ଭଦ୍ରକ: କରୋନା ବୁଡାଇ ଦେଇଛି ଅଟୋ ଚାଳକଙ୍କ ଜୀବିକା

Advertisment
ଭଦ୍ରକ: କରୋନା ବୁଡାଇ ଦେଇଛି ଅଟୋ ଚାଳକଙ୍କ ଜୀବିକା

Telegraph India

ଭଦ୍ରକ : କରୋନା ଅନେକ ଲୋକଙ୍କର ଜୀବନ ଜୀବିକା ବୁଡାଇ ଦେଇଥିବା ବେଳେ ଲୋକମାନେ ବେସାହାରା ହୋଇପଡିଛନ୍ତି। କରୋନା ବିଶ୍ୱ ମହାମାରୀ ଯୋଗୁଁ ଅନେକ ଲୋକ ନିଜର କର୍ମ ସଂସ୍ଥାନ ଛାଡି ଘରେ ହାତବାନ୍ଧି ବସିଥିବା ବେଳେ ଭଦ୍ରକ ଜିଲ୍ଲାରେ କରୋନା ବୁଡାଇ ଦେଇଛି ଅଟୋ ଚାଳକଙ୍କର ଜୀବିକା। ଗତ ଫେବ୍ରୁଆରୀ ମାସ ଶେଷ ବେଳକୁ କରୋନା କଟକଣା ଜିଲ୍ଲାରେ ଆରମ୍ଭ ହୋଇଗଲା। ମାର୍ଚ୍ଚ ମାସରେ ଏଇ କଟକଣା କଡାକଡି କରାଯାଇଥିବା ବେଳେ ଜିଲ୍ଲାକୁ କର୍ଫ୍ୟୁ ଘୋଷଣା କରାଗଲା। ଭଦ୍ରକ ସହରକୁ ଗତ ୫ ମାସ ହେଲା ବିଭିନ୍ନ ସମୟରେ କୋଭିଡ୍ କଟକଣା ପାଇଁ କେତେବେଳେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଆଉ କେତେବେଳେ କର୍ଫ୍ୟୁ ଭରି ପରିସ୍ଥିତି କରାଯାଇଥିଲା। ପୁଣି ଲକ୍ ଡାଉନ୍ ଓ ସଟ୍ ଡାଉନ୍ କରାଯାଇ ସହର ବଜାରକୁ ଅଟୋ ଚଳାଚଳ ନକରିବା ପାଇଁ ଅଙ୍କୁଶ ଲଗାଯାଇଥିଲା। ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଏଇ କଟକଣା କଡା କଡି କରାଯାଇଥିଲା। କୌଣସି ଅଟୋ ଚାଳକଙ୍କୁ ସହର ଭିତରକୁ ପ୍ରବେଶ କରାଇ ଦିଆଯାଉ ନଥିଲା। କେବଳ ମେଡିକାଲ କେସ୍‌ରେ କାଁ ଭାଁ କିଛି ଅଟୋ ଚାଳକ ସହର ଭିତରକୁ ରୋଗୀ ନେଇ ମେଡିକାଲ କିମ୍ବା ନର୍ସିଂହୋମ ପର୍ଯ୍ୟନ୍ତ ଆସୁଥିଲେ। କିନ୍ତୁ ଜିଲ୍ଲାର ପାସେଞ୍ଜର ‌ଅଟୋ ଚଳାଚଳ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ସ୍କୁଲ, କଲେଜ, କୋଚିଂ ସେଣ୍ଟର, ହଷ୍ଟେଲ ସବୁ ବନ୍ଦ ରହିଥିବା କାରଣରୁ କେହି ସହରକୁ ଆସିଲେ ନାହିଁ। ଏଇସବୁ ଲୋକଙ୍କୁ ନବା ଆଣିବା ପାଇଁ ଅଟୋ ମୁଖ୍ୟ ମାଧ୍ୟମ ହୋଇଥିବା ବେଳେ ଅଟୋ ଚଳାଚଳ ବନ୍ଦ କରାଯାଇଥିଲା।

publive-image Sambad English

ଜିଲ୍ଲାରେ ଭଦ୍ରକ ସହରରେ ଏକ ହାଜରରୁ ଉର୍ଦ୍ଧ୍ବ ଅଟୋ ଚାଳକ ରହିଥିବା ବେଳେ ଗ୍ରାମାଞ୍ଚଳରେ ୫ ଶହରୁ ଉର୍ଦ୍ଧ୍ବ ଅଟୋ ଚାଳକ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଟୋ ଚାଳକ ପାଠ ପଢି ଚାକିରୀ ନପାଇ ଶେଷରେ ବ୍ୟାଙ୍କ ଋଣ ଅଟୋ ଚାଳନା କରି ନିଜର ନିଜର ଜୀବନ ଜୀବିକା କରୁଥିଲେ। ସକାଳୁ ରାତି ପର୍ଯ୍ୟନ୍ତ ଅଟୋ ଚାଳନା କରି ଯାହା ଟଙ୍କା ରୋଜଗାର କରନ୍ତି ସେଥିରୁ ସେମାନଙ୍କର ପରିବାର ପ୍ରତିପୋଷଣ କରନ୍ତି। ଭଦ୍ରକର ସହରର ବନ୍ତଛକ, ଚରମ୍ପା ବଜାର, ଷ୍ଟେସନ ବଜାର, କଚେରୀ ବଜାର, ମେଡିକାଲଛକ, ବାଇପାସ୍ ଆଦି ଅଞ୍ଚଳରେ ରାତି ପାହିଲେ ଅଟୋ ଚାଳକମାନେ ନିଜର ପେଟ ପାଟଣା ପାଇଁ ନିଜ ନିଜର ଅଟୋ ଖଣ୍ଡେ ଧରି ଠିଆ ହୋଇଥାନ୍ତି। କେହି ଯାତ୍ରୀ ଆସିଲେ, ସେମାନଙ୍କୁ ଭଡାରେ ନେଉଥିଲେ। ମାତ୍ର ଏଇ ୪ ମାସ ଶେଷ ହେବ ସହର ବଜାର ଠିକ୍ ଭାବେ ଚାଲୁ ନଥିବାରୁ ଲୋକମାନେ ମଧ୍ୟ ଅଧିକ ସଂଖ୍ୟାରେ ସହର ଭିତରକୁ ଆସୁନାହାନ୍ତି। ଫଳରେ ଏଇ ଅଟୋ ଚାଳକମାନେ ଭଡା ପାଉ ନାହାନ୍ତି। ଭଡା ନମିଳୁଥିବାରୁ ଅଟୋ ମାଲିକମାନେ ଏବେ ଦୁଃଖରେ ଦିନ କାଟୁଛନ୍ତି। ସେମାନଙ୍କର ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି। ପରିବାର ଚଳାଇବା ଯେତିକି କଷ୍ଟ ହେଉଛି। ତାଠାରୁ ଅଧିକ କଷ୍ଟ ହେଉଛି ‌ ଯେଉଁ ଅଟୋ ମାଲିକମାନେ ବ୍ୟାଙ୍କ ଋଣ କରି ଅଟୋ ଆଣି ଚଳାଉଥିଲେ। ଅଟୋ ଭଡା ଠିକ୍ ଭାବେ ମିଳୁ ନଥିବାରୁ ଏଇ ଅଟୋ ମାଲିକମାନେ କିଭଳି ବ୍ୟାଙ୍କ ଋଣ ସୁଝିବେ ସେହି ଚିନ୍ତାରେ ଭାଙ୍ଗି ପଡିଛନ୍ତି। ଏବେ ପରିବାର ପ୍ରତିପୋଷଣ ଓ ବ୍ୟାଙ୍କ ଋଣ ସେମାନଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଜିଲ୍ଲାର ଦୁଃଖରେ ଦିନ କାଟୁଥିବା ଏଇ ଅଟୋ ଚାଳକ ଓ ମାଲିକମାନଙ୍କୁ ସରକାରୀ ପ୍ରୋତ୍ସାହନ କିଛି ଯୋଗାଇ ଦିଆଯାଉ ନଥିବାରୁ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯାଉ ବୋଲି ଭଦ୍ରକ ଜିଲ୍ଲାର ବହୁ ଅସହାୟ ଅଟୋ ଚାଳକ ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe