବିଳମ୍ବ କରିବା ରାଜ୍ୟ କୃଷି ବିଭାଗର ଏକ ପୁରୁଣା ରୋଗ ହୋଇଥିବାରୁ ବିହନ କିଣିବା ପାଇଁ କୃଷକମାନେ ଓ କୃଷକ ପରିବାରର ସଦସ୍ୟମାନେ ନିକଟତମ ସହରର ଦୋକାନରେ ଭିଡ଼ କରିବେ।

ଏବେ ରାଜ୍ୟରେ ପ୍ରାୟ ଦୁଇ ଡଜନ ଗୁରୁତ୍ୱପୂର୍ଣ ସଡ଼କ ନିର୍ମାଣ ମଧ୍ୟ ଲକ୍‌ଡାଉନ୍‌ରେ ବାଧାପ୍ରାପ୍ତ ହୋଇଥିବାରୁ ତାହାକୁ ପୁନଃଆରମ୍ଭ କରିବା ପାଇଁ ସରକାର ଅନୁମତି ଦେବାର ଥିଲା। କାରଣ ଯାତ୍ରୀଗାଡ଼ି ଚଳପ୍ରଚଳ ଉପରେ କଟକଣା ଥିବାରୁ ରାସ୍ତା ନିର୍ମାଣ ପାଇଁ ପ୍ରଶସ୍ତ ସ୍ୱାଧୀନତା ରହିଛି। ଅନେକ ସଡ଼କ ନିର୍ମାଣ ମୂଳତଃ କମ୍‌ ମଣିଷ ଓ ବେଶି ମେସିନ୍‌ରେ ହେଉଛି। ଏହି ନିଛାଟିଆ ସମୟକୁ ସଂପୂର୍ଣ ବ୍ୟବହାର କରି ସଡ଼କ ନିର୍ମାଣ ତ୍ୱରାନ୍ୱିତ କରାଯାଇପାରନ୍ତା। ଯାହାକି ଆଗାମୀ ବର୍ଷା ଦିନ ପୂର୍ବରୁ ରାଜ୍ୟ ଅର୍ଥନୀତି ଓ ଜୀବନଯାତ୍ରାକୁ ସ୍ୱାଭାବିକ କରିବାରେ ସହାୟକ ହୋଇପାରନ୍ତା। ଏ କ୍ଷେତ୍ରରେ ମୁଖ୍ୟତଃ ଅତ୍ୟାବଶ୍ୟକ ହେଉଛି ଅଧୁରା ହେଉଛି ସେତୁ ଓ ପୋଲ ନିର୍ମାଣ କାମକୁ ଜୁନ୍‌ ୨୦ ତାରିଖ ପୂର୍ବରୁ ସାରିବା। ଦେଖିବାକୁ ରହିଲା ରାଜ୍ୟ ପ୍ରଶାସନ ଏହା ଉପରେ ନିଜର ଘୋଷଣାନାମା କେବେ ଜାରି କରୁଛି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe